ବ୍ୟକ୍ତିଙ୍କୁ ମିଳିଲା ୩୪୧୯ କୋଟି ଟଙ୍କାର ବିଲ୍, ଶୁଣିବା ମାତ୍ରେ ହସ୍ପିଟାଲରେ ଭର୍ତ୍ତି

ଗ୍ଵାଲିୟର: ଜଣେ ସାଧାରଣ ନାଗରିକ ହିସାବରେ ଆପଣ ସର୍ବାଧିକ ବିଜୁଳି ବିଲ୍ କେତେ ଶୁଣି ଥିବେ ? ୧୦ ହଜାର, ୫୦ ହଜାର ଏପରିକି ୫ ଲକ୍ଷ ? ହେଲେ ମଧ୍ୟ ପ୍ରଦେଶର ଗ୍ଵାଲିୟରରେ ବିଜୁଳି ବିଭାଗର ଏକ ଅଜବ କାରନାମା ସାମ୍ନାକୁ ଆସିଛି। ସରକାରୀ ବିଜୁଳି କମ୍ପାନୀ ଗ୍ଵାଲିୟରର ନିବାସୀ ପ୍ରିୟଙ୍କା ଗୁପ୍ତାଙ୍କୁ ୩୪୧୯ କୋଟି ଟଙ୍କାର ବିଲ୍ ଧରାଇ ଦେଇଛନ୍ତି। ଆଉ ବିଲ୍ ଶୁଣି ତାଙ୍କ ଶଶ୍ଵର ଅସୁସ୍ଥ ହୋଇ ପଡିଛନ୍ତି ଏବଦଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି।

ବିଜୁଳି କମ୍ପାନୀ ଯେମିତି ଏହାର ସୂଚନା ପାଇଲେ ତୁରନ୍ତ ଇଲେକ୍ଟ୍ରିକ ବିଲ୍ ରେ ସୁଧାର କରିଛନ୍ତି। ମାନବିକ ତ୍ରୁଟି ଥିବା ବିଦ୍ୟୁତ୍ ବିତରଣ କମ୍ପାନୀ କହିଛି। ସୁଧାର ପରେ ବିଜୁଳି ବିଲ୍ ୧୩୦୦ ଟଙ୍କା ଆସିଛି। ଏହି ବିଷୟରେ ଗ୍ଵାଲିୟରର ଶିବ ବିହାର କଲୋନୀର ବାସିନ୍ଦା ତଥା ପ୍ରିୟଙ୍କା ଗୁପ୍ତାଙ୍କ ସ୍ଵାମୀ ସଞ୍ଜୀବ କନକନେ କହିଛନ୍ତି, ଏଥର ତାଙ୍କର ବିଜୁଳି ବିଲ୍ ୩୪୧୯ କୋଟି ଟଙ୍କା ଆସିଛି। ଏହା ଦେଖି ପତ୍ନୀ ଆବାକ୍ ହୋଇ ଯାଇଥିଲେ ଏବଂ ପିତା ଅସୁସ୍ଥ ହୋଇ ପଡିଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ବିଜୁଳି କମ୍ପାନୀର ପୋର୍ଟାଲରେ ଅନଲାଇନରେ ଦେଖିବାରୁ ବିଜୁଳି ବିଲ୍ ସେତିକି ମଧ୍ୟ ଲେଖା ହୋଇଥିଲା।

ସେ କହିଛନ୍ତି, ବିଜୁଳି କମ୍ପାନୀର ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ମଧ୍ୟ ବିଜୁଳି ବିଲ୍ ଶୁଣି ଆଶ୍ଚର‌୍ୟ୍ୟ ପ୍ରକାଶ କରିଥିଲେ। ତୁରନ୍ତ ବିଜୁଳି ବିଲ୍ ସୁଧାର କରିଥିଲେ। ଭୁଲ୍ ବିଜୁଳି ବିଲ୍ ଜୁଲାଇ ୨୦ରେ ଜାରି କରାଯାଇଥିଲା।

ବିଜୁଳି କମ୍ପାନୀର ମହା ପ୍ରବନ୍ଧକ ନୀତିନ ମାଙ୍ଗଲିକ କହିଛନ୍ତି, ଏହା ଏକ ମାନବଜନିତ ତ୍ରୁଟି ଥିଲା। କମ୍ପାନୀର ମୋଟ୍ ଖର୍ଚ୍ଚର ପରିମାଣକୁ ଉପଭୋକ୍ତାଙ୍କ ସର୍ଭିସ୍ କ୍ରମାଙ୍କର ୟୁନିଟ୍ ସ୍ଥାନରେ ପକାଇ ଦିଆଯାଇଥିଲା। ସଫ୍ଟଓ୍ଵେର ମଧ୍ୟ ସେହି ହିସାବରେ ବିଲ୍ ପ୍ରସ୍ତୁତ କରିଦେଲା। ଭୁଲ୍ ଜଣା ପଡିବା ପରେ ତୁରନ୍ତ ଏଥିରେ ସୁଧାର କରାଯାଇଛି। ବର୍ତ୍ତମାନ ଉକ୍ତ ପରିବାରର ମୋଟ୍ ବିଲ୍ ପ୍ରାୟ ୧୩୦୦ ଟଙ୍କା ରହିଛି।

ପୂରା ମାମଲାରେ ମଧ୍ୟ ପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର କହିଛନ୍ତି ଭୁଲକୁ ତୁରନ୍ତ ସୁଧାର କରାଯାଇଛି। ସମ୍ଵନ୍ଧିତ ଅଧିକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।