fbpx

ରାଷ୍ଟ୍ରପତି ହେବା ମାତ୍ରେ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ହେବ ୫ ରେକର୍ଡ, ଜାଣନ୍ତୁ କାଉନସିଲରରୁ ଏ ପର୍ଯ୍ୟନ୍ତ ଯାତ୍ରା

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ତାର ଘୋଷଣା ଆଉ କିଛି ସମୟ ପରେ ହୋଇଯିବ। ଦେଶର ୩୧ ମତଦାନ କେନ୍ଦ୍ରରେ ହୋଇଥିବା ଭୋଟିଂର ମତପତ୍ରର ଗଣତି ସଂସଦର ଭବନ ପରିସରରେ ଚାଲିଛି। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ଯଥେଷ୍ଟ ରହିଛି। ଏ ନେଇ ବିଜେପି ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ବିଜୟ ସହିତ ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ହେବେ। ଏଥିସହ ପାଞ୍ଚ ରେକର୍ଡ ତାଙ୍କ ନାମରେ ଲିପିବଦ୍ଧ ହୋଇଯିବ। ଆସନ୍ତୁ ଜାଣିବା ଏହି ରେକର୍ଡ ବିଷୟରେ…

ପ୍ରଥମ ରେକର୍ଡ

ମୁର୍ମୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବାରେ ପ୍ରଥମ ମହିଳା ଆଦିବାସୀ ନେତ୍ରୀ ହେବେ। ମୁର୍ମୁଙ୍କ ଜନ୍ମ ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ଏକ ସାନ୍ତାଳି ସମୁଦାୟର ଗରିବ ଆଦିବାସୀ ପରିବାରରେ ହୋଇଥିଲା। ଦେଶରେ ଅଦ୍ୟାବଧି କୌଣସି ଆଦିବାସୀ ନା ପ୍ରଧାନମନ୍ତ୍ରୀ ହୋଇଛନ୍ତି ନା ରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି। ହେଲେ ଦେଶକୁ କେଆର ନାୟାୟଣ ଏବଂ ରାମନାଥ କୋବିନ୍ଦଙ୍କ ରୂପେ ଦୁଇ ଦଳିତ ରାଷ୍ଟ୍ରପତି ମିଳି ସାରିଛନ୍ତି।


ଦ୍ଵିତୀୟ ରେକର୍ଡ

ଦ୍ରୌପଦୀ ମୁର୍ମୁ ଏମିତି ପ୍ରଥମ ରାଷ୍ଟ୍ରପତି ହେବେ, ଯିଏ ସ୍ଵାଧୀନତା ପରେ ଦେଶରେ ଜନ୍ମ ଗ୍ରହଣ କରିଛନ୍ତି। ୧୯୪୭ରେ ଦେଶ ସ୍ଵାଧୀନ ହେବାର ୧୧ ବର୍ଷ ପରେ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୧୯୫୮ ମସିହା ଜୁନ ୨୦ରେ ହୋଇଥିଲା। ଦେଶରେ ଏ ପର୍ଯ୍ୟନ୍ତ ଯେତେ ଜଣ ରାଷ୍ଟ୍ରପତି ହୋଇଛନ୍ତି, ସମସ୍ତେ ୧୯୪୭ ପୂର୍ବରୁ ଜନ୍ମ ଗ୍ରହଣ କରିଥିଲେ। ମୁର୍ମୁ ରାଷ୍ଟ୍ରପତି ହେଲେ ପ୍ରଥମ ଥର ଏମିତି ହେବ, ଯାହାଙ୍କ ଜନ୍ମ ଭାରତ ସ୍ଵାଧୀନତା ପରେ ହୋଇଛି।


ତୃତୀୟ ରେକର୍ଡ

ସବୁଠୁ ଯୁବ ରାଷ୍ଟ୍ରପତି ହେବାର ରେକର୍ଡ ମୁର୍ମୁଙ୍କ ନାମରେ ହୋଇଯିବ। ଦେଶରେ ସର୍ବକନିଷ୍ଠ ରାଷ୍ଟ୍ରପତି ହେବାର ରେକର୍ଡ ନୀଲମ ସଞ୍ଜୀବ ରେଡ୍ଡୀଙ୍କ ନାମରେ ରହିଛି, ଯିଏ ୧୯୭୭ରେ ନିଦ୍ଵର୍ନ୍ଦ୍ଵରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ରାଷ୍ଟ୍ରପତି ପଦ ଗ୍ରହଣ କରିବା ସମୟରେ ରେଡ୍ଡୀଙ୍କ ବୟସ ୬୪ ବର୍ଷ ଦୁଇ ମାସ ଏବଂ ଛଅ ଦିନ ହୋଇଥିଲା। ସେପଟେ ୧୯୫୮ ଜୁନ ୨୦ରେ ଜନ୍ମିତ ଦ୍ରୌପଦୀ ମର୍ମୁଙ୍କ ବୟସ ୨୦୨୨ ଜୁଲାଇ ୨୫ରେ ପଦ ସମ୍ଭାଳିବା ସମୟରେ ୬୪ ବର୍ଷ ଏକ ମାସ ଏବଂ ଆଠ ଦିନ ହେବ।

