fbpx

ପୁଣି ଚିତ୍ରକୋଣ୍ଡାରେ ମାଓ ପୋଷ୍ଟର: ପୋଲିସକୁ ମିଳିଲା ମୃତ୍ୟୁଦଣ୍ଡ ଧମକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଦିନ ପରେ ପୁଣି ଥରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର । ଚିତ୍ରକୋଣ୍ଡାର ଟନେଲ କ୍ୟାମ୍ପ ନିକଟରେ ଲାଗିଛି ଏହି ପୋଷ୍ଟର । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଦଣ୍ଡକାରଣ୍ୟ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲାଗିଥିବା ଜଣାପଡ଼ିଛି । ମିତ୍ତଲ କମ୍ପାନୀ ଦ୍ୱାରା କରାଯାଉଥିବା ପାଇପ୍ ଲାଇନ୍ କାର୍ଯ୍ୟକୁ ବିରୋଧ କରାଯାଉଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି ।

ପୋଲିସ ଗଞ୍ଜେଇ ଗଛ କାଟିବା ଓ ଚୋରା ଚାଲାଣ ବନ୍ଦ ନାମରେ ନିରୀହ ଆଦିବାସୀଙ୍କ ଉପରେ ଅତ୍ୟାଚାର କରୁଛି । ପୋଲିସ ଏହି କାର୍ଯ୍ୟ ବନ୍ଦ ନକଲେ ପ୍ରଜା କୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ । ଲାଲବାହିନୀ ଦ୍ୱାରା ଏପରି ଧମକ ଦିଆଯାଇଥିବା ପୋଷ୍ଟରେ ଉଲ୍ଲେଖ ରହିଛି ।

ନିକଟରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ ଜିଲ୍ଲା ଗସ୍ତରେ ଆସି ମାଓ ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଥିଲେ । ତେବେ ଜିଜିଙ୍କ ଗସ୍ତ ପରେ ପରେ ମାଓ ପୋଷ୍ଟର ଲାଗିବା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁସୁମପୁର ହାତୀଗାଁ ରାସ୍ତାରେ ମାଓ ପୋଷ୍ଟର ଲାଗିଥିଲା । ଜଙ୍ଗଲ କଟାକୁ ବିରୋଧ କରି ମେନପୁର ନୂଆପଡ଼ା ଡିଭିଜନ ତରଫରୁ ଉକ୍ତ ମାଓ ପୋଷ୍ଟର ଲଗାଯାଇଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.