fbpx

ପଞ୍ଜାବରେ ୪୨୪ ଭିଆଇପିଙ୍କ ସୁରକ୍ଷା ପ୍ରତ୍ୟାହାର କଲେ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ

ଚଣ୍ଡିଗଡ: ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନଙ୍କ ନେତୃତ୍ଵାଧୀନ ପଞ୍ଜାବ ସରକାର ରାଜ୍ୟରେ ୪୨୪ ଭିଆଇପି ଲୋକଙ୍କ ସୁରକ୍ଷା ପ୍ରତ୍ୟାହାର କରି ନେଇଛନ୍ତି। ଯେଉଁ ଲୋକଙ୍କ ସୁରକ୍ଷା ହଟାଇ ଦିଆଯାଇଛି ସେମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ, ଧର୍ମଗୁରୁ ଏବଂ ରାଜନୈତିକ ବ୍ୟକ୍ତି ବିଶେଷ ସାମିଲ୍। ଏହା ପୂର୍ବରୁ ଏପ୍ରିଲରେ ପଞ୍ଜାବ ସରକାର ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ଏବଂ ଅନ୍ୟ ନେତାଙ୍କ ସମେତ ୧୮୪ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିବାକୁ ଆଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପୁଅ ରନିନ୍ଦର ସିଂହ ଏବଂ କଂଗ୍ରେସ ବିଧାୟକ ପ୍ରତାପ ସିଂହ ବାଜଓ୍ଵାରେଙ୍କ ପତ୍ନୀଙ୍କ ପରିବାରର ସୁରକ୍ଷା ପ୍ରତ୍ୟାହାର କରାଯାଇଥିଲା। ପଞ୍ଜାବ ପୋଲିସରେ କର୍ମଚାରୀଙ୍କ ଅଭାବ କାରଣରୁ ସୁରକ୍ଷା ପ୍ରତ୍ୟାହାର କରାଯାଉଥିବା କୁହାଯାଉଛି। ଏମିତିରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ପାଇଁ ସାର୍ବଜନୀନ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଅଭାବକୁ ପୂରଣ କରିବା ମୁସ୍କିଲ ହୋଇ ପଡିଛି।

ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ପାଇଁ ପ୍ରାୟ ୨୦୦୦ ଅତିରିକ୍ତ ଅର୍ଦ୍ଧ ସୈନିକ ବଳର ଯବାନଙ୍କୁ ମୁତୟନ କରାଯିବ। କାରଣ ରାଜ୍ୟରେ କିଛି ଅସାମାଜିକ ଗୋଷ୍ଠୀ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଗୁଇନ୍ଦା ରିପୋର୍ଟ ନିୟମିତ ବ୍ୟବଧାନରେ ମିଳୁଛି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାସ ବୁଧବାର ସୂଚନା ଦେଇଛନ୍ତି।

ମାନ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ସହିତ ବୈଠକ ପରେ କହିଛନ୍ତି, କେନ୍ଦ୍ର ସରକାର ଯଥା ସମ୍ଭବ ସହାୟତା କରିବାକୁ ଆଶ୍ଵାସନ ଦେଇଛନ୍ତି। ଗୃହ ମନ୍ତ୍ରୀ କହିଛନ୍ତି ଯେ, ରାଷ୍ଟ୍ରୀୟ ସୁରକ୍ଷା ସହ କୌଣସି ସାଲିସ୍ କରାଯାଇ ପାରିବ ନାହିଁ। ଏହା ଦଳଗତ ରାଜନୀତିଠୁ ଉର୍ଦ୍ଧ୍ଵରେ ଏବଂ କେନ୍ଦ୍ର ସରକାର ପଞ୍ଜାବ ସରକାରଙ୍କୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବେ।

 

Get real time updates directly on you device, subscribe now.