ଭୁବନେଶ୍ୱର(ଓଡ଼ିଶା ଭାସ୍କର): “ବୁଝିଲ ଯଦୁମଣି, ଭୁବନେଶ୍ବରରେ ହେଲମେଟ ଚେକ କରୁଥିଲି, ଏମଏଲଏର ଭାଇ ତେରିମେରି କଲା, ଦେଲି ଚାପୁଡ଼ାଏ, ମୋର ଟ୍ରାନସଫର ହେଲା କୋରାପୁଟ” … ଆୱାର୍ଡ ୱିନିଂ ଫିଲ୍ମ ଫେରିଆ କମବ୍ୟାକର ଏହା ଥିଲା ଡାଏଲଗ । କଥାଟା 80-90 ମସିହାରେ ଏମିତି ଏକ ମାନସିକତାକୁ ନେଇ ଥିଲା। ଯେଉଁଥିରେ ଜଣେ ସରକାରୀ କର୍ମଚାରୀଙ୍କ ଉପରେ ସରକାର କିମ୍ବା ନେତାମାନେ ଖପ୍ପା ହେଲେ ତାଙ୍କୁ କୋରାପୁଟ, ମାଲକାନଗିରି ଟ୍ରାନସଫର କରିଦିଆଯାଉଥିଲା । ଦେଶର ଦୁଇଟି ଘଟଣାକୁ ନେଇ ଆମର ମାନସିକତାର ଚିତ୍ର ବଖାଣିବାକୁ ଚାହୁଁଛୁ।
ବେଶୀ ଦିନର କଥା ନୁହେଁ । ନିକଟରେ କଟକର ମେୟର ସୁବାସ ସିଂଙ୍କର ଏକ କଥାକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦେଖାଦେଇଥିଲା ଅସନ୍ତୋଷ । ସୁବାସ ସିଂ କୁଆଡେ ସରକାରୀ ଅଧିକାରୀଙ୍କୁ ତାଗିଦ କରିବାକୁ ଯାଇ କହିଥିଲେ କାମ ନକଲେ ମାଲକାନଗିରି ଟ୍ରାନସଫର ହେବ । ଏହା ପରେ ନବରଙ୍ଗପୁର ମାଲକାନଗିରି ଓ କୋରାପୁଟରେ ଲୋକେ ଅସନ୍ତୋଷ ଜାହିର କରିଥିଲେ ସୁବାସ ସିଂଙ୍କର କୁଶପୁତ୍ତଳିକା ଦାହ କରିଥିଲେ । କାହିଁକି ମାଲକାନଗିରିକୁ ନିମ୍ନଦୃଷ୍ଟିରେ ଦେଖିଲ ବୋଲି ଲୋକେ ପ୍ରଶ୍ନ କରିଥିଲେ ।
ଏ ତ ହେଲା ଆମ ଓଡ଼ିଶାର ମାଲକାନଗିରି । ନିକଟରେ ଜଣେ ଆଇଏଏସ ଅଧିକାରୀ ରିଙ୍କୁ ଦୁଗ୍ଗାଙ୍କୁ ଅରୁଣାଚଳ ପ୍ରଦେଶକୁ ଟ୍ରାନସଫର କରାଯାଇଛି । ରିଙ୍କୁ ଦୁଗ୍ଗା କିଏ ଆଗେ କହିଦେବା ଉଚିତ ଭାବୁଛୁ । ସେ ହେଉଛନ୍ତି ଆଇଏଏସ ଅଧିକାରୀ ସଞ୍ଜିବ ଖିରୱାରଙ୍କ ପତ୍ନୀ । ଏବେ ଜାଣିସାରିବେଣି । ତଥାପି ଆଉଟିକେ ଖୁଲାସା କରୁଛୁ । ସେ ହେଉଛନ୍ତି ଦିଲ୍ଲୀ ତ୍ୟାଗରାଜ ଷ୍ଟାଡିୟମର ସେହି ଭିଆଇପି କୁକୁରର ମାଲିକାଣି । ଯେଉଁ କୁକୁରର ଇଭିନିଙ୍ଗ ୱାକ ପାଇଁ ଖେଳାଳିମାନଙ୍କୁ ଖାଲି କରିଦିଆଯାଇଥିଲା । ଆଉ ଏହା ଯେତେବେଳେ ଭାଇରାଲ ହେଲା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସେତେବେଳେ ଆଇଏଏସ ଦମ୍ପତିଙ୍କୁ ପଠାଇ ଦିଆଗଲା ଅରୁଣାଚଳ ପ୍ରଦେଶ ଓ ଲଦାଖ ।
ଅରୁଣାଚଳ ପ୍ରଦେଶ କାହିଁକି । ଏହାକୁ ନେଇ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଆପତ୍ତି ଉଠାଇଛନ୍ତି । ତାଙ୍କ କହିବା କଥା ଅରୁଣାଚଳ ପ୍ରଦେଶକୁ ନିମ୍ନ ଦୃଷ୍ଟିରେ ଦେଖିଛି ଗୃହ ମନ୍ତ୍ରଣାଳୟ । ଟ୍ବିଟ କରି ମହୁଆ ମୈତ୍ର ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କୁ ଟ୍ୟାଗ କରିଛନ୍ତି । ଏହା ଉପରେ ଆପତ୍ତି ଦର୍ଶାଇବାକୁ କହିଛନ୍ତି। ଏହା ଅରୁଣାଚଳପ୍ରଦେଶ ପାଇଁ ଅପମାନ ବୋଲି ସେ ଦର୍ଶାଇବା ସହିତ ପେମା ଖଣ୍ଡ ମୁହଁ ଖୋଲିବାକୁ ସେ ଆହ୍ବାନ ଦେଇଛନ୍ତି।
Why shame Arunachal by transferring errant Delhi bureaucrat there?
Why pay lip service to North East & then treat area like a dump for your rubbish, MHA?
Please protest @PemaKhanduBJP @KirenRijiju— Mahua Moitra (@MahuaMoitra) May 26, 2022
ମହୁଆଙ୍କ କହିବା କଥାରୁ ଏହା ସ୍ପଷ୍ଟ ହେଉଛି ଅରୁଣାଚଳ ପ୍ରଦେଶ ବା କୋରାପୁଟ ମାଲକାନଗିରି ଏସବୁ ସ୍ଥାନ କଳାପାଣି ଭଳି । ରାଜଧାନୀରେ ଜଣେ ବାବୁ ରହିବାମାନେ ସେ ଜଣେ ପ୍ରତିପତ୍ତିଶାଳୀ ବାବୁ ବୋଲି ଜଣାଯିବେ । ମାଲକାନଗିରି କିମ୍ବା ଅରଣାଚଳ ପ୍ରଦେଶ ହେଉଛି ସେମାନଙ୍କ ପାଇଁ ଦଣ୍ଡ ଭୋଗିବାର ସ୍ଥାନ। ଯେତେବେଳେ ଆମ ଦେଶ ଆକାଂକ୍ଷି ଜିଲ୍ଲାର ବିକାଶ ପାଇଁ ନାନାଦି ପ୍ରକଳ୍ପ ବା ଯୋଜନା ହାତକୁ ନେଉଛି ସେତେବେଳେ ବି ଏହି ମାନସିକତା ରହିଛି । କାହାକୁ ଦଣ୍ଡ ଦେବା ବେଳେ ମାଲକାନଗିରି କିମ୍ବା ଅରୁଣାଚଳ ପ୍ରଦେଶ ଟ୍ରାନସଫର କରିଦେବାର ଉଦାହରଣ ସୃଷ୍ଟି କରାଯାଉଛି ।
ଦ୍ବିତୀୟ କଥାଟି ହେଉଛି ବାବୁଗିରି । ପୂର୍ବରୁ ନେତାଗିରି ଶବ୍ଦଟି ବେଶ୍ ଚର୍ଚ୍ଚିତ ଥିଲା ଏବେ କିନ୍ତୁ ବାବୁଗିରି ଆହୁରି ଭାରିପଡ଼ିଲାଣି । ୟୁପିଏସସି ପରୀକ୍ଷାରେ ପାସ କରିଯାଉଥିବା କିଛି ବ୍ୟକ୍ତିମାନେ କ୍ଷମତାର ମୋହରେ ଏମିତି ଅନ୍ଧ ହୋଇଯାଉଛନ୍ତି ଯେ ସେମାନେ ପବ୍ଲିକ ସର୍ଭିସ କଥା ଭୁଲିଯାଉଛନ୍ତି । ବେଶୀ ଦିନର କଥା ନୁହେଁ ଝାଡ଼ଖଣ୍ଡର ଜଣେ ଆଇଏଏସ ଏଧିକାରୀ ପୂଜା ସିଂହଲଙ୍କ ଘରୁ ବିଡ଼ାବିଡ଼ା କୋଟି କୋଟି ଟଙ୍କା ଜବତ ହୋଇଥିଲା । ଝାଡ଼ଖଣ୍ଡ ମାଇନିଂ ସ୍କାମରେ ତାଙ୍କର ହାତ ଥିବା ଅଭିଯୋଗ ହୋଇଥିଲା । ତାପରେ ଏବେ ଏହି ଆଇଏଏସ ଦମ୍ପତିଙ୍କ ବାବୁଗିରି ଚର୍ଚ୍ଚାକୁ ଆସିଛି। ଏହି ଦମ୍ପତି କୁକୁର ସହିତ ତ୍ୟାଗରାଜ ଷ୍ଟାଡିୟମରେ ବୁଲୁଥିବାର ଫଟୋ ଦେଖାଯାଇଛି। ବାବୁବାବୁଆଣୀଙ୍କ କୁକୁର ପାଇଁ ଷ୍ଟାଡିୟମରୁ କୁଆଡ଼େ ଖେଳାଳିଙ୍କୁ ବାହାର କରିଦିଆଯାଇଛି। ତେଣୁ ଏହି ବାବୁଗିରିକୁ ନେଇ ନେଟିଜେନ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।
ଏମାନଙ୍କର ବାବୁଗିରି ଦେଖିଲେ ଏମାନେ ୟୁପିଏସସି ଉତ୍ତୀର୍ଣ୍ଣ ହୋଇ ଚାକିରୀ କରିଛନ୍ତି ଲୋକସେବାରେ ଅଛନ୍ତି ଆଉ ଏ ଅଧିକାରୀଙ୍କୁ ଦେଖନ୍ତୁ । ଏ ହେଉଛନ୍ତି ଆସାମର ଆଇଏଏସ ଅଧିକାରୀ କିର୍ତ୍ତୀ ଜାଲି। ଇଣ୍ଟରନେଟରେ ଥରେ ନୁହେଁ ବାରମ୍ବାର ତାଙ୍କର ଭିଜୁଆଲ ଭାଇରାଲ ହୋଇଛି। ପ୍ରବଳ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ଆସାମର କଚର ଅଞ୍ଚଳକୁ ବୁଲିଯାଇଛନ୍ତି ଡେପୁଟି କମିଶନର କିର୍ତ୍ତି ଜାଲି । କଚର ଆସାମ ବନ୍ୟାରେ ଅତିମାତ୍ରାରେ ପ୍ରଭାବିତ ହୋଇଛି। ଆଉ ସେହି ଅଞ୍ଚଳକୁ ଡଙ୍ଗାରେ ଯାଇ ଏବଂ ମାଟି କାଦୁଅରେ ପଶି ସେ ଲୋକଙ୍କ ଅସୁବିଧା ବୁଝିଛନ୍ତି। ଏଠାରେ ସେ ନିଜର ବାବୁଗିରି ଦେଖାଇନାହାନ୍ତି ବରଂ ଶାଢ଼ୀ ପିନ୍ଧି ଲୋକଙ୍କ ସହିତ କାଦୁଅ ପଚପଚ ରାସ୍ତାରେ ଯାଇ ସେ ଲୋକଙ୍କ ସମସ୍ୟା ବୁଝିଛନ୍ତି ।
କିର୍ତ୍ତୀ ଜାଲିଙ୍କ ଭଳି ବହୁ ଅଧିକାରୀ ଅଛନ୍ତି ଯେଉଁମାନେ ଲୋକଙ୍କ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । ତାଙ୍କ ପାଇଁ ନିଶ୍ଚୟ ଦିଲ୍ଲୀ ଓ ମାଲକାନଗିରି ସମାନ । ସବୁଠାରେ ସେ ସେବାକୁ ହିଁ ପ୍ରାଥମିକତା ଦେଇଛନ୍ତି । ଦ୍ବିତୀୟରେ ଯଦି ଦିଲ୍ଲୀ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ପାର୍ଥକ୍ୟ ରୁହନ୍ତା ନାହିଁ ତେବେ କାହାକୁ ଦଣ୍ଡ ଦେବା ପାଇଁ ସେଠାକୁ ପଠାଯାଆନ୍ତି ନାହିଁ । ଅର୍ଥାତ ଆମକୁ ସ୍ବୀକାର ହିଁ କରିବାକୁ ହେବ ଯେ ଅରୁଣାଚଳ ପ୍ରଦେଶ ହେଉ ବା ମାଲକାନଗିରି ସେସବୁ ଅଞ୍ଚଳରେ କାର୍ଯ୍ୟ କରିବା ଦଣ୍ଡ ସଦୃଶ ବୋଲି ଧାରଣା ରହିଛି । ଏହି ଧାରଣା ହଟିବା ପାଇଁ କଣ କରିବା ଉଚିତ ତାହା ଆମେ ସାଧାରଣ ଜନତା ଅପେକ୍ଷା ସରକାରୀ କଳ ଅଧିକ ଜାଣିଛନ୍ତି ଏବଂ ସେନେଇ କାର୍ଯ୍ୟ ପ୍ରସ୍ତୁତ ହେବ ଉଚିତ ।