fbpx

କରୋନା ଲକ୍-ଡାଉନ୍: ଘରକୁ ଚାଲି-ଚାଲି ଆସୁଥିଲା ଯୁବକ, ୨୦୦ କିଲୋମିଟର ପରେ ଉଡିଗଲା ପ୍ରାଣବାୟୁ

ଆଗ୍ରା,୨୯ ।୩: କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ୨୧ ଦିନ ପାଇଁ ଲକ୍-ଡାଉନ୍ ଘୋଷଣା ହୋଇଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶରୁ ଏକ ହୃଦୟ ବିଦାରକ ଖବର ଆସିଛି । ଏଠାରେ ଜଣେ ୩୮ ବର୍ଷ ବୟସ୍କ ବ୍ୟକ୍ତି ଚାଲି ଚାଲି ଆସିବା ପରେ ଜୀବନ ହାରିଛନ୍ତି । ୨୦୦ କିଲୋମିଟର ଚାଲିବା ପରେ ରଣବୀର ନାମକ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ତେବେ ରଣବୀର ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ । ରେଷ୍ଟୁରାଣ୍ଟ ବନ୍ଦ ହେବା କାରଣରୁ ସେ ନିଜ ଗାଁକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ଲକ୍-ଡାଉନ୍ ଯୋଗୁଁ ସମସ୍ତ ବସ୍, ଟ୍ରେନ୍ ବନ୍ଦ ଥିବାରୁ ସେ ପାଦରେ ଚାଲି-ଚାଲି ଗାଁକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମିଳିଥିବା ରିପୋର୍ଟ ମୁତାବକ, ରଣବୀର ଦିଲ୍ଲୀରୁ ଗାଁ ଯାଉଥିବା ବେଳେ ଆଗ୍ରାରେ ପହଞ୍ଚିଥିଲେ । ସେଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଆଜି ସକାଳ ୬,୩୦ ସମୟରେ ସିକନ୍ଦର ପୋଲିସ ଷ୍ଟେସନ ଅଞ୍ଚଳ ରାସ୍ତାରେ କଡରେ ତାଙ୍କର ମୃତ୍ୟୁ ଘଟିଥିଲା । ଭୋକ, ଶୋଷ ଯୋଗୁଁ ମୃତ୍ୟୁ ହୋଇଛି ବୋଲି ତାଙ୍କ ସମ୍ପର୍କୀୟ କହିଥିବା ବେଳେ ହୃଦଘାତରୁ ମୃତ୍ୟୁ ହୋଇଥିବା ପୋଲିସ କହିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣାପଡିବ ।

Get real time updates directly on you device, subscribe now.