fbpx

ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ନିର୍ମଳା ମିଶ୍ର

ନୂଆଦିଲ୍ଲୀ: ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ନିର୍ମଳା ମିଶ୍ର । ସେ କୋଲକାତାର ଚେତଲା ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହାର୍ଟ ଆଟାକ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ ଅନେକ ଓଡ଼ିଆ ଓ ବଙ୍ଗାଳୀ ଫିଲ୍ମରେ କଣ୍ଠଦାନ କରିଥିଲେ ।

ଗତକାଲି ରାତି ୧୨.୦୫ ସମୟରେ ସେ ଏକ ଭୟଙ୍କର ହୃଦଘାତର ଶିକାର ହୋଇଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ନର୍ସିହୋମଙ୍କୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ୧୯୩୮ ମସିହାରେ ପଶ୍ଚିମବଙ୍ଗର ୨୪ ପ୍ରଗଣାଜ ଜିଲ୍ଲାରେ ସେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶା ସଙ୍ଗୀତ ଜଗତ ପ୍ରତି ତାଙ୍କର ଜୀବନ ବ୍ୟାପୀ ତ୍ୟାଗ ରହିଥିବା ବେଳେ ତାଙ୍କୁ ସଙ୍ଗୀତ ବାଳକୃଷ୍ଣ ଦାସ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

‘ଏମନ ଏକତା ଝିନୁକ’, ‘ବୋଲୋ ତୋ ଅରଶୀ’ ‘ଏଇ ବଙ୍ଗଳାର ମାଟି ଟେ’ ଭଳି ବଙ୍ଗାଳୀ ଗୀତରେ ସେ କଣ୍ଠଦାନ କରିଥିଲେ । ସେହିପରି ତାଙ୍କର ଓଡ଼ିଆ ହିଟ୍ ଗୀତ ମଧ୍ୟରେ ‘ନିଦ ଭରା ରାତି ମଧୁ ଭରା ଜହ୍ନ’ ଓ ‘ମୋ ମନ ବୀଣା ର ତାରେ’ ଅନ୍ୟତମ । ତାଙ୍କର ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମବେଦନା ଜଣାଇଛନ୍ତି । ସଙ୍ଗୀତ ଜଗତରେ ତାଙ୍କର ସ୍ଥାନ ସର୍ବଦା ଅପୂରଣୀୟ ହୋଇ ରହିବ ।

Get real time updates directly on you device, subscribe now.