ବିଜେପିରେ ମିଶି କଂଗ୍ରେସକୁ ପ୍ରତି ୧୦ ଦିନରେ ଝଟକା ଦେବେ ହାର୍ଦ୍ଦିକ, କହିଲେ ନିଜର ପ୍ଲାନ କଣ

ନୂଆଦିଲ୍ଲୀ: ଗୁଜରାଟ ପାଟିଦାର ନେତା ହାର୍ଦ୍ଦିକ ପଟେଲ୍ ଗୁରୁବାର ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ୍ ହେବାକୁ ଯାଉଛନ୍ତି। ସେ ବିଜେପିରେ ଯୋଗ ଦେବା ପୂର୍ବରୁ ନିଜର ଯୋଜନା ସଭିଙ୍କ ସାମ୍ନାରେ ରଖିଛନ୍ତି। ପଟେଲ ସଙ୍କେତ ଦେଇଛନ୍ତି ଯେ, ସେ କଂଗ୍ରେସରେ ଅସନ୍ତୁଷ୍ଟ ଥିବା ନେତାଙ୍କୁ ବିଜେପିରେ ସାମିଲ୍ କରାଇବେ। କଂଗ୍ରେସ ସହ ଲମ୍ବା ସମୟ ଧରି ଚାଲିଥିବା ଅସନ୍ତୋଷ ପରେ ପଟେଲ୍ ଦଳରୁ ଇସ୍ତଫା ଦେଇଥିଲେ। ସେ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଚିଠି ଲେଖିଥିଲେ।

ଗୁରୁବାର ଅହମ୍ମଦାବାଦରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ହାର୍ଦ୍ଦିକ ପଟେଲ୍ କହିଛନ୍ତି, ଆଜି ମୁଁ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ମୁଁ ଜଣେ ଛୋଟ ସିପାହୀ ଭାବେ କାମ କରିବି। ଆମେ ପ୍ରତି ୧୦ ଦିନରେ ଗୋଟିଏ କାର‌୍ୟ୍ୟକ୍ରମ କରିବୁ ଏବଂ ଏଥିରେ ବିଧାୟକ ସମେତ କଂଗ୍ରେସ ପ୍ରତି ଅସନ୍ତୁଷ୍ଟ ଥିବା ନେତାଙ୍କୁ ବିଜେପିରେ ଯୋଗ ଦେବାକୁ କହିବୁ। ହାର୍ଦ୍ଦିକଙ୍କ ଦଳରେ ସ୍ଵାଗତ ପାଇଁ ରାଜଧାନୀ ଗାନ୍ଧିନଗରରେ ବିଜେପି କାର‌୍ୟ୍ୟାଳୟ ବାହାରେ ପ୍ରସ୍ତୁତି ଚାଲିଛି।

ସେ ଗୁରୁବାର ଟୁଇଟ୍ କରିଛନ୍ତି ଯେ, ରାଷ୍ଟ୍ରହିତ, ରାଜ୍ୟହିତ, ଜନହିତ ଏବଂ ସମାଜ ହିତର ଭାବନା ସହିତ ଆଜିଠୁ ନୂତନ ଆରମ୍ଭ କରିବାକୁ ଯାଉଛି। ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ଵରେ ଚାଲିଥିବା ରାଷ୍ଟ୍ର ସେବାରେ ଛୋଟ ସିପାହୀ ଭାବେ ମୁଁ କାମ କରିବି।

ପାଟିଦାର ନେତା କଂଗ୍ରେସ ନେତୃତ୍ଵଙ୍କଠୁ ନେଇ ଗୁଜରାଟ କଂଗ୍ରେସର କାମ କରିବା ଶୈଳୀରେ ଅସନ୍ତୁଷ୍ଟ ଥିଲେ। ସେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ଅଣଦେଖା କରିବାର ଆରୋପ ଲଗାଇଥିଲେ। ସେ କହିଥିଲେ, ରାଜ୍ୟର ନେତା ଏସି ରୁମରେ ବସି ତାଙ୍କ କାମରେ ବାଧା ଦେଉଛନ୍ତି। ୨୦୨୯ରେ କଂଗ୍ରେସରେ ଯୋଗ ଦେବା ପରେ ୨୦୨୦ରୁ ସେ ଗୁଜରାଟ ରାଜ୍ୟ କଂଗ୍ରେସର କାର‌୍ୟ୍ୟକାରୀ ସଭାପତି ଦାୟିତ୍ଵ ତୁଲାଉଥିଲେ।