ଚତୁର୍ଥ ରେକର୍ଡ

ଏମିତି ପ୍ରଥମ ଥର ହେବ, ଯେଉଁଠି ଜଣେ କାଉନସିଲର ରହିଥିବା ବ୍ୟକ୍ତି ଭାରତର ରାଷ୍ଟ୍ରପତି ପଦରେ ଆସୀନ ହେବେ। ମୁର୍ମୁ ୧୯୯୭ରେ ରାଇରଙ୍ଗପୁର ମ୍ୟୁନିସିପାଲଟୀ ନିର୍ବାଚନରେ କାନସିଲର ଭାବେ ନିର୍ବାଚିତ ହେବା ସହ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହାର ତିନି ବର୍ଷ ପରେ ୨୦୦୦ ମସିହାରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଓଡିଶାରେ ବିଜେଡି-ବିଜେପି ମେଣ୍ଟ ସରକାରରେ ଦୁଇ ଥର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି।

ପଞ୍ଚମ ରେକର୍ଡ

ଦ୍ରୌପଦୀଙ୍କ ବିଜୟ ସହ ଓଡିଶାର ନାମ ସେହି ରାଜ୍ୟରେ ସାମିଲ୍ ହୋଇଯିବ, ଯେଉଁଠିର ଲୋକ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବେ। ଏ ପର‌୍ୟ୍ୟନ୍ତ ରାଷ୍ଟ୍ରପତି ପଦରେ ବସିଥିବା ସାତ ବ୍ୟକ୍ତି ଦକ୍ଷିଣ ଭାରତର। ଆଉ ଦେଶର ପ୍ରଥମ ରାଷ୍ଟ୍ରପତି ଡ.ରାଜେନ୍ଦ୍ର ପ୍ରସାଦ ଥିଲେ ବିହାରର।

ବିଜେପିରୁ ରାଜନୀତି ଆରମ୍ଭ

ମୁର୍ମୁ ଭାରତୀୟ ଜନତା ପାର୍ଟିରେ ମିଶି ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଶେଷ ପର‌୍ୟ୍ୟନ୍ତ ବିଜେପିରେ ରହିଛନ୍ତି। ୧୯୯୭ରେ ମୁର୍ମୁ ବିଜେପିର ଓଡିଶା ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପାଧ୍ୟକ୍ଷ ହୋଇଥିଲେ। ୨୦୦୨ରୁ ୨୦୦୯ ଏବଂ ୨୦୧୩ରେ ମୟୂରଭଞ୍ଜର ବିଜେପି ଜିଲ୍ଲା ସଭାପତି ଭାବେ କାମ କରିଛନ୍ତି। ସେ ବିଜେପି ଏସଟି ମୋର୍ଚ୍ଚାରେ ରାଷ୍ଟ୍ରୀୟ କାର‌୍ୟ୍ୟକାରିଣୀର ସଦସ୍ୟ ରହିଛନ୍ତି।

ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ

ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡରେ ରାଜ୍ୟପାଳ ହେବାରେ ପ୍ରଥମ ମହିଳା ଥିଲେ। ସେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ରାଜ୍ୟପାଳ ରହିଥିଲେ। ସେ ପ୍ରଥମ ଓଡିଶା ଆଦିବାସୀ ମହିଳା ଥିଲେ, ଯାହାଙ୍କୁ ଭାରତର କୌଣସି ରାଜ୍ୟରେ ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଥିଲା।

ସଂଘର୍ଷମୟ ଜୀବନ

ଓଡିଶାର ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଲକ ଅନ୍ତର୍ଗତ ଉପରବେଡା ଗାଁରେ ଆଦିବାସୀ ପରିବାରରେ ଜନ୍ମିତ ମୁର୍ମୁଙ୍କ ବାଲ୍ୟ ଜୀବନ ବହୁତ ସଂଘର୍ଷମୟ ଥିଲା। ସମସ୍ତ ବାଧାବିଘ୍ନ ସତ୍ତ୍ଵେ ସେ ଭୁବନେଶ୍ଵରର ରମାଦେବୀ ମହିଳା କଲେଜରୁ ବିଏ ପାସ୍ କରିଥିଲେ। ରାଜନୀତିରେ ପାଦ ଦେବା ପୂର୍ବରୁ ସେ ରାଇରଙ୍ଗପୁର ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ସହକାରୀ ଶିକ୍ଷୟତ୍ରୀ ଭାବେ କାମ କରିଥିଲେ। ସ୍ଵାମୀ ଏବଂ ଦୁଇ ପୁଅଙ୍କୁ ହରାଇବା ପରେ ବି ସେ ନିଜର ଧୈର୍ଯ୍ୟ ଏବଂ ସାହାସ ହରାଇନଥିଲେ ଏବଂ ଲଗାତାର ଆଗକୁ ବଢି ଯାଇଥିଲେ। ଆଜି ସେ ଦେଶର ସର୍ବୋଚ୍ଚ ସାମ୍ବିଦାନ ପଦ ଅଳଙ୍କୃତ କରିବାର ଦ୍ଵାର ଦେଶରେ ଅଛନ୍ତି।

 

Get real time updates directly on you device, subscribe now.