fbpx

କୁଆଡେ ଗଲା! ଗାଁ, ବିଲ, ଜଙ୍ଗଲରେ ଚାଲିଛି ଖୋଜାଖୋଜି, ଜେଲ ପାଚେରୀ ଡେଇଁ କଏଦୀ ଚମ୍ପଟ..

ବାଲେଶ୍ୱର: ଜଣେ କଏଦୀ ଏବେ ବାଲେଶ୍ୱର ଜିଲ୍ଲା ପୋଲିସକୁ ନାକେଦମ କରି ରଖିଛି । ପୋଲିସ ଷ୍ଟେସନ ସହିତ ସାରା ଅଞ୍ଚଳକୁ ବି ଅଣନିଶ୍ୱାସୀ କରି ଦେଇଛି ଜେଲ ଫେରନ୍ତା କଏଦୀ । ଯାହାକୁ ଖୋଜିବା ପାଇଁ ପୋଲିସ ବାବୁଙ୍କ ସହ ଗାଁ ପିଲା ସବୁ ଲାଗି ପଡିଛନ୍ତି । ଗାଁ-ଗଣ୍ଡାରୁ ଆରମ୍ଭ କରି ବିଲ, ବଣ ସବୁଆଡେ ଚାଲିଛି ସର୍ଚ୍ଚ ଅପରେସନ । ଜେଲ ପାଚେରୀ ଡେଇଁ କଏଦୀ ଚମ୍ପଟ ମାରିବା ପରେ ପୋଲିସର ଅକଲ ଗୁଡୁମ ହୋଇଯାଇଛି ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରର ସୋର ସବ ଜେଲରେ । ଦୁଷ୍କର୍ମ ମାମଲାରେ ମୟୁରଭଞ୍ଜର ସୁଦାମ ବିଚାରଧିନ କଏଦୀ ଭାବେ ସଜା କାଟୁଥିବା ବେଳେ, ଆଜି ପାଚେରୀ ଡେଇଁ ଚମ୍ପଟ ମାରିଛି । ଜେଲ ପାଖ ବିଲ ବାଟ ଦେଇ କଏଦୀ ଫେରାର ହୋଇଯାଇଥିବା ଜାଣିବାକୁ ମିଳିଛି । ତେବେ ଅଭିଯୁକ୍ତକୁ ଧରିବା ପାଇଁ କସରତ ଆରମ୍ଭ କରିଛି ପୋଲିସ । ବିଭିନ୍ନ ସ୍ଥାନରେ ଜେଲର କର୍ମଚାରୀମାନେ କଏଦୀକୁ ଖୋଜି ଖୋଜି ନୟାନ୍ତ ହୋଇଗଲେଣି । କିନ୍ତୁ ଏ ପର୍ଯ୍ୟନ୍ତ ଅଭିଯୁକ୍ତର ଟେର ପାଇନି ସୋର ସବ ଜେଲ ପୋଲିସ ।

ତେବେ କିଛିଦିନ ତଳେ ଜେଲର କଏଦୀ ମାଡ଼ ମରା ଘଟଣା, ନିମ୍ନମାନର ଖାଦ୍ୟ ପ୍ରଦାନ ଦିଆଯାଉଥିବା ଅଭିଯୋଗ, ଜଣେ କଏଦୀ ପାଇଖାନାରେ ଜୀବନ ଦେଇଥିବା ