‘ମୋ ନାମ ନେଲେ ସାରା ଦିନ ଖାଇବାକୁ ମିଳିବ ନାହିଁ’: କାହିଁକି ଏମିତି କହିଥିଲେ ବୀର ବଜରଙ୍ଗୀ

ଲଙ୍କାଗଡରେ ପହଞ୍ଚିବା ପରେ ବିଭୀଷଣଙ୍କୁ ଦେଖା କରିବା ପାଇଁ ବ୍ରାହ୍ମଣ ବେଶ ଧାରଣ କରିଥିଲେ ବୀର ହନୁମାନ । ଦୁଆରେ ଭକ୍ତ ଶ୍ରେଷ୍ଠ ମହାବୀରଙ୍କୁ ଦେଖି ବିଭୀଷଣ ମଧ୍ୟ ଅତି ସମ୍ମାନର ସହ ତାଙ୍କୁ ଭିତରକୁ ପାଛୋଟି ନେଇଥିଲେ । କୃତାର୍ଥ ଆଖିରେ ହନୁମାନଙ୍କୁ ଚାହିଁ ବିଭୀଷଣ କହିଲେ, ହେ ମହାତ୍ମା, ଆପଣ କେଉଁ ହରି ଭକ୍ତ କିମ୍ବା ଆପଣ ହିଁ ନିଜେ ଦିନ ଦୁଃଖୀ ଦରିଦ୍ରଙ୍କ ଭଗବାନ ପ୍ରଭୂ ଶ୍ରୀରାମଚନ୍ଦ୍ର । ଯିଏ ମୋ ଭଳି ଜଣେ ଭକ୍ତକୁ ଦର୍ଶନ ଦେଇ ମୋତେ ଧନ୍ୟ କରିବା ପାଇଁ ଆସିଛନ୍ତି । ଏହା କହି ହନୁମାନଙ୍କୁ ଆସିବାର କାରଣ ପଚାରିଲେ ବିଭୀଷଣ ।

ବିଭୀଷଣଙ୍କ ଏମିତି କଥା ଶୁଣି ସମ୍ପୂର୍ଣ୍ଣ କାହାଣୀ ବିସ୍ତାର ଭାବେ ବୁଝାଇ ଦେଲେ ରାମଦୂତ ହନୁମାନ । ଉଭୟଙ୍କର ଆଳାପ ଭିତରେ ପ୍ରଭୂ ଶ୍ରୀରାମଙ୍କ ଭକ୍ତିରେ ଲୀନ ହୋଇଯାଇଥିଲେ ଉଭୟ ଭକ୍ତ । ଏହାପରେ ହନୁମାନ ଏତିକି କହନ୍ତେ ଲୋତକଭରା ଆଖିରେ ବିଭୀଷଣ କହିଲେ, “ହେ ପବନପୁତ୍ର, ମୁଁ ଏହି ଦିନକୁ ଅପେକ୍ଷା କରିଥିଲି । କେବେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ କୃପା ମୋ ଉପରେ ପଡିବ । କେବେ ମୋତେ ସେ ଆଦରି ନେବେ ।’ ସେ ଆହୁରି କହିଥିଲେ ଯେ, ରାକ୍ଷସ କୂଳର ହୋଇଥିବାରୁ ଶରୀରରେ କିମ୍ବା ମନରେ ମଧ୍ୟ କିଛି ସୃଷ୍ଟି ହୋଇପାରିନଥାଏ । କେବଳ ଶ୍ରୀରାମଚନ୍ଦ୍ରଙ୍କ ପାଦତଳେ ଅଗାଢ ପ୍ରେମ ହିଁ ରହିଥାଏ । ତଥାପି ଦଶରଥ ନନ୍ଦନଙ୍କ ପ୍ରତି ମୋର ପ୍ରେମ ଆଉ ବିଶ୍ୱାସ ରହିଛି । ବୋଧହୁଏ ଏଥିପାଇଁ ଶ୍ରୀରାମଚନ୍ଦ୍ର ସ୍ୱୟଂ ଆପଣଙ୍କୁ ମୋ ପାଖକୁ ପଠାଇଛନ୍ତି । ନଚେତ ହରିଙ୍କ ବିନା କୃପାରେ ଆପଣଙ୍କ ଭଳି ସନ୍ଥ ମିଳିବା ସମ୍ଭବ ନୁହେଁ ।

ଏହା ଶୁଣି ହନୁମାନ କହିଲେ, ହେ ବିଭୀଷଣ ଭଗବାନ ଶ୍ରୀରାମଙ୍କର ଏହାହିଁ ରୀତି । ଭକ୍ତ ଏବଂ ସେବକମାନଙ୍କ ପାଇଁ ସେ ସର୍ବଦା ଚିନ୍ତା କରନ୍ତି ଏବଂ ସେମାନଙ୍କୁ ଖୁବ ଭଲ ପାଆନ୍ତି । ବିଭୀଷଣଙ୍କୁ ଏହା ବୁଝାଇ ହନୁମାନ କହିଲେ, ମୁଁ ବି କେଉଁ ଉଚ୍ଚ କୂଳର ନୁହେଁ, ମୁଁ ମଧ୍ୟ ବାନର ଜାତିର ଏବଂ ପ୍ରତ୍ୟେକ କ୍ଷେତ୍ରରେ ନୀଚ ଅଟେ । ଏପରିକି ସକାଳୁ ଆମ ନାମ ନେଲେ ସାରା ଦିନ କେହି ଖାଦ୍ୟ ମଧ୍ୟ ଲାଭ କରନ୍ତି ନାହିଁ । ଏପରି ଜଣେ ଅଧମ ହେବା ପରେ ମଧ୍ୟ ପ୍ରଭୂ ଶ୍ରୀରାମଚନ୍ଦ୍ର ମୋ ଉପରେ କୃପା କରିଛନ୍ତି । ଏପରିଭାବରେ ଶ୍ରୀରାମଙ୍କ ଗୁଣଗାନ କରି ଉଭୟଙ୍କ ନୟନରୁ ପ୍ରଭୂଙ୍କ ଭକ୍ତିର ଅଶ୍ରୁ ଝରି ଯାଇଛି ।