fbpx

ମାଲକାନଗିରିରେ ମହିଳାଙ୍କୁ ପୋଲିସର ମାଡ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ, ମା’କୁ ସମ୍ମାନ କଥା କହୁଥିବା ସରକାରଙ୍କର ଏ କି ସମ୍ମାନ: ବିରୋଧୀ

ଭୁବନେଶ୍ୱର: ଗୁଣ୍ଡାରାଜ୍ ଚଳାଇଛନ୍ତି ପୋଲିସ ବାବୁ । ଏ ନେଇ ବିଧାନସଭାର ଶୂନ୍ୟକାଳରେ ଉଠିଲା ପୋଲିସ ବାବୁଙ୍କ ଗୁଣ୍ଡାଗିରି । ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ ଆଣିଲେ ଉଭୟ କଂଗ୍ରେସ । ରୁଲିଂ ଦାବି କରି ଗୃହ ମଧ୍ୟକୁ ଆସି ହୋହଲା କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । ଶେଷରେ 25 ମିନିଟ ଗୃହ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରିଛନ୍ତି ଯେ, ମାଲକାନଗିରି REC 13 ନମ୍ବର ଗାଁରେ ଫୋର୍ସ ଧରି ଯାଇ ଦବଙ୍ଗଗିରି ଦେଖାଇଛନ୍ତି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ । ଅଞ୍ଚଳରେ ଅଂଶୁମାନ ଦ୍ବିବେଦୀ ଗୁଣ୍ଡାରାଜ ଚଳାଇଥିବା ଅଭିଯୋଗ ଆଣିଛନ୍ତି ତାରା । ଗଞ୍ଜେଇ ଚାଲାଣ ରୋକ ଲଗାଇବା ନାଁରେ ବିଳମ୍ବିତ ରାତିରେ ଗାଁ ପଶି ଆତଙ୍କ ସୃଷ୍ଟି କରିଛି ଅଂଶୁମାନ ଓ ଓଡ଼ିଶା ପୋଲିସ । ମହିଳା ଅଧିକାରୀଙ୍କୁ ସାଙ୍ଗରେ ନନେଇ ଗାଁରେ ପସି ଗର୍ଭବତୀ ମହିଳା, 80 ବର୍ଷୀୟ ବୃଦ୍ଧା, 14 ବର୍ଷର ନାବାଳିକାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସଦସ୍ୟ । ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗରେ ମାଡ ମାରିଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତୀୟ ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଛନ୍ତି କଂଗ୍ରେସ ନେତା ତାରା ଓ ବିଜେପିର ନେତା ମୋହନ ମାଝୀ ।

ଅଂଶୁମାନ ନିଶା ସେବନ କରି ଆତଙ୍କରାଜ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନେଇ ନାହାନ୍ତି । ଡ଼ାକ୍ତରଙ୍କୁ ଚାପ୍ ପକାଇ ମିଥ୍ୟା ରିପୋର୍ଟ ଆଣିଛନ୍ତି । ମା’କୁ ସମ୍ମାନ କଥା କହୁଥିବା ସରକାରଙ୍କର ଏ କି ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଗଞ୍ଜେଇ ଚୋରା ଚାଲାଣ ଘଟଣାରେ ଜୁଲାଇ 5 ତାରିଖରେ ଏଭଳି କାଣ୍ଡ ଭିଆଇଛି ପୋଲିସ । ଘଟଣାରେ ଦୁଇ ଜଣ ସାମ୍ବାଦିକ, କଂଗ୍ରେସର ଜିଲ୍ଲା ଓ ସଭାପତିଙ୍କ ସହ 18 ଜଣଙ୍କୁ ଗିରଫ କରାଯାଇଛି । ତୁରନ୍ତ ଏସଡିପିଓଙ୍କୁ ନିଲମ୍ବନ କରିବା ସହ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ ପାଇଁ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ଦାବି କରିଥିବା ବେଳେ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରିଛନ୍ତି ସନ୍ତୋଷ ସିଂ ସାଲୁଜା ।

ଗୃହ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଗୃହର ସବୁ କାର୍ଯକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି ନରସିଂହ । ବାଚସ୍ପତିଙ୍କ ରୁଲିଁ ଦାବିରେ କଂଗ୍ରେସ ଓ ବିଜେପିର ବିଧାୟକ ଗୃହ ମଧ୍ୟ ଭାଗରେ ହଟଗୋଳ କରିଛନ୍ତି । ତେଣୁ ଗୃହକୁ ପ୍ରଥମେ 10 ମିନିଟ ଓ ପରେ 15 ଏବଂ 15 ମିନିଟ ବାତିଲ କରାଯାଇଛି । ଏହି ସମୟରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ, ବିରୋଧୀ ଦଳ ବିଜେପି ଓ କଂଗ୍ରେସର ସଚେତନ ପ୍ରମୁଖ ଉପସ୍ଥିତ ଅଛନ୍ତି ।

Get real time updates directly on you device, subscribe now.