‘Revdi Culture’ କ’ଣ: ପ୍ରଧାନମନ୍ତ୍ରୀ ମୋଦୀ କାହାକୁ ଏପରି କହିଲେ, ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଉତ୍ତରପ୍ରଦେଶ ଗସ୍ତ କରିଛନ୍ତି । ଏହି ଅବସରରେ ମୋଦୀ କାନପୁରଠାରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସୱେକୁ ଉଦଘାଟନ କରିଛନ୍ତି । ତେବେ ଏହି ଅବସରରେ ମୋଦୀ ନିଜ ଭାଷଣରେ ‘ରେବଡି କଲଚର’ ଶବ୍ଦର ବ୍ୟବହାର କରିଥିଲେ । ରେବଡି କଲଚର ଦେଶର ବିକାଶରେ ବାଧା ସୃଷ୍ଟି କରୁଛି । ଭୋଟ ହାସଲ ପାଇଁ ବିଭିନ୍ନ ଦଳମାନେ ମାଗଣା ଜିନିଷ ବାଣ୍ଟୁଛନ୍ତି । ଏଭଳି ରେବଡି କଲଚରକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ତେବେ ‘ରେବଡି’ ହେଉଛି ଏକ ଉତ୍ତର ଭାରତୀୟ ମିଠା, ଯହାକି ପର୍ବପର୍ବାଣିମାନଙ୍କରେ ବଣ୍ଟନ କରାଯାଇଥାଏ । କିଛି ରାଜନୈତିକ ଦଳମାନେ କ୍ଷମତାକୁ ଆସିବା ପାଇଁ ବିଭିନ୍ନ ପ୍ରକାର ମାଗଣା ଜିନିଷ ପ୍ରଦାନ କରିଥାନ୍ତି । ତେଣୁ ଏପରି ମାଗଣାଖିଆ ରେବଡି କଲଚରଠାରୁ ଦୂରେଇ ରହିବାକୁ ମୋଦୀ ଦେଶର ଯୁବପୀଢ଼ିଙ୍କୁ ଅନୁରୋଧ କରିଛନ୍ତି ।

ମୋଦୀଙ୍କର ଏହି ରେବଡି କଲଚର ବୟାନକୁ ନେଇ ଆମ୍ ଆଦମୀ ପାର୍ଟି (ଆପ) ପକ୍ଷରୁ ନିନ୍ଦା କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଜନସାଧାରଣଙ୍କୁ ମାଗଣାରେ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ବିଜୁଳି ଯୋଗାଇବାକୁ ମାଗଣା ଜିନିଷ କୁହାଯିବ ନାହିଁ । ଗରିବ ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବା ଦେଶ ବିକାଶରେ ସହାୟକ ହୁଏ । ନିଜର ବନ୍ଧୁ ପରିଜନଙ୍କର ହଜାର ହଜାର କୋଟିର ଋଣକୁ ଛାଡ଼ କରାଇବା ମାଗଣା ଜିନିଷ ବଣ୍ଟନ କରିବା ସହିତ ସମାନ ବୋଲି କେଜ୍ରି ପରୋକ୍ଷରେ ମୋଦୀଙ୍କୁ ଆଡ଼କୁ ବାଣ ଛାଡ଼ିଛନ୍ତି ।