fbpx

ଦ୍ରୌପଦୀ ମୁର୍ମୁ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲା NDA

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାମରେ ଲାଗିଛି ମୋହର । ଆଜି ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ବିଜେପିର ସଂସଦୀୟ ବୋର୍ଡ ବୈଠକ ବସିଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ରାଜନାଥ ସିଂହଙ୍କ ସମେତ ବହୁ ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । ପୂର୍ବରୁ ବିରୋଧୀ ମହାମେଣ୍ଟ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କ ନାମ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା ।

ପ୍ରେସ୍ କନଫରେନ୍ସରେ ଶ୍ରୀ ନଡ୍ଡା କହିଥିଲେ, ଆଜି ପର୍ଯ୍ୟନ୍ତ ଦେଶକୁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ମିଳିନାହାନ୍ତି । ତେଣୁ ଏଥର ଦେଶକୁ ଜଣେ ମହିଳା ରାଷ୍ଟ୍ରପତି ମିଳିବା ଦରକାର । ଶିକ୍ଷା କ୍ଷେତ୍ରରେ ଦ୍ରୌପଦୀଙ୍କର ଅନେକ ଅଭିଜ୍ଞତା ରହିଛି । ତେବେ ଦ୍ରୌପଦୀଙ୍କ ନାମ ଘୋଷଣା କରି ବିଜେପି ଆଦିବାସୀ ସମୁଦାୟଙ୍କ ପ୍ରଶଂସା ସାିଁଟିଥିବା ବେଳେ ଅନ୍ୟପଟେ ମହିଳା ସଶକ୍ତିକରଣ ନେଇ ମଧ୍ୟ ସନ୍ଦେଶ ଦେଇଛି ।

୧୯୫୮ ମସିହା ଜୁନ ୨୦ ତାରିଖରେ ଦ୍ରୌପଦୀ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବୈଦାପୋସି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ଓ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ବିଜେଡି-ବିଜେପି ମେଣ୍ଟ ସରକାରରେ ରାଜ୍ୟର ମନ୍ତ୍ରୀ ରହିଥିଲେ । ସେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ଦାୟିତ୍ୱରେ ରହିଥିଲେ ।

ତେବେ ରାଷ୍ଟ୍ରପତି ନିର୍ବାଚନର ଗଣିତକୁ ହିସାବ କଲେ ଦ୍ରୌପଦୀ ଜିତିବାର ସମ୍ଭାବନା ଅଧିକ । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କ ନାମ ଘୋଷଣା ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଗର୍ବର ବିଷୟ । ଆସନ୍ତା ମାସ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହୋଇ ୨୧ରେ ଫଳାଫଳ ଘୋଷଣା ହେବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନର ଅନ୍ତିମ ତାରିଖ ହେଉଛି ଜୁନ୍ ୨୯ ।

Get real time updates directly on you device, subscribe now.