ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ହାତରୁ ୭ ଓ୍ଵିକେଟରେ ପରାସ୍ତ ହୋଇଛି। ଏହି ମ୍ୟାଚରେ ଓପନର ଇଶାନ କିଷନ ୭୬ ରନର ଦମଦାର ଇନିଂସ ଖେଳିଛନ୍ତି। ତଥାପି ଦଳ ପରାଜୟରୁ ବର୍ତ୍ତି ପାରି ନାହିଁ। ଏହା ପରେ ତାଙ୍କୁ ଭାରତୀୟ ଦଳର ପ୍ରଥମ ପସନ୍ଦର ଓପନିଂ ଯୋଡି ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଇଶାନ କହିଛନ୍ତି ଯେ, ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ପରି ଦିଗଜ ବ୍ୟାଟସମ୍ୟାନଙ୍କ ସ୍ଥାନରେ ନିଜକୁ ପ୍ରଥମ ପସନ୍ଦର ଓପନ ଭାବେ ଦେଖିବା ଏବଂ ସେହି ବିଷୟରେ ଚିନ୍ତା କରିବା ହାସ୍ୟାସ୍ପଦ କଥା।
ଇଶାନ କିଷନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରୋହିତ ଏବଂ ରାହୁଲ ବିଶ୍ଵସ୍ତରୀୟ ଖେଳାଳି। ଦୁଇ ଖେଳାଳି ଯେବେ ଦଳରେ ରହିବେ ମୁଁ ଓପନର ପାଇଁ ସ୍ଥାନ ମାଗିବି ନାହିଁ। ମୋର କାମ ଅଭ୍ୟାସ ସେସନରେ ଉନ୍ନତ ପ୍ରଦର୍ଶନ କରିବା। ଯେବେ ମୋତେ ସୁଯୋଗ ମିଳିବ ନିଜକୁ ସାବ୍ୟସ୍ତ କରିବା ସହ ଦଳ ପାଇଁ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି। ଏଥିପାଇଁ ମୋର ପୂରା ଧ୍ୟାନ ମୋ ଖେଳ ଉପରେ ରହିଛି। ମୁଁ ଏହା ଉପରେ ଧ୍ୟାନ ଦେଉଛି ଯେ, ମୋତେ କଣ କରିବା ଉଚିତ୍।
ସେ କହିଛନ୍ତି, ରୋହିତ ଏବଂ ରାହୁଲ ଆମ ଦେଶ ପାଇଁ ଏତେ ରନ କରିଛନ୍ତି ଯେ, ମୁଁ ତାଙ୍କୁ କହି ପାରିବି ନାହିଁ ଯେ ମୋ ପାଇଁ ନିଜକୁ ଦଳରୁ ଡ୍ରପ କରି ମୋତେ ଓପନର ଭାବେ ସୁଯୋଗ ଦିଅନ୍ତୁ। ମୋତେ ମୋ ନିଜ କାମ କରିବାର ଅଛି। ଏହା ଚୟନକର୍ତ୍ତା ଏବଂ କୋଚଙ୍କ ଉପରେ ନିର୍ଭର କରେ ଯେ, ସେମାନେ କଣ ଚିନ୍ତା କରୁଛନ୍ତି ? ମୋର କାମ ସୁଯୋଗ ମିଳିଲେ ଭଲ ପ୍ରଦର୍ଶନ କରି ଏହାର ଫାଇଦା ଉଠାଇବା।