fbpx

VIVO ଅଫିସ ଉପରେ ଇଡିର ଚଢାଉରେ ଚିହିଁକି ଉଠିଲା ଚୀନ, କହିଲା- କମ୍ପାନୀ ଉପରୁ ଲୋକଙ୍କ ଭରସା ତୁଟିବ

ବେଜିଂ: ଚୀନର ମୋବାଇଲ ନିର୍ମାତାକାରୀ କମ୍ପାନୀ ଭିଭୋ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢାଉ କରିଛି। ଇଡିର ଏହି କାର୍ଯ୍ୟାନୁଷ୍ଠାନରେ ଚିହିଁକି ଉଠିଛି ଚୀନ। ଡ୍ରାଗନ କହିଛି, ଆଶା କରୁଛୁ ଭାରତର ଯାଞ୍ଚ ଏଜେନ୍ସି ଆଇନ ଅନୁଯାୟୀ କାମ କରିବେ। ଦିଲ୍ଲୀ ସ୍ଥିତ ଚୀନ ଦୂତାବାସ ପକ୍ଷରୁ ବୁଧବାର ଏହି ବୟାନ ଜାରି କରାଯାଇଛି।

ଏହା ପୂର୍ବରୁ ଜୁଲାଇ ୫ରେ ଇଡି ଭିଭୋ ଏବଂ ଏହାର ଡିଲରସିପ୍ ସହ ଜଡିତ ୪୪ ଅଫିସ ଉପରେ ଚଢାର କରିଥିଲା। ଏହି ଚଢାଉ ମନି ଲଣ୍ଡ୍ରିଂ ଆଇନର ଉଲ୍ଲଂଘନ ଉପରେ କରାଯାଇଥିଲା। ଚୀନ ଦୂତାବାସର ମୁଖପାତ୍ର ଓ୍ଵାଙ୍ଗ ସାଓଜିଆନ କହିଛନ୍ତି, ଆଶା କରୁଛୁ ଭିଭୋ ଇଣ୍ଡିଆ ବିରୋଧରେ ତଦନ୍ତ ଆଇନର ପରିଧିରେ ହେବ। ଚୀନ ସରକାର ଚୀନ କମ୍ପାନୀକୁ ସର୍ବଦା ଏହା କହି ଆସିଛି ଯେ, ସେମାନେ ବିଦେଶରେ ଆଇନର ପାଳନ କରିବେ। ଚୀନ ସରକାର ନିଜ କମ୍ପାନୀର ଅଧିକାର ଏବଂ ହିତର ସୁରକ୍ଷା ପାଇଁ ସର୍ବଦା ସେମାନଙ୍କ ସହିତ ରହିଛି।

ନିଜ ବୟାନରେ ଚୀନ କହିଛି, ଭାରତ ପକ୍ଷରୁ ଚୀନୀ କମ୍ପାନୀ ଉପରେ ଲଗାତାର ଯାଞ୍ଚରେ କମ୍ପାନୀର ବ୍ୟବସାୟ ଉପରେ ନକରାତ୍ମକ ପ୍ରଭାବ ପଡିବ। ଏଥିରେ କେବଳ କମ୍ପାନୀର ଭାବମୂର୍ତ୍ତି ମଳିନ ପଡିବ ନାହିଁ ବରଂ ଭାରତରେ ବ୍ୟବସାୟର ମାହୋଲ ମଧ୍ୟ ବିଗିଡିବ। ଏଥିରେ ଚୀନ ସହିତ ଅନ୍ୟ ଦେଶର କମ୍ପାନୀ ମଧ୍ୟ ଭାରତରେ ନିବେଶ କରିବାରେ ପଛଘୁଞ୍ଚା ଦେବେ ବୋଲି ଚୀନ କହିଛି।

ସେପଟେ ଭିଭୋ ଇଣ୍ଡିଆର ନିର୍ଦ୍ଦେଶକ ଜେଙ୍ଗଶେନ ଉ ଝାଙ୍ଗ ଦେଶ ଛାଡି ଯାଇ ସାରିଛନ୍ତି। ଏଏନଆଇ ଅନୁଯାୟୀ, ଆୟକର ବିଭାଗ ସହିତ ବାଣିଜ୍ୟ ମନ୍ତ୍ରଣାଳୟର ମଧ୍ୟ କମ୍ପାନୀ ଉପରେ ନଜର ରହିଛି। ଇଡି ଜୁଲାଇ ୫ରେ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ ସହିତ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଭିଭୋ ଅଫିସ ଉପରେ ଚଢାଉ କରିଥିଲା। କୋଟି କୋଟି ଟଙ୍କାର ଟ୍ୟାକ୍ସ ଚୋରି ଅଭିଯୋଗରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଭିଭୋ ଏବଂ ଏହା ସହ ଜଡିତ କମ୍ପାନୀ ଉପରେ ଅଭିଯୋଗ ହୋଇଛି ଯେ, କମ୍ପାନୀ ସରକାରଙ୍କୁ ନିଜ ମୋଟ୍ ଆୟର ବହୁତ କମ ରାଜସ୍ଵ ଦେଖାଇଛି।

Get real time updates directly on you device, subscribe now.