fbpx

ବିଜେପିରୁ ନିଲମ୍ବିତ ନୂପୁର ଶର୍ମାଙ୍କୁ ଦିଲ୍ଲୀ ପୋଲିସ ଦେଲା ସୁରକ୍ଷା, ଜୀବନରୁ ମାରି ଦେବାକୁ ମିଳୁଛି ଧମକ

ନୂଆଦିଲ୍ଲୀ: ପୈଗମ୍ବର ମହମ୍ମଦଙ୍କ ଉପରେ ଏକ ଟେଲିଭିଜନର ବିତର୍କ କାର‌୍ୟ୍ୟକ୍ରମ ସମୟରେ ବିବାଦୀୟ ବୟାନ ଦେଇ ବିବାଦରେ ଥିବା ନୂପୁର ଶର୍ମା ଏବଂ ତାଙ୍କ ପରିବାରକୁ ଦିଲ୍ଲୀ ପୋଲିସ ସୁରକ୍ଷା ଯୋଗାଇଛି। ପୈଗମ୍ବର ମହମ୍ମଦଙ୍କ ପ୍ରତି କଟୁ ଟିପ୍ପଣୀ ପରେ ନୂପୁର ଏବଂ ତାଙ୍କ ପରିବାରକୁ ଜୀବନରୁ ମାରି ଦେବାକୁ ଧମକ ମିଳୁଥିଲା। ଏହା ପରେ ପୋଲିସ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେଇଛି। ଦିଲ୍ଲୀ ପୋଲିସ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି।

ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଅନେକ ମୁଲସିମ ଦେଶ ଭାରତ ପ୍ରତି କଡା ଆପତ୍ତି ପ୍ରକାଶ କରିଛନ୍ତି। ଏହା ବର୍ତ୍ତମାନ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟି ଯାଇଛି। ଭାରତର କାନପୁର ପରି ସହରରେ ମୁସଲିମ ସମୁଦାୟ ସଡକକୁ ଓହ୍ଲାଇ ଆସିଛନ୍ତି। ଅନେକ ଦେଶ ତ ଟୁଇଟରରେ ଅଭିଯାନ ଚଳାଇବା ଆରମ୍ଭ କରି ଦେଇଛନ୍ତି। ଭାରତୀୟ ସାମଗ୍ରୀର ବହିଷ୍କାର ଦାବି ଉଠିଲାଣି। ସାଉଦି ଆରବ, କାତାର, ଓମାନ, ଜୋର୍ଡାନ, ୟୁଏଇ ଏବଂ ଇରାନ ସମେତ ମୋଟ୍ ୧୫ ଦେଶ ଏପର‌୍ୟ୍ୟନ୍ତ ଏହି ପ୍ରସଙ୍ଗରେ ଭାରତ ନିକଟରେ ଆପତ୍ତି ଉଠାଇ ସାରିଛନ୍ତି।

ଅନେକ ଦେଶ ତ ଭାରତୀୟ ରାଜଦୂତଙ୍କୁ ତଲବ କରି ବିରୋଧ ପ୍ରକାଶ କରିଛନ୍ତି। ଆରବ ଦେଶଗୁଡିକରେ ବିରୋଧ ବଢିବା ପରେ ବିଜେପି ନୂପୁର ଶର୍ମାଙ୍କୁ ରବିବାର ପାର୍ଟିରୁ ନିଲମ୍ବିତ କରିଛି। ନୂପୁର ଶର୍ମା ନୂଆଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ। ଦିଲ୍ଲୀ ବିଶ୍ଵ ବିଦ୍ୟାଳୟ ଛାତ୍ର ସଂଘର ସଭାପତି ରହିଥିବା ନୂପୁର କେଜ୍ରିଓ୍ଵାଲଙ୍କ ବିରୋଧରେ ମଇଦାନକୁ ଓହ୍ଲାଇବା ପରେ ଚର୍ଚ୍ଚାର ପରିଧିକୁ ଆସିଥିଲେ। ଏହା ପରେ ଲଗାତାର ତାଙ୍କର ପତିଆରା ବଢିବାରେ ଲାଗିଥିଲା। ପରବର୍ତ୍ତୀ ସମୟରେ ସେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ହୋଇଥିଲେ। ହେଲେ ପୈଗମ୍ବର ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ପରେ ସୃଷ୍ଟି ବିବାଦ କାରଣରୁ ଏବେ ତାଙ୍କର ରାଜନୈତିକ କ୍ୟାରିୟର ଦୋଛକିରେ ପଡି ଯାଇଛି।

Get real time updates directly on you device, subscribe now.