fbpx

ନୂଆ ପାର୍ଲାମେଣ୍ଟ ଭବନ ଅଶୋକ ସ୍ତମ୍ବ ସିଂହକୁ ନେଇ ବିବାଦ, ଜାତୀୟ ପ୍ରତୀକକୁ ବିକୃତ କରିଛନ୍ତି କେନ୍ଦ୍ର ସରକାର: ବିରୋଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନବନିର୍ମିତ ସଂସଦ ଭବନର ଛାତ ଉପରେ ବିଶାଳକାୟ ଅଶୋକସ୍ତମ୍ବର ଉନ୍ମୋଚନ କରିଥିଲେ । କିନ୍ତୁ ଏହାର ଉନ୍ମୋଚନ ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଯାଇଛି । ପ୍ରଥମେ ଏହାର ଉନ୍ମୋଚନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବିବାଦ ପରେ ଏବେ ଅଶୋକ ସ୍ତମ୍ବର ଡିଜାଇନକୁ ନେଇ ପ୍ରଶ୍ନ ଉଠିଛି। ଅଶୋକ ସ୍ତମ୍ବ ପୁର୍ବରୁ ସୁନ୍ଦର ଏବଂ ବାସ୍ତବରେ ଆତ୍ମବିଶ୍ୱାସୀ ଥିବା ସିଂହକୁ କେନ୍ଦ୍ରର ବିଜେପି ସରକାର ବିକୃତ କରିଥିବା ବିରୋଧୀ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଅନାବରଣ କରିଥିବା ସିଂହକୁ ଭଲ କରି ଦେଖନ୍ତୁ। ଏହା ବାସ୍ତବରେ ମହାନ୍ ସାରନାଥ ‘ଲାୟନ କ୍ୟାପିଟାଲ ଅଫ୍ ଅଶୋକ’ର ମୂର୍ତ୍ତିକୁ ପ୍ରତିଫଳନ କରୁଛି ନା ତାହାର ବିକୃତି କରାଯାଇଛି ତାହା ଯାଞ୍ଚ କରନ୍ତୁ। ଏଥିରେ ଆବଶ୍ୟକ ସଂଶୋଧନ କରାଯାଉ ବୋଲି କଂଗ୍ରେସ ନେତା ଅଧୂର ରଞ୍ଜନ ଚୌଧୁରୀ ଟୁଇଟ୍‌ କରିଛନ୍ତି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ର ରାଜ୍ୟ ସଭା ସଦସ୍ୟ ଜହର ସିରକର ଟୁଇଟ୍‌ରେ ଦୁଇ ପ୍ରକାର ଜାତୀୟ ପ୍ରତୀକର ଫଟୋ ଶେୟାର କରିଛନ୍ତି। ଅଶୋକ ସ୍ତମ୍ଭର ସିଂହ ପ୍ରତିକୃତିରେ ପୂର୍ବ ଏବଂ ନୂଆ ଫଟୋକୁ ତୁଳନାତ୍ମକ ଭାବେ ଦର୍ଶାଇ ଲେଖୁଛନ୍ତି, ଆମ ଜାତୀୟ ପ୍ରତୀକକୁ ଅପମାନିତ କରାଯାଇଛି। ପ୍ରକୃତ ଅଶୋକ ସିଂହ ଶାନ୍ତ ଏବଂ ସ୍ଥିର ଦେଖାଯାଇଥିବାବେଳେ ମୋଦି ଭର୍ସନର ନୂଆ ସିଂହ ଆକ୍ରମଣତ୍ମକ ଓ ଅନୁପଯୁକ୍ତ ଲାଗୁଛି। ଏହା ଲାଜ୍ଜାର କଥା ବୋଲି ସେ କରିଛନ୍ତି।

ସେଣ୍ଟ୍ରାଲ ଭିସ୍ତାରା ବିଲ୍ଡିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଅନାବରଣ ହୋଇଥିବା ଅଶୋକ ସ୍ତମ୍ଭର ସିଂହ ପ୍ରତିରୂପକୁ ନେଇ ବିରୋଧିଙ୍କ ପ୍ରତିବାଦ ଉପରେ ବିଜେପି ଜବାବ ରଖିଛି । ବିରୋଧୀ ଦଳଗୁଡ଼ିକ ରାଜନୈତିକ ଉଦ୍ଦେଶ୍ୟରେ ଏପରି ଅଭିଯୋଗ ଆଣିଥିବା ଭାଜପା ମୁଖ୍ୟ ମୁଖପାତ୍ର ଅନିଲ ବାଲୁନି କହିଛନ୍ତି। ୧୫୦ ବର୍ଷ ପୂର୍ବେ ବ୍ରିଟିଶ ଶାସନବେଳେ ହୋଇଥିବା ପାର୍ଲାମେଣ୍ଟକୁ ବଦଳାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ଭାରତ ଏହାର ନୂଆ ସଂସଦ ଭବନ ନିର୍ମାଣ କରୁଛି। ବିରୋଧୀଙ୍କର ଏହି ସମାଲୋଚନା ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି ।

 

Get real time updates directly on you device, subscribe now.