ରାଷ୍ଟ୍ରପତି ନିର୍ବାଚନ: ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ସବୁ ବିଧାନସଭା, ସଂସଦରେ ହେବ ମତଦାନ, ୨୧ରେ ଗଣତି ଓ ଫଳ ଘୋଷଣା

ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୫ଟା ଯାଏଁ ଭୋଟ୍‌ ଗ୍ରହଣ

ନୂଆଦିଲ୍ଲୀ/ଭୁବନେଶ୍ୱର : ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ଭୋଟ୍‌ ଗ୍ରହଣ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଂସଦ ସମେତ ସବୁ ବିଧାନସଭାରେ ଏଥିନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପକ୍ଷରୁ ଝାରଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପକ୍ଷରୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବାବେଳେ ଅଧିବେଶନର ୧ମ ଦିନରେ ସାଂସଦମାନେ ଭୋଟ୍‌ଦେବେ । ଏଥିସହ ସମସ୍ତ ରାଜ୍ୟର ବିଧାନସଭାରେ ମଧ୍ୟ ଭୋଟ୍‌ ଗ୍ରହଣ କରାଯିବ ।

ସମର୍ଥନ ଦୃଷ୍ଟିରୁ ଦ୍ରୌପଦୀ ଆଗରେ ଥିବାବେଳେ ଯଶୋୱନ୍ତ ମଧ୍ୟ କଡ଼ା ଟକ୍କର ଦେବେ ବୋଲି କୁହାଯାଉଛି । ଏନ୍‌ଡିଏ ସମେତ ବିଜେଡ଼ି, ୱାଇଏସ୍‌ଆର୍‌ କଂଗ୍ରେସ,ବିଏସ୍‌ପି, ଶିରୋମଣୀ ଅକାଳୀଦଳ, ରାମବିଳାସ ପାଶୱାନଙ୍କ ଏଲ୍‌ଜେପି, ଟିଡିପି, ଶିବସେନା, ଜେଏମଏମ୍‌ ଦ୍ରୌପଦୀଙ୍କୁ ସମର୍ଥନ ଜଣାଇଛନ୍ତି । ସେହିପରି ଯଶୋୱନ୍ତଙ୍କ ସମର୍ଥନରେ ରହିଛନ୍ତି କଂଗ୍ରେସ, ଏନ୍‌ସିପି, ସିିଆଇ, ସିିଆଇଏମ୍‌, ଡିଏମ୍‌କେ, ଆର୍‌ଜେଡି, ନ୍ୟାସନାଲ କନଫରେନ୍ସ, ସମାଜବାଦୀ ପାର୍ଟି, ଟିଡିି, ଟିଆର୍‌ଏସ୍‌ ଭଳି ରାଜନୈତିକ ଦଳମାନେ । ତେବେ ସମୀକରଣ ଅନୁଯାୟୀ ଆଉ ବର୍ଷକ ପରେ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏହି ରାଜ୍ୟ ଜନସଂଖ୍ୟା ୧୪.୮% ଆଦିବାସୀ ହୋଇଥିବାରୁ ସେମାନଙ୍କ ଭୋଟ୍‌ ହାସଲ ପାଇଁ ବିଜେପି ଉଦ୍ୟମ ଚଳାଇଛି ।

ଗତ ରାଷ୍ଟ୍ରପତି ନିର୍ବାଚନରେ ଦଳିତ ସମ୍ପ୍ରଦାୟର ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରି ଉତ୍ତରପ୍ରଦେଶ ସହ ଅନ୍ୟ କେତେକ ଅଞ୍ଚଳରେ ଦଳିତ ଭୋଟ୍‌ ପାଇବାକୁ ସମର୍ଥ ହୋଇଥିଲା । ତେବେ ପ୍ରଚାରର ଶେଷ ଦିନରେ ଯଶୋୱନ୍ତ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ୨ ପ୍ରାର୍ଥୀଙ୍କ ମଧ୍ୟରେ ହେଉନାହିଁ ସୁରକ୍ଷା ପାଇଁ ନିର୍ବାଚନ ଲଢୁଛନ୍ତି । ମୁଁ ଧର୍ମ ନିରପେକ୍ଷ ଏବଂ ସମ୍ବିଧାନର ମୂଳଦ୍ୱାର ସୁରକ୍ଷା ମୋ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି । ସେହିପରି ନିର୍ବାଚନ ଶେଷ ଦିନରେ ଦ୍ରୌପଦୀ ଗୁଜରାଟର ଗାନ୍ଧିନଗରରେ ପ୍ରଚାର କରିଥିଲେ ।

ଅନ୍ୟପକ୍ଷରେ ଓଡ଼ିଶା ବିଧାନସଭା ପକ୍ଷରୁ ପ୍ରସ୍ତୁତିର୍ବ ଚୂଡ଼ାନ୍ତ ହୋଇଛି । ଗୃହର ୫୪ ନଂ ପ୍ରକୋଷ୍ଠକୁ ବୁଥ୍‌ କରାଯାଇଛି । ଏଠାରେ ବିଧାୟକମାନେ ଭୋଟ୍‌ ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସାଂସଦମାନେ ଚାହିଁଲେ ଭୋଟ୍‌ ଦେଇପାରିବେ । ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ସମେତ ଅନ୍ୟ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେପଟେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ଶୀର୍ଷ ପଦରେ ବସାଇବା ପାଇଁ ବିଜେଡ଼ି ପକ୍ଷରୁ ଜୋର୍‌ଦାର୍‌ ପ୍ରୟାସ ଚାଲୁ ରହିଛି । ଦଳମତ ନିର୍ବିଶେଷରେ ୧୪୭ ଜଣ ବିଧାୟକଙ୍କ ଭୋଟ୍‌ କିପରି ଦ୍ରୌପଦୀଙ୍କ ସପକ୍ଷରେ ଯିବ ସେନେଇ ବିଜେଡ଼ି ଉଦ୍ୟମ ଚଳାଇଛି । ମତଦାନ ବେଳେ ଯେପରି ଗୋଟିଏ ବି ଭୋଟ୍‌ ନାକଚ ନ ହୁଏ ସେନେଇ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏଥିପାଇଁ ବିଜେଡ଼ିର ସମସ୍ତ ବିଧାୟକ ଓ ସାଂସଦଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।