fbpx

ଦ୍ୱିତୀୟ ଦିନିକିଆରେ ଭାରତକୁ ୧୦୦ ରନରେ ହରାଇଲା ଇଂଲଣ୍ଡ, ସିରିଜ ୧-୧ ରେ ବରାବର

ଇଂଲଣ୍ଡ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ଭାରତକୁ ୧୦୦ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ସିରିଜକୁ ୧-୧ ବରାବର ସ୍ଥିତିକୁ ଆଣିଛି। ଏବେ ତୃତୀୟ ତଥା ଶେଷ ମ୍ୟାଚ୍ ନିର୍ଣ୍ଣାୟକ ହେବ। ଏହି ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମ ବ୍ୟାଟିଂ କରି ୨୪୬ ରନ୍‌ର ଟାର୍ଗେଟ ଭାରତକୁ ଦେଇଥିଲା। ତେବେ ଭାରତ ପାଇଁ ଏହି ଲକ୍ଷ୍ୟ ବହୁତ ବଡ଼ ଲାଗୁ ନଥିଲା। କିନ୍ତୁ ରିସି ଟୋପଲିଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରି ନଥିଲେ। ଟପଲି ୬ ଉଇକେଟ୍ ନେଇ ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ଗୁରୁବାର ଦିନ ଐତିହାସିକ ଲର୍ଡ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଦୁଇ ଦଳ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲା ୧୭ ଜୁଲାଇରେ ମଞ୍ଚେଷ୍ଟରରେ ଖେଳାଯିବ। ଦ୍ୱିତୀୟ ଦିନିକିଆରେ ଟସ୍ ଜିତିବା ପରେ ଭାରତ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା। ତେବେ ଇଂଲଣ୍ଡ ୪୯ ଓଭର ଖେଳି ୨୪୬ ରନ୍ ସଂଗ୍ରହ କରିପାରିଥିଲା। ଭାରତ ପାଇଁ ସଫଳ ବୋଲର ଭାବରେ ଚହଲ ସର୍ବାଧିକ ୪ଟି ଉଇକେଟ ପାଇଥିଲେ। ୨୪୭ ରନ୍ ଲକ୍ଷ୍ୟ ପିଛା କରି ଭାରତୀୟ ଦଳର ଆରମ୍ଭ ବହୁତ ଖରାପ ଥିଲା ଏବଂ ଭ୍ରମଣକାରୀ ଦଳ ୩୧ ସ୍କୋର ପର୍ଯ୍ୟନ୍ତ ଚାରିଟି ୱିକେଟ୍ ହରାଇଥିଲା। ଏଥିରେ ଅଧିନାୟକ ରୋହିତ ଶର୍ମା (୦), ଶିଖର ଧାୱନ (୯), ବିରାଟ କୋହଲି (୧୬) ଏବଂ ରିଷଭ ପନ୍ତ (୦) ଙ୍କ ୱିକେଟ୍ ରହିଥିଲା।

ଏହା ପରେ ସୂର୍ଯ୍ୟକୁମାର ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ୱିକେଟ୍ ପାଇଁ ୫୪ ବଲରେ ୪୨ ରନ୍ ସଂଗ୍ରହ କରିଥିଲେ। ମାତ୍ର ୨୭ ରନ୍ ସ୍କୋର କରିବା ପରେ ସୂର୍ଯ୍ୟକୁମାର ଆଉଟ ହୋଇଯାଇଥିଲେ। ୭୩ ରନ୍ ରେ ପଞ୍ଚମ ୱିକେଟ୍ ହରାଇବା ପରେ ଟିମ୍ ଇଣ୍ଡିଆ ଅସୁବିଧାରେ ପଡିଯାଇଥିଲା। ଏହା ପରେ ପାଣ୍ଡ୍ୟା ଏବଂ ଜାଡେଜା ଷଷ୍ଠ ୱିକେଟ୍ ପାଇଁ ୨୮ ରନ୍ ଭାଗିଦାରୀ କରିଥିଲେ। ତା’ପରେ ମୋଇନ ଅଲି ହାର୍ଦ୍ଦିକଙ୍କୁ ଆଉଟ କରି ଭାରତକୁ ଏକ ବଡ ଝଟକା ଦେଇଥିଲେ। ହାର୍ଦ୍ଦିକ ୪୪ ବଲରୁ ୨୯ ରନ ଯୋଗଦାନ କରି ପ୍ୟାଭିଲିୟନକୁ ଫେରିଥିଲେ।

ଶେଷରେ ମହମ୍ମଦ ଶାମି କିଛି ଭଲ ସଟ୍ ଖେଳି ଭାରତର ଆଶା ବଢାଇବାକୁ ଚେଷ୍ଟା କରିଥିଲେ। ସପ୍ତମ ୱିକେଟ୍ ପାଇଁ ଶାମି ଏବଂ ଜାଡେଜା ୪୭ ବଲରେ ୩୯ ରନ୍ ସଂଗ୍ରହ କରିଥିଲେ। ସପ୍ତମ ବ୍ୟାଟ୍ସମ୍ୟାନ୍ ଭାବରେ ଶାମି ୧୪୦ ସ୍କୋରରେ ଆଉଟ ହୋଇଥିଲେ। ଶାମି ଦୁଇଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୨୮ ବଲରେ ୨୩ ରନ ସ୍କୋର କରିଥିଲେ। ଶାମି ଆଉଟ ହେବା ମାତ୍ରେ ଜାଡେଜା ମଧ୍ୟ ପରବର୍ତ୍ତୀ ବଲରେ ଆଉଟ ହୋଇଥିଲେ। ସେ ୪୪ ବଲରେ ୨୯ ରନ୍ ସଂଗ୍ରହ କରିଥିଲେ। ଶାମି ଏବଂ ଜାଡେଜା ପ୍ୟାଭିଲିୟନକୁ ଫେରିବା ପରେ ଭାରତର ସ୍କୋର ୩୮.୫ ଓଭରେ ୧୪୬ ରେ ସୀମିତ ରହିଯାଇଥିଲା।

ଇଂଲଣ୍ଡ ପାଇଁ ରିସ ଟୋପଲି ୯.୫ ଓଭରରେ ୨୪ ରନ ବ୍ୟୟ କରି ୬ଟି ଉଇକେଟ ପାଇଥିଲେ। ଦିନିକିଆ କ୍ରିକେଟରେ ଜଣେ ଇଂରାଜୀ ବୋଲରଙ୍କ ଦ୍ୱାରା ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଟପଲିଙ୍କ ବ୍ୟତୀତ ଡେଭିଡ ୱିଲି,  ବ୍ରାଇଡନ୍ କାର୍ସେ , ମୋଇନ ଅଲି ଏବଂ ଲିଆମ ଲିଭିଙ୍ଗଷ୍ଟନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Get real time updates directly on you device, subscribe now.