fbpx

ଅନୁଭବ-ବର୍ଷା ବିବାଦ: ଷ୍ଟାର ଦମ୍ପତିଙ୍କ କଳହରେ ଆସିଲା ପୁଣି ନୂଆ ଟ୍ୱିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିନେ ତାରକା ତଥା ରାଜନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦାମ୍ପତ୍ୟ କଳହରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ଯୋଡ଼ି ହେବାରେ ଲାଗିଛି । ତେବେ ବର୍ଷା ତାଙ୍କର ସ୍ୱାମୀ ଅନୁଭବଙ୍କ ନାମରେ ପୁଣି କେସ୍ ଦାୟର କରିଥିବା ଜଣାପଡ଼ିଛି । କଟକ ସବ୍-ଡିଭିଜିନାଲ ଜୁଡିସିଆଲ ମାଜିଷ୍ଟ୍ରେଟ (ଏସଡିଜେଏମ୍) କୋର୍ଟରେ ବର୍ଷା ଏକ କମ୍ପେ୍ଲନ୍ କେସ୍ ରୁଜୁ କରିଥିବା ଜଣାପଡ଼ିଛି । ଅନୁଭବଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ତାଙ୍କର ସମ୍ମାନ ହାନୀ କରୁଥିବାରୁ ବର୍ଷା କେସ୍ ଦାୟର କରିଥିବା ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଅନୁଭବ ଓ ବର୍ଷା ପରସ୍ପର ବିରୋଧରେ ସୋସିଆଲ ମିଡ଼ିଆରେ ଭିଡିଓ ପୋଷ୍ଟ ନ କରିବାକୁ ଓଡ଼ିଶା ହାଇକୋର୍ଟ ଉଭୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୪ ତାରିଖରେ କରିବାକୁ ଦିନ ଧାର୍ଯ୍ୟ କରିଥିଲେ । ଅନ୍ୟପଟେ ଅନୁଭବଙ୍କ ବାପା-ମାଆଙ୍କ ଅସୁସ୍ଥତା କାରଣରୁ ବର୍ଷାଙ୍କୁ ଘର ଛାଡ଼ିବାକୁ ଅଭିନେତା ଆବେଦନ କରିଥିଲେ ।

ତେଣୁ ଅନୁଭବଙ୍କ ପିଟିସନକୁ ଗ୍ରହଣ କରି ବର୍ଷାଙ୍କୁ ଘର ଛାଡ଼ିବାକୁ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକୁ ଗ୍ରହଣ କରି ବର୍ଷାଙ୍କ ଆକାଉଣ୍ଟରେ ଅନୁଭବ ଗତ ୩ ତାରିଖ ୩୦ ହଜାର ଟଙ୍କା ଡିପୋଜିଟ୍ କରିଥିଲେ । ଗତ ୭ ତାରିଖରେ ଅନୁଭବ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଅପଲୋଡ୍ କରିଥିଲେ । ‘ମୁଁ ମଲା ଲୋକ ଭଳି ବଞ୍ଚିଛି, ମୁଁ ମରିବାକୁ ଭୟ କରୁନାହିଁ, ମୋତେ ଡରାଅ ନାହିଁ’ ବୋଲି ଅନୁଭବ ୟୁଟ୍ୟୁବରେ ଅପଲୋଡ୍ ହୋଇଥିବା ଉକ୍ତ ଭିଡିଓରେ କହିଥିଲେ ।

Get real time updates directly on you device, subscribe now.