fbpx

ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୋଲିବ ଆବାସ୍ ପ୍ଲସ୍ ପୋର୍ଟାଲ, କେନ୍ଦ୍ରମନ୍ତ୍ରୀ ଗିରିରାଜଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପାଖାପାଖି ୨୭ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ହୋଇଛନ୍ତି । ରାଜ୍ୟର ହିତାଧିକାରୀଙ୍କ ପାଇଁ ଆବାସ୍ ପ୍ଲସ୍ ପୋର୍ଟାଲ ଖୋଲିବା ଆବଶ୍ୟକ । ଜଣେ ହେଲେ ବି ହିତାଧିକାରୀ ଏହି ଯୋଜନାରୁ ଯେପରି ବଞ୍ଚିତ ନହେବେ, ସେଥିଲାଗି ବ୍ୟାପକ ତଦାରଖ ଜରୁରୀ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଯୋଗ୍ୟ ହିତାଧିକାରୀ ପରମାନେଣ୍ଟ େଓଟିଂ ଲିଷ୍ଟରେ ଥାଇ ବି ବାସଗୃହ ପାଇ ପାରୁନାହାନ୍ତି । ଏନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଆଲୋଚନା କରିଛନ୍ତି ।

୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବଜେଟ ଓ ସମୟସୀମା ବୃଦ୍ଧି କରାଯାଇଛି । ତେଣୁ ଆବାସ ପ୍ଲସ ୱିଣ୍ଡୋ ଖୋଲାଯାଇ ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ପାଇଁ ଓଡ଼ିଶାକୁ ସୁଯୋଗ ଦେବା ଉଚିତ୍ । ରାଜ୍ୟର ଗରିବ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ସୁନିଶ୍ଚିତ ହେବା ଦରକାର । ଆବାସ ପ୍ଲସ ୱିଣ୍ଡୋ ଖୋଲାଯାଇ ରୁରାଲ ହାଉସିଂ ପୋର୍ଟାଲରୁ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ପରମାନେଣ୍ଟ ୱେଟିଂ ଲିଷ୍ଟକୁ ସ୍ଥାନାନ୍ତର କରାଯାଇ ଓଡ଼ିଶାକୁ ସୁଯୋଗ ଦିଆଯିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।

ତେବେ ଏନେଇ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଧର୍ମେନ୍ଦ୍ରଙ୍କ ସହ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ପ୍ରତିଶ୍ରୁତି ଦେଇଛନ୍ତି । ଦେଶର ଗରିବ, ଦିବ୍ୟାଙ୍ଗ, ଏସସି, ଏସଟି, ଓବିସି, ସଂଖ୍ୟାଲଘୁ ଓ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ । ଏହି ଯୋଜନାରେ ୨.୯୫ କୋଟି ଗୃହ ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ଅତିରିକ୍ତ ୧.୨୫ କୋଟି ଟଙ୍କାର ବଜେଟ୍ ଅନୁଦାନ କରାଯାଇଛି ।

Get real time updates directly on you device, subscribe now.