fbpx

ରାଷ୍ଟ୍ରପତି ନିର୍ବାଚନ: ଆସିଲା ପ୍ରଥମ ରାଉଣ୍ଡ ଫଳାଫଳ, ଜାଣନ୍ତୁ କିଏ ଆଗୁଆ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ସରିଥିବା ବେଳେ ଏବେ ମତଗଣନା ଜାରି ରହିଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ପ୍ରଥମ ରାଉଣ୍ଡର ରେଜଲ୍ଟ । ପ୍ରଥମ ରାଉଣ୍ଡରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଗୁଆ ଅଛନ୍ତି । ପ୍ରଥମ ରାଉଣ୍ଡରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଭୋଟ ମିଳିଥିବା ସୂଚନା ମିଳିଛି । ଦ୍ରୌପଦୀ ମୁର୍ମୁଙ୍କ ଭୋଟର ମୂଲ୍ୟ ୩ ଲକ୍ଷ ୭୮ ହଜାର  ରହିଛି ।

ଅନ୍ୟପଟେ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପ୍ରଥମ ରାଉଣ୍ଡରେ ୨୦୮ ଭୋଟ୍ ମିଳିଛି । ଯଶୱନ୍ତ ସିହ୍ନାଙ୍କ ଭୋଟର ମୂଲ୍ୟ ୧ ଲକ୍ଷ ୪୫ ହଜାର ୬୦୦  ରହିଛି । ତେବେ ସମୁଦାୟ ଭୋଟରୁ ୧୫ଟି ଭୋଟ୍ ନାକଚ ହୋଇଛି ।

ତେବେ ସଂଖ୍ୟା ଦୃଷ୍ଟିରୁ ଯଶୱନ୍ତ ସିହ୍ନାଙ୍କଠାରୁ ବହୁ ଆଗରେ ଅଛନ୍ତି ଦ୍ରୌପଦୀ ମୁର୍ମୁ । ଅନ୍ୟପଟେ ଦ୍ରୌପଦୀଙ୍କ ବିଜୟକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଓଡ଼ିଶାବାସୀ । ସୂଚନାଯୋଗ୍ୟ ଯେ, ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପକ୍ଷରୁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ମିଳିତ ବିରୋଧୀ ଦଳ ମେଣ୍ଟ ପକ୍ଷରୁ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋୱନ୍ତ ସିହ୍ନା ପ୍ରାର୍ଥୀ ଅଛନ୍ତି । ତେବେ ଏହି ନିର୍ବାଚନରେ ଦ୍ରୌପଦୀ ଯଶୋୱନ୍ତଙ୍କୁ ବହୁ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।ପୂର୍ବରୁ ୧୪ତମ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ ରାମନାଥକୋବିନ୍ଦଙ୍କୁ ୬୫%ରୁ ଅଧିକ ଭୋଟ୍‌ ମିଳିଥିବାବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ମୀରା କୁମାରଙ୍କୁ ମାତ୍ର ୨୯% ଭୋଟ୍‌ ମିଳିଥିଲା ।

ଚଳିତ ନିର୍ବାଚନରେ ଦ୍ରୌପଦୀ ମଧ୍ୟ ଅନୁରୂପ ପରିମାଣ ଭୋଟ୍‌ ଠାରୁ ଅଧିକ ଭୋଟ୍‌ରେ ବିଜୟ ଲାଭ କରିବାର ଆଶା କରାଯାଉଛି । ଶ୍ରୀମତୀ ମୁର୍ମୁ ସାନ୍ତାଳ ଜନଜାତିର ଆଦିବାସୀ ହୋଇଥିବାରୁ ସେ ପ୍ରଥମ ଆଦିବାସୀ ଭାବେ ଦେଶର ପ୍ରଥମ ନାଗରିକ ହେବାର ସୌଭାଗ୍ୟ ଲାଭ କରିପାରନ୍ତି । ଏଥିନେଇ ସାରା ଦେଶରେ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି । ତାଙ୍କ ବିଜୟ ନେଇ ଲୋକେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଜାରି ରଖିଛନ୍ତି । ଏଥିନେଇ ଦେବାଳୟମାନଙ୍କରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଶ୍ରୀମତୀ ମୁର୍ମୁଙ୍କ ବିପୁଳ ବିଜୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ବ୍ୟକ୍ତ କରିଛନ୍ତି । ଏପରିକିକେତେକ ନେତା ମଧ୍ୟ ତାଙ୍କୁ ଆଗୁଆ ଅଭିନନ୍ଦନ ଜଣାଇ ସାରିଛନ୍ତି ।

Get real time updates directly on you device, subscribe now.