ଏବେ ଜାମା ମସଜିଦରେ ନୂପୁର ଶର୍ମାଙ୍କ ବିରୋଧରେ ପ୍ରଦର୍ଶନ, ନମାଜ ପରେ ନାରାବାଜି

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ଆଶାଳୀନ ମନ୍ତ୍ୟବ ଦେଇଥିବା ନୂପୁର ଶର୍ମାଙ୍କ ବିରୋଧରେ ଦିଲ୍ଲୀର ଜାମା ମସଜିଦରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ମୁସଲିମ ସମୁଦାୟର ଲୋକେ ନମାଜ ପାଠ ପରେ ବିରୋଧ ପ୍ରଦର୍ଶନ କରିବା ସହ ନାରାବାଜି କରିଛନ୍ତି। ବହୁ ସଂଖ୍ୟାରେ ଲୋକେ ନୂପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କ ଫଟୋ ଥିବା ବ୍ୟାନର ଏବଂ ପୋଷ୍ଟର ସହ ଜାମା ମସଜିଦରେ ପହଞ୍ଚିଥିଲେ। ଏହି ପ୍ରଦର୍ଶନ ପରେ ଦିଲ୍ଲୀ ପୋଲିସ ସତର୍କ ହେବା ସହ ପ୍ରଦର୍ଶନକାରୀଙ୍କୁ ବୁଝାଇ ସୁଝାଇ ଘରକୁ ପଠାଇବାକୁ ଚେଷ୍ଟା ଚଳାଇଛି।

ଏକ ଟିଭି ଚ୍ୟାନେଲରେ ବିତର୍କ ସମୟରେ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ବୟାନକୁ ନେଇ ସୃଷ୍ଟି ହୋଇଥିବା ଝଡ ଥମିବାର ନାଁ ଧରୁନାହିଁ। ଉପ ସାଗରୀୟ ମୁସଲିମ ବହୁଳ ଦେଶ ଭାରତର ରାଷ୍ଟ୍ରଦୂତଙ୍କୁ ତଲବ କରି ନିଜର ଆପତ୍ତି ଜାହିର କରି ସାରିଛନ୍ତି। ଏହି ମାମଲାରେ ମୁସଲିମ ଦେଶଗୁଡିକ ସହିତ ଭାରତର ଦ୍ଵିପାକ୍ଷିକ ସଂପର୍କ ପ୍ରଭାବିତ ହୋଇଛି। ଏପରିକି ଅଲକାଏଦା ପରି ଆତଙ୍କୀ ସଂଗଠନ ଭାରତର ଅନେକ ସହରରେ ଆକ୍ରମଣ କରିବାକୁ ଧମକ ଦେଇଛି।

ନୂପୁର ଶର୍ମା ଏବଂ ତାଙ୍କ ପରିବାରକୁ ଧମକ ପରେ ଧମକ ମିଳି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ନୂପୁର ଶର୍ମାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। କେବଳ ଏତିକି ନୁହେଁ ଏହି ମାମଲା ମିଳିତ ଜାତିସଂଘ ପର‌୍ୟ୍ୟନ୍ତ ପହଞ୍ଚି ଯାଇଛି। ୧୫ରୁ ଅଧିକ ମୁସଲିମ ଦେଶ ଭାରତର ନିନ୍ଦା କରିଛନ୍ତି। ବିଜେପି ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିବା ସହ ଦିଲ୍ଲୀ ମିଡିଆ ସେଲର ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ବହିଷ୍କାର କରିଛି।