fbpx

ଦିଲ୍ଲୀ ପରେ ଏବେ ଏହି ରାଜ୍ୟରେ ଗଡିବ ନାହିଁ ପୁରୁଣା ଗାଡି, ବନ୍ଦ ହେବ ୭୦ ଲକ୍ଷ ବାହାନ

ନୂଆଦିଲ୍ଲୀ: ଦିଲ୍ଲୀ ପରେ ଏବେ ପଶ୍ଚିମବଙ୍ଗ ସଡକରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ଗଡିବ ନାହିଁ। ବୁଧବାର ନ୍ୟାସନାଲ ଗ୍ରୀନ ଟ୍ରାଇବ୍ୟୁନାଲ(ଏନଜିଟି) ପଶ୍ଚିମବଙ୍ଗରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡିକୁ ହଟାଇବାର ଆଦେଶ ଦେଇଛନ୍ତି। ଆଗାମୀ ଛଅ ମାସରେ ପର‌୍ୟ୍ୟାୟକ୍ରମେ ଗାଡିଗୁଡିକ ହଟାଯିବାର ଆବଶ୍ୟକତା ରହିଥିବା ଏନଜିଟି ନିଜ ଆଦେଶରେ କହିଛନ୍ତି। ଯେଉଁ ଗାଡିଗୁଡିକୁ ହଟାଯିବ ସେଥିରେ ଅଧିକାଂଶ ବିଏସ୪ ଇଞ୍ଜିନ ବିଶିଷ୍ଟ ଗାଡି ରହିଛି।

୨୦୧୯ରେ ଏକ ଅନୁମାନ ଅନୁଯାୟୀ, ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୧୮ ଲକ୍ଷ ୨୦ ହଜାର ୩୮୨ ଘରୋଇ ବାହାନ ରହିଛି, ଯାହା ୧୫ ବର୍ଷରୁ ଅଧିକ ପୁରୁଣା। ଏହି ପରି ସମଗ୍ର ରାଜ୍ୟରେ ସର୍ବମୋଟ୍ ୬୫ ଲକ୍ଷରୁ ଅଧିକ ଘରୋଇ ବାହାନ ରହିଛି। ଏସବୁକୁ ପର‌୍ୟ୍ୟାୟକ୍ରମେ ହଟାଯାଉ ବୋଲି ଏନଜିଟି ରାଜ୍ୟ ସରକାରଙ୍କୁ କହିଛନ୍ତି। କୋଲକାତାରେ ଚାଲୁଥିବା ବାଣିଜ୍ୟିକ ଗାଡିର ସଂଖ୍ୟା ଅତି କମରେ ୨ ଲକ୍ଷ ୧୯ ହଜାର ୧୩୭ ରହିଛି, ଯାହା ୧୫ ବର୍ଷ ପୁରୁଣା। ରାଜ୍ୟରେ ପୁରୁଣା ବାଣିଜ୍ୟିକ ଗାଡିର ସଂଖ୍ୟା ୬ ଲକ୍ଷରୁ ଅଧିକ ରହିଛି।

ଏନଜିଟିର ବିଚାରପତି ବି ଅମିତ୍ ଷ୍ଟାଲେକର ଏବଂ ବିଶେଷଜ୍ଞ ସଦସ୍ୟ ସାବଲ ଦାସଗପ୍ତାଙ୍କ ଇଷ୍ଟର୍ଣ୍ଣ ବେଞ୍ଚ ମାମଲାର ଶୁଣାଣି କରିଛନ୍ତି। ଆଦେଶରେ କୁହାଯାଇଛି, ପୁରୁଣା ଗାଡିଗୁଡିକୁ ପର‌୍ୟ୍ୟାୟକ୍ରମେ ହଟାଇ ସିଏନଜି ବସ୍ ଏବଂ ଇଲେକ୍ଟ୍ରିକ ବସ୍ ଆରମ୍ଭ କରିବା ସହିତ କ୍ଲିନ ଏବଂ ଗ୍ରୀନ ଟେକ୍ନୋଲୋଜି ଗାଡିର ଉପଯୋଗିତାକୁ ପ୍ରୋତ୍ସାହନ ଦେବା ଉଚିତ୍ ବୋଲି ଏନଜିଟି କହିଛି।

ରାଜ୍ୟ ସରକାର କହିଛନ୍ତି, କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା କମ କରିବା ପାଇଁ ଅନେକ ଉପାୟ କରାଯାଇଛି। ରାଜ୍ୟରେ ପୂର୍ବରୁ ହିଁ ସିଏନଜି ଏବଂ ଇଲେକ୍ଟ୍ରିକ ବସର ଚଳାଚଳ ଆରମ୍ଭ ହୋଇ ସାରିଛି। ରାଜ୍ୟ ସରକାର ବାହାନରୁ ହେଉଥିବା ପ୍ରଦୂଷଣ ହ୍ରାସ ପାଇଁ କୋଲକାତାରେ ୧୨୦୦ ଇଲେକ୍ଟ୍ରିକ ବସ୍ ଚଳାଚଳ ଆରମ୍ଭ କରିବାକୁ ଯୋଜନା କରିଛନ୍ତି।

Get real time updates directly on you device, subscribe now.