fbpx

ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ମହିଳା ହକି ଦଳ ଘୋଷିତ: ପୁଣି ରାନୀ ରାମପାଲ ନିରାଶ,ଟିମ୍‌ର ମଙ୍ଗ ସମ୍ଭାଳିବେ ସବିତା, ଦୀପଗ୍ରେସ୍‌ ଏକ୍କା ଉପଅଧିନାୟିକା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସରେ ଇଂଲଣ୍ଡର ବର୍ମିଂହାମରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଗୁରୁବାର ଦିନ ଭାରତୀୟ ମହିଳା ହକି ଦଳ ନାମ ତାଲିକା ଘୋଷଣା କରାଯାଇଛି । ମାତ୍ର ପୁଣି ଉପେକ୍ଷିତ ହୋଇଛନ୍ତି ପୂର୍ବତନ ଅଧିନାୟିକା ରାନୀ ରାମପାଲ । ଦୁଇ ଦିନ ତଳେ ମହିଳା ହକି ବିଶ୍ବକପ ପାଇଁ ଘୋଷିତ ଭାରତୀୟ ମହିଳା ହକି ଦଳରେ ରାମପାଲଙ୍କୁ ସ୍ଥାନ ମିଳି ନ ଥିବାରୁ ସୋସିଆଲ ମିଡିଆରେ ହକି ଇଣ୍ଡିଆକୁ ସମାଲୋଚନା କରା ଯାଇଥିଲା । ତେବେ ପୁଣି ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ମଧ୍ୟ ଚୟନ କର୍ତ୍ତା ମାନେ ରାମପାଲଙ୍କୁ ଉପେକ୍ଷା କରିଛନ୍ତି ।

ସୂଚନା ଯୋଗ୍ୟ ଯେ ଗତ ଟୋକିଓ ଅଲିମ୍ପିକରେ ଅଧିନାୟିକା ରାନୀ ରାମପାଲଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ଅତି ପ୍ରଶଂସନୀୟ ପ୍ରଦର୍ଶନ କରି ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲା । ତେବେ ଟୋକିଓ ଅଲିମ୍ପିକ୍ସ ପରେ ଆହତ ଜନିତ କାରଣ ନେଇ ସେ ବହୁ ଦିନ ଧରି ଭାରତୀୟ ଦଳରୁ ବାଦ ପଡିଥିଲେ । ଏହି ସମସ୍ୟାରୁ ମୁକୁଳିବା ପରେ ରାନୀ ରାମପାଲଙ୍କୁ ଏଫଆଇଏଚ ପ୍ରୋଲିଗ ହକି ମ୍ୟାଚ ଖେଳିବା ସକାଶେ ଭାରତୀୟ ଦଳକୁ ଫେରିଥିଲେ । ମାତ୍ର ରାମପାଲ କୌଣସି ମ୍ୟାଚ ଖେଳିବା ସୁଯୋଗ ପାଇ ନ ଥିଲେ । ଏହା ପରେ ଆଗାମୀ ବିଶ୍ୱକପ ପାଇଁ ଘୋଷିତ ଭାରତୀୟ ଦଳରେ ମଧ୍ୟ ତାଙ୍କୁ ସୁଯୋଗ ମିଳି ନ ଥିଲା ।

ତେବେ ହକି ଇଣ୍ଡିଆ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେ ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ମ୍ୟାଚ ଖେଳିବା ପାଇଁ ଶତପ୍ରତିଶତ ଫିଟ୍‌ ହୋଇ ନାହାନ୍ତି । ତେଣୁ ଆହତ ଅବସ୍ଥାରେ ପୁଣି ଖେଳିଲେ ଅଧିକ ଜଟିଳ ସମସ୍ୟା ଉପୁଜିବା ଆଶଙ୍କା ଥିବାରୁ ରାମପାଲଙ୍କୁ ବିଶ୍ୱକପ ଓ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଦଳରେ ସାମିଲ କରା ଯାଇନାହିଁ ।ତେଣୁ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଗୋଲ ରକ୍ଷକ ସବିତା ପୁନିଆ ଅଧିନାୟିକା ଓ ଦୀପଗ୍ରେସ ଏକ୍କା ଉପ ଅଧିନାୟିକା ନିଯୁକ୍ତ ହୋଇଛନ୍ତି ।

ସୂଚନା ଯୋଗ୍ୟ ଯେ ଆସନ୍ତା ଜୁଲାଇ ୧ରୁ ୧୭ ତାରିଖ ପର୍ଯ୍ୟନ୍ତ ସ୍ପେନ ଓ ହଲାଣ୍ଡରେ ମହିଳା ହକି ବିଶ୍ୱକପ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ରାଜ୍ୟଗୋଷ୍ଠୀ କ୍ରୀଡା ଅନୁଷ୍ଠିତ ହେବ । ତେବେ ବିଶ୍ୱକପ ପାଇଁ ଗଠିତ ଭାରତୀୟ ଦଳରେ କେବଳ ତିନି ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରା ଯାଇ ରାଜ୍ୟଗୋଷ୍ଠୀ ଦଳ ଗଠନ ହୋଇଛି । ଚାରି ବର୍ଷ ତଳେ ଅଷ୍ଟ୍ରେଲିଆର ଗୋଲକୋଷ୍ଟରେ ଅନୁଷ୍ଠିତ ଗତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ପାଇଁ ଅନୁଷ୍ଠିତ ଲଢ଼େଇରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇ ଚତୁର୍ଥ ସ୍ଥାନ ପାଇଥିଲା ।

ସେହିପରି ଗତବର୍ଷ ଜାପାନରେ ଅନୁଷ୍ଠିତ ଟୋଗିଟ ଅଲିମ୍ପିକ୍‌ କ୍ରୀଡାରେ ମଧ୍ୟ ଭାରତୀୟ ମହିଳା ଦଳ ଇଂଲଣ୍ଡ ଠାର ହାରି ବ୍ରୋଞ୍ଜ ପଦକ ହାସଲରୁ ବଞ୍ଚିତ ହୋଇଥିବା ବେଳେ ଚତୁର୍ଥସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ତେବେ ପୁଣି ଆଗାମୀ ବିଶ୍ୱକପରେ ମଧ୍ୟ ଇଂଲଣ୍ଡ ସହିତ ଭାରତୀୟ ମହିଳା ଦଳ ଲଢ଼େଇ କରିବାକୁ ପଡିବ । କାରଣ ଗୋଟିଏ ଗ୍ରୁରେ ଭାରତ ଓ ଇଂଲଣ୍ଡ ସ୍ଥାନ ପାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ଦଳଗୋଲକିର -ସବିତା ପୁନିଆ, ରଜନୀ ଏଟିମାପୁ, ଡିଫେଣ୍ଡର- ଦୀପ ଗ୍ରେସ ଏକ୍କା, ଗୁରଜିତ କୌର, ନିକି ପ୍ରଧାନ, ଉଦିତା, ମିଡଫିଲଢର- ନିଶା, ସୁଶିଳା ଚାନୁ, ପୁଖରାମି ମୋନିକା, ନେହା, ଜ୍ୟୋତି,ନବଜୋତ କୌର, ସଲିମା ଟେଟେ, ଫରୱାର୍ଡ- ବନ୍ଦନା କାଟାରିୟା, ଲାଲରେମସିଆମି, ନବନିତ କୌର , ଶର୍ମିଳା ଦେବୀ, ସଙ୍‌ଗୀତା କୁମାରୀ ।

Get real time updates directly on you device, subscribe now.