(Video) ଯଦି ତୁମକୁ ଏତେ ଦୟା ଲାଗୁଛି, ତୁମେ ମୋ ପିଲାର ବାପା ହୋଇଯାଅ, ମୁଁ ତୁମ ଦାଣ୍ଡରେ ଯାଇ ଧାରଣା ଦେବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେବେ ନ୍ୟାୟ ପାଇବେ ଧାରଣାରେ ବସିଥିବା କେ.ଦୀପିକା । ଗତ ୧୧ ଦିନ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି ଦୀପିକା । ବିବାହର ପ୍ରତିଶ୍ରୁତି ଦେଇ ଦିନେଶ ତାଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିଥିବା ବେଳେ ଏହା ମଧ୍ୟରେ ଦୀପିକାଙ୍କର ଏକ ବର୍ଷର ଛୁଆଟିଏ ରହିଛି । ନିଜର ହକ୍ ଓ ସନ୍ତାନର ପରିଚୟ ପାଇଁ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା ।

ଦୀପିକା କହିଛନ୍ତି, ଗତକାଲି ମୋ ଶାଶୂ ହାଇ ଭୋଲଟେଜ୍ ଡ୍ରାମା ସୃଷ୍ଟି କରିଥିଲେ । ମୋତେ ଏଠାରୁ ଉଠାଇବା ପାଇଁ ବହୁତ ଚେଷ୍ଟା କରାଯାଉଛି । କ୍ରିଷ୍ଣା ରାଜୁ ମୋତେ ବହୁତ ଖରାପ ଭାଷାରେ ଗାଳି କରିଛନ୍ତି । ମୁଁ ଏଠାରୁ ହଟିଯିବି ବୋଲି ସେମାନେ ଜାଣିଶୁଣି ଏଭଳି କରୁଛନ୍ତି । ମାତ୍ର ମୁଁ ହଟିବି ନାହିଁ, ମୋତେ ନ୍ୟାୟ ଦରକାର । ମୁଁ ନ୍ୟାୟ ମାଗିବା ପାଇଁ ମୋ ସ୍ୱାମୀଙ୍କ ଦୁଆରକୁ ଆସିଛି । ମୁଁ କାହା ଦୁଆରକୁ ଯାଇନି ନ୍ୟାୟ ମାଗିବାକୁ । ଯଦି ଆପଣଙ୍କୁ ଏତେ ଦୟା ଲାଗୁଛି, ତେବେ ମୋ ପିଲାକୁ ତା’ର ଷ୍ଟାଟସ୍ ଦେଇ ଦିଅନ୍ତୁ ମୁଁ ଆପଣଙ୍କ ଦୁଆରକୁ ଚାଲିଯିବି ।

ପ୍ରମିଳା ମାଆଙ୍କୁ ମଧ୍ୟ ବହୁତ ଖରାପ ଆଚରଣ କରାଯାଇଛି । ତାଙ୍କୁ ଆଉ ମୋତେ ଏଠାରୁ ହଟାଇବାକୁ ଚକ୍ରାନ୍ତ ଚାଲିଛି । ଆମେ ଦୁହେଁ ଗୋଟିଏ ଛୁଆର ନ୍ୟାୟ ପାଇଁ ବସିଛୁ । ଦିନେଶଙ୍କ ଉପରକୁ କେସ୍ ଉଠାଇ ରଫାଦଫା କରିବା ପାଇଁ ପ୍ରମିଳା ମାଆ ଓ ମୋତେ ୩୦ ଲକ୍ଷ ଟଙ୍କା ଯାଚିଥିଲେ ବୋଲି ଦୀପିକା କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ଦିନେଶ ମିଡ଼ିଆ ସାମ୍ନାକୁ ଆସିଥିଲେ । ସେ ଆଇନକୁ ସମ୍ମାନ ଦିଅନ୍ତି, କୋର୍ଟ ଯାହା ନିର୍ଦ୍ଦେଶ ଦେବେ ସେ ତାହାକୁ ମାନିବେ ବୋଲି ଦିନେଶ କହିଥିଲେ ।