fbpx

ଟଙ୍କା ଦିଅ, ଶିଶୁ ପୁତ୍ରକୁ ନିଅ: ବିଲ ପାଇଁ ହଜିଗଲା ନବଜାତର ଚିହ୍ନ

ରାୟଗଡା: ରାୟଗଡାରେ ମା ଛେଉଣ୍ଡ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉଠିଛି ଝଡ । ଗାଁର ରାଇସିଂଙ୍କ ପତ୍ନୀ କିଛି ଦିନ ପୂର୍ବେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇ ପ୍ରାଣ ହରାଇଥିଲେ । ଶିଶୁପୁତ୍ରଙ୍କ ଅବସ୍ଥା ବି ଠିକ ନଥିଲା । ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଏଏନଏମଙ୍କ ନିର୍ଦ୍ଦେଶକ୍ରମେ ରାୟଗଡାରେ ଥିବା ଏକ ନର୍ସିଂହୋମକୁ ହସ୍ତାନ୍ତର କରିଥିଲେ ଗ୍ରାମବାସୀ ।

ସୁସ୍ଥ ହେବା ପରେ ପିଲାଟିକୁ ଆଣିବାକୁ ରାଇସିଂଙ୍କ ସମେତ ଗ୍ରାମବାସୀ ଯାଇ ପହଂଚିଥିଲେ ନର୍ସିଂହୋମରେ । କିନ୍ତୁ ଏହା ପରେ ଜୁଲମ ଦେଖାଇଥିଲେ ନର୍ସିଂହୋମ କର୍ତ୍ତୃପକ୍ଷ । ଦୁଇ ଦିନ ଭିତରେ ୩୭ହଜାର ୫୦୦ ଦେଇ ପିଲାକୁ ନେଇଯିବା ପାଇଁ ଧମକ ଦେଇଥିଲେ । ନଚେତ୍ ପିଲା କଥା ଭୁଲି ଯାଅ କହି ରୋକଠୋକ ଶୁଣାଇଦେଲେ କ୍ଲିନିକ କର୍ତ୍ତୃପକ୍ଷ । ତେବେ ଏହି ସର୍ତ୍ତ ଆଗରେ ହାର ମାନିଚି ଗରିବୀ । ଏତେ ଟଙ୍କା ଯୋଗାଡ କରିବା ରାଇସିଂଙ୍କ ପକ୍ଷେ ସମ୍ଭବ ନଥିଲା । ଫଳରେ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା । ଏପରିକି ଘଟଣାକୁ ୨ମାସରୁ ଉଦ୍ଧ୍ୱର୍ ସମୟ ବିତିଗଲା । ଏନେଇ ଖବର ପ୍ରସାରଣ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିଛି ।

ଶିଶୁଟିର ମୃତ୍ୟୁ ହୋଇସାରିଛି ଏବଂ ଆମେ ତାକୁ ଡିସପୋଜ କରିଦେଇଛୁ କହି ଟାଳିଦେଲେ ନର୍ସିଂହୋମ କର୍ତ୍ତୃପକ୍ଷ । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଯଦି ଶିଶୁଟିର ମୃତ୍ୟୁ ହେଲା ତେବେ ପରିବାର ଓ ଗ୍ରାମବାସୀଙ୍କୁ ଖବର ଦିଆଗଲା ନାହିଁ କାହିଁକି? ଯଦି ଫୋନ ନଲାଗିଲା ତାହେଲେ ସିଡିପିଓଙ୍କୁ କଣ ପାଇଁ ଜଣାଇ ଦିଆଗଲା ନାହିଁ ? ଶିଶୁଟିର ମୃତ୍ୟୁ ହୋଇଛି ନା ତାକୁ ମାରିଦିଆଯାଇଛି ନାଁ କେଉଁଠି ବିକ୍ରି କରି ଦିଆଯାଇଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.