(Video) ମୁଁ କ’ଣ ସତରେ ଅପବିତ୍ର, ସାଇ ପଡ଼ିଶା କହୁଛନ୍ତି ମୁଁ ଛୋଟ ଜାତି: ମୁଖ୍ୟମନ୍ତ୍ରୀଙ୍କୁ ଶୁଭଦ୍ରାଙ୍କ କୋହଭରା ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋର ଜନ୍ମକଲା ବାପା-ମାଆ କିଏ ମୁଁ ଜାଣିନି । ମୁଁ ହତଭାଗିନୀଟିଏ । ମୁଁ ଦ୍ୱିତୀୟ ଶ୍ରେଣୀରେ ପାଢ଼ ପଢ଼ୁଥିବା ସମୟରେ ମୋତେ ଲାଳନ ପାଳନ କରୁଥିବା ବାପା ମୋତେ ଛାଡ଼ି ଆରପାରିକୁ ଚାଲିଗଲେ । ବାପା ଚାଲିଗଲା ପରେ ମାଆ ମୋର ମାନସିକ ରୋଗରେ ଆକ୍ରାନ୍ତ ହୋଇ ରହିଛି । ମୁଁ ଜାତିରେ କଣ୍ଡରା ହୋଇଥିବାରୁ ପଡ଼ିଶା ଘର ଲୋକମାନେ ମୋତେ ତାଙ୍କ ଘରେ ବସାନ୍ତି ନାହିଁ । ତୁ ଆମ ଘରକୁ ଆସିବୁ ନାହିଁ, ଆମକୁ ଛୁଇଁବୁନି ଏପରି ଅନେକ କଥା କୁହନ୍ତି । ପରେ ମୁଁ ବଡ଼ ହେଲା ପରେ ଜାଣିଲି ମୋର ବାପା ମୋତେ ଏକ ପଛୁଆ ଜାତିରୁ ଆଣି ପାଳିଥିଲେ ।

ମୋତେ ଛୁଇଁଲେ କୁଆଡ଼େ ଅଶୁଭ ହେବ ବୋଲି ସେମାନେ ମୋଠାରୁ ଦୂରେଇ ରହୁଛନ୍ତି । ମାଆ ପାଉଥିବା ୫ ଶହ ଟଙ୍କା ଭତ୍ତାରେ ଆମେ ଓଳିଏ ଖାଇ ଓଳିଓ ଉପାସରେ ରହୁଛୁ । ବାପା ତିଆରି କରିଥିବା ଘରଟି ଏବେ ଭାଙ୍ଗିଗଲାଣି । ବର୍ଷା ହେଲେ ଘରୁ ପାଣି ଗଳୁଛି, ହେଲେ ମରାମତି କରିବାକୁ ପଇସାଟିଏ ନାହିଁ । ତଥାପି ମୁଁ ସ୍ୱପ୍ନ ଦେଖିଛି, ମୁଁ ପାଠପଢ଼ି ମୋ ମାଆଙ୍କର ଚିକିତ୍ସା କରାଇବି । ଏହା କୌଣସି ସିନେମାର କାହାଣୀ ନୁହେଁ, ଏହା ହେଉଛି ବାଲେଶ୍ୱର ଜିଲ୍ଲାର ଏକ ନିରୀହ ଝିଅ ଶୁଭଦ୍ରା ପଣ୍ଡାଙ୍କ କାହାଣୀ ।

ପିଲାବେଳୁ ଶୁଭଦ୍ରାଙ୍କୁ ତାଙ୍କ ବାପା ଆଣି ଘରେ ରଖିଥିଲେ । ବାପା ଚାଲିଗଲା ପରେ ଶୁଭଦ୍ରା ଆଜି ମାଆଙ୍କ ସହ ବହୁ ଦୁଃଖରେ ରହୁଛନ୍ତି । ନିଜର ଦୁଃଖ ବିଷୟରେ ଦଶମ ଶ୍ରେଣୀରେ ପଢ଼ୁଥିବା ଶୁଭଦ୍ରା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏଇ ଚିଠିଟି ପଢ଼ିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଏତେ ଛୋଟ ଝିଅଟେ ହେଲେ ବି ତା’ର କଥା ଶୁଣିଲେ ମଣିଷ ତ ମଣିଷ ପଶୁପକ୍ଷୀଙ୍କ ହୃଦୟ ମଧ୍ୟ ତରଳିଯିବ । ଶୁଭଦ୍ରାଙ୍କ କଥା ମୁଖ୍ୟମନ୍ତ୍ରୀ ଶୁଣନ୍ତୁ, ଆଉ ତାଙ୍କୁ ସାହାଯ୍ୟ କରନ୍ତୁ ଏହା ହିଁ ଆମର କାମନା ।