fbpx

ମହଙ୍ଗା ଛାଟରେ ହନ୍ତସନ୍ତ ମଧ୍ୟବିତ୍ତ ପରିବାର,ରେଷୋଇ ଘରେ ପଡିଛି ଚଢ଼କ : ପରିବାଠୁ ଆମିଷ ବଜାର ସବୁଠି ବଜେଟ୍ ବିଗାଡୁଛି ଦରବୃଦ୍ଧି

ବାଲିପାଟଣା (ଭାସ୍କର ନ୍ୟୁଜ): ପରିବା ପାଇଁ ବ୍ୟାଗ୍‌ ନେଇ ମଧ୍ୟବିତ ପରିବାର ମୁଖିଆ ବଜାରରେ ପହଞ୍ଚି ପରିବାର ଆକାଶଛୁଆଁ ଦର ଦେଖିକି ଘଡିଏ ଚିନ୍ତା କରୁଛି କିଲେ ନେବି ନା ୨୫୦ ଗ୍ରାମ ନେବି । ୫୦୦ ଟଙ୍କାରେ ବି ଗୋଟେ ବ୍ୟାଗ୍‌ ପୂରଣ ହେବା କଷ୍ଟକର ହୋଇପଡୁଛି । ମୁଖ୍ୟ ପରିବା ଆଳୁ କିଲୋ ପ୍ରତି ୨୫ ଟଙ୍କା, ବାଇଗଣ ୬୦ ଟଙ୍କା, ପୋଟଳ ୬୦ ଟଙ୍କା, ଟମାଟୋ ୧୦୦ ଟଙ୍କା, କାଙ୍କଡ଼ ୧୨୦ ଟଙ୍କା, ସଜନା ଛୁଇଁ କିଲୋପ୍ରତି ୧୨୦ ଟଙ୍କା, କଲରା ୬୦ ଟଙ୍କା ଏବଂ ଲେମ୍ବୁର ଭାଉ ପୁରା ଉଚ୍ଚରେ । କିଛି ଚାଷୀ ଏବଂ ବେପାରିଙ୍କୁ ଏ ସମ୍ପର୍କରେ ପଚାରିଲେ କହୁଛନ୍ତି ସାର, ପିଡ଼ିଆ ଦର ବଢିବା ସାଙ୍ଗକୁ ଅଦିନିଆ ବର୍ଷା ଦାଉ ସାଧୁଛି ।

ସେଥିପାଇଁ ଏଭଳି ପରିସ୍ଥିତି । ଏଭଳି ଆକାଶଛୁଆଁ ଦରବୃଦ୍ଧିରେ ଏକ ମଧ୍ୟବିତ୍ତର ପରିବାରର ପକେଟ୍‌ ଉପରେ ସିଧାସଳଖ ପ୍ରଭାବ ପଡୁଛି । ବାଲିପାଟଣାରେ ମୁଖ୍ୟତ ସପ୍ତାହରେ ଦୁଇ ଥର ହାଟ ବସେ । ଏମିତି ଯଦି ହିସାବ କରାଯାଏ ତେବେ ମାସକୁ ଆଠ ଥର ହାଟରେ ପ୍ରାୟ ଅତିକମ୍‌ ରେ ୪ ହଜାର ଟଙ୍କା ଦରକାର ପଡୁଛି । ଯଦି ପରିବାରେ ଏତେ ପରିମାଣରେ ଖର୍ଚ୍ଚ ହେବ ତେବେ ଡାଲି ତେଲ ଚାଉଳ ବାବଦକୁ କେତେ ଟଙ୍କା ଖର୍ଚ୍ଚ କରାଯିବ ଭାବିବା ମୁସ୍କିଲ୍‌ । କାରଣ ପରିବା ସାଙ୍ଗକୁ ତାଳ ଦେଇ ଚାଉଳ, ଖାଇବା ତେଲ, ଜାଳେଣି ତେଲ ଦର ଦ୍ରୁତ ଗତିରେ ବଢିବାରେ ଲାଗିଛି ।

ସେହିପରି ଆମିଷ ଦର ମଧ୍ୟ ଆକାଶଛୁଆଁ , ଆନ୍ଧ୍ରା ମାଛ ୧୮୦ ରୁ ୨୫୦ ଟଙ୍କା ଥିବାବେଳେ ଚିକେନ୍‌ ଦର ୨୮୦ରୁ ୩୦୦ ଟଙ୍କା ହେଲାଣି ଏବଂ ମଧ୍ୟବିତ୍ତ ପାଇଁ ଥାଳିରେ ମଟନ୍‌ ସ୍ୱପ୍ନ। ଜଣେ ମଧ୍ୟବିତ୍ତ ସାଧାରଣତ ଖଣ୍ଡେ ସରକାରୀ ବା ବେସରକାରୀ ଚାକିରିଟେ କରି ମାସକୁ ଥରେ ମାତ୍ର ସ୍ୱଳ୍ପ ଦରମା ପାଇ ମାସକ ଯାକ ସେଥିରେ ଚଳେଇବାକୁ ପଡିଥାଏ । ସେହି ସ୍ୱଳ୍ପ ଦରମାରେ ପିଲାମାନଙ୍କ ପାଠପଢ଼ା ଠାରୁ ଆରମ୍ଭ ବସ୍ତ୍ର, ଔଷଧ, ପନି ରିବା, ତେଜରାତି, ବିଦ୍ୟୁତ୍‌ ବିଲ୍‌, ଗ୍ୟାସ୍‌ ବିଲ୍‌, ପେଟ୍ରୋଲ୍‌ ଖର୍ଚ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଖର୍ଚ ତୁଲାଇବା ପରେ ଭବିଷ୍ୟତ ପାଇଁ ସଞ୍ଚୟ ଘର ଶୁନ୍‌ ପଡିଯାଉଛି । ଆଗକୁ ଏଇଭଳି ମହଙ୍ଗା ଜାରି ରହିଲେ ମଧ୍ୟବିତ ଚଳିବାରେ ବହୁ କଷ୍ଟ ଭୋଗିବେ । ଏଥିରେ ମଧ୍ୟବିତ୍ତ ଦୁଶ୍ଚିନ୍ତାରେ ଜୀବନ ବିତାଇବା ଛଡା ଆଉ କିଛି ଉପାୟ ନାହିଁ ।

Get real time updates directly on you device, subscribe now.