fbpx

ଚାପ ପରେ ମତ ବଦଳାଇଲେ କି ଅବକାରୀ ଇନ୍ସପେକ୍ଟର? କହିଲେ – ‘ମୁଁ ଜଣେ ମାନସିକ ରୋଗୀ’

ପୁରୀ(ଓଡ଼ିଶା ଭାସ୍କର): ପୁରୀ ପୋଲିସ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିବା ପରେ ୫ ଦିନିଆ ଛୁଟିରେ ଯାଇଛନ୍ତି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା । ସଞ୍ଜୟଙ୍କ ଛୁଟିକୁ ନେଇ ସନ୍ଦେହ ପ୍ରକାଶ ପାଇଥିବା ବେଳେ ସେ ଏବେ ଏକ ଭିଡିଓ ଜାରି କରିଛନ୍ତି । ଛୁଟି ମାଗିବା ପରେ ସଞ୍ଜୟ ଭିଡିଓରେ କହିଛନ୍ତି ଯେ, ‘ମୁଁ ଜଣେ ମାନସିକ ରୋଗୀ । କରୋନା ପରଠୁ ୨୦୨୦ରୁ ମୁଁ ମାନସିକ ସ୍ତରରେ ଅସୁସ୍ଥ ଅଛି । ଔଷଧ ଖାଉଥିଲି, କିନ୍ତୁ ମାସେ ହେଲାଣି ଔଷକ୍ଷ ଛାଡ଼ି ଦେଇଥିଲି । ମୁଁ ବହୁତ ଭଲ ପିଲା, ମୋ ଅଧିକ୍ଷକଙ୍କୁ ସମ୍ମାନ ଦିଏ । ମୁଁ ଯାହା କହିଛି ଭୁଲ କହିଛି । ମତେ କ୍ଷମା କରାଯାଉ । ପୋଲିସକୁ ସମ୍ମାନ ଦିଏ । ପୋଲିସ ବହୁତ ଭଲ କାମ କରୁଛି । ମୋ ପାଟିରୁ ଭୁଲରେ ବାହାରି ଯାଇଛି, ମୁଁ ଜଣେ ମାନସିକ ରୋଗୀ ।’

ତେବେ ଚାପ ପରେ ସଞ୍ଜୟ କୁମାର ପଣ୍ଡା ମତ ବଦଳାଇଲେ ବୋଲି ସନ୍ଦେହ କରାଯାଉଛି । ଚିଠି ହଟଚମଟ ପରେ ସଞ୍ଜୟଙ୍କ ଏହି ଭିଡିଓକୁ ଦେଖି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ଭିଡିଓଟି ସଞ୍ଜୟ ନିଜ ଇଚ୍ଛାରେ କରିଛନ୍ତି ନା କାହା ଚାପରେ କରିଛନ୍ତି, ତାହା ଅସ୍ପଷ୍ଟ ରହିଛି ।

ସୂଚନା ଅନୁସାରେ, ପୁରୀ ପୋଲିସ ମାସିକିଆ ବଟି ନେଉଥିବା ନେଇ ଅବକାରୀ ଇନ୍ସପେକ୍ଟର ସଞ୍ଜୟ ପଣ୍ଡା ଅଭିଯୋଗ କରିଥିଲେ । ଅବକାରୀ କମିଶନଙ୍କୁ ଚିଠି ଲେଖି ସେ ଖୁଲମଖୁଲା ଅଭିଯୋଗ କରିଥିଲେ । କାଲିର ଅଭିଯୋଗ ପରେ ଆସନ୍ତା ୯ରୁ ୧୫ ତାରିଖ ଯାଏଁ ଛୁଟିରେ ରହିବାକୁ ସେ ଅନୁମତି ମାଗିଛନ୍ତି । ଏହା ସହ ହେଡକ୍ୱାର୍ଟର ଛାଡ଼ିବାକୁ ଅନୁମତି ଦେବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ପୋଲିସ ବିରୋଧରେ ଅଭିଯୋଗ ପରେ ଛୁଟିକୁ ନେଇ ଚର୍ଚ୍ଚା ବଢ଼ିଛି ।

ସେ ଅଭିଯୋଗ କରିଥିଲେ ଯେ, ‘ନିଶା ମାଫିଆଙ୍କଠାରୁ ମାସିକିଆ ବଟି ନେଉଛି ପୁରୀ ପୋଲିସ, ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି । ଆମ ଏକ୍ସସାଇଜ ଡିପାର୍ଟମେଣ୍ଟରେ ଷ୍ଟାଫ୍ ବହୁତ କମ୍ ଅଛନ୍ତି । ପୁରୀ ଜିଲ୍ଲାରେ ଅବକାରୀ ବିଭାଗର ମାତ୍ର ୨ଟି ଗାଡ଼ି, ୨୦ରୁ ୨୫ କର୍ମଚାରୀ ଅଛନ୍ତି । ପୋଲିସ ଚାହିଁଲେ ବିଭିନ୍ନ ଅଞ୍ଚଳରେ ନିଶା କାରବାର ରୋକିପାରନ୍ତା । ପୋଲିସକୁ ମଧ୍ୟ ଆମ ଭଳି ଅବକାରୀ କ୍ଷମତା ଦିଆଯାଇଛି । ପୋଲିସ କିନ୍ତୁ ସେହି କ୍ଷମତାର ଅପବ୍ୟବହାର କରୁଛି ।’

Get real time updates directly on you device, subscribe now.