fbpx

ରାଜ୍ୟରେ ଆରମ୍ଭ ହେବ କୁଷ୍ଠ, ଯକ୍ଷ୍ମା, ଡେଙ୍ଗୁ, କୋଭିଡ୍, ମ୍ୟାଲେରିଆ ଓ ଡାଇରିଆ ରୋଗୀ ଚିହ୍ନଟ ଅଭିଯାନ: ସମସ୍ତ ଜିଲ୍ଲାପାଳଙ୍କୁ ଏନଏଚଏମର ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ରୋଗୀ ଚିହ୍ନଟ ଅଭିଯାନ । ଏଥିପାଇଁ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଇଣ୍ଟିଗ୍ରେଟେଡ୍ ଯକ୍ଷ୍ମା, କୁଷ୍ଠ, କୋଭିଡ୍, ଡେଙ୍ଗୁ, ଡାଇରିଆ, ମ୍ୟାଲେରିଆ ରୋଗୀ ଚିହ୍ନଟ ଅଭିଯାନ । ଏହି କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ଚାଲିବ । ଆଶାକର୍ମୀମାନେ ଘରକୁ ଘର ବୁଲି ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜିବେ ଓ ସଚେତନ କରାଇବେ ।

ତେବେ ଏହି କାର୍ଯ୍ୟକ୍ରମ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ତରଫରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି । ପୂର୍ବରୁ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପରି ଅଭିଯାନ ସଫଳ ହୋଇଥିଲା । ତେବେ ଆଶାକର୍ମୀମାନେ ସପ୍ତାହକୁ ଅତିକମରେ ୩ ଦିନ, ଦୈନିକ ୮-୧୦ଟି ଘର ବୁଲିବେ । ଏହି କାର୍ଯ୍ୟ ସକାଶେ ମୋବାଇଲ ହେଲଥ ୟୁନିଟ (ଏମଏଚୟୁ) ଓ ମୋବାଇଲ ହେଲଥ ଟିମ (ଏମଏଚଟି) ଆଶା ଦିଦିଙ୍କୁ ସହଯୋଗ କରିବେ ।

ଏହି କାର୍ଯ୍ୟ କେଉଁ ପ୍ରକାରେ ସମ୍ପାଦନ କରାଯିବ, ସେନେଇ ଏନଏଚଏମ୍ ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି । ତେବେ ଯେଉଁ ଅଞ୍ଚଳରେ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବେ, ସେଠାରେ ଇଣ୍ଟିଗ୍ରେଟେଡ କିଓସ୍କ ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ଟିମ୍ ଗୋଟିଏ ମାସରେ ଗୋଟିଏ ଜିଲ୍ଲାକୁ ପରିଦର୍ଶନ କରିବେ । କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କର ଯକ୍ଷ୍ମା ପରୀକ୍ଷା କରାଯିବ ।

୨ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ କାଶ ଲାଗି ରହିବା, ରାତିରେ ଝାଳ ବୋହିବା ଲକ୍ଷଣ ଥିଲେ ସ୍କ୍ରିନିଂ କରାଯିବ । ସ୍କ୍ରିନିଂରେ ଯଦି କାହାର କୁଷ୍ଠ ଲକ୍ଷଣ ଦେଖାଦିଏ, ତେବେ ତାଙ୍କୁ ନିକଟସ୍ଥ ପିଏଚସି ବା ସିଏଚସିକୁ ପଠାଯିବ । କୋଭିଡ୍ ଟିକା ନେଇନଥିବା ଲୋକମାନଙ୍କୁ ଆଶା ଦିଦିମାନେ ସଚେତନ କରାଇବେ ।

Get real time updates directly on you device, subscribe now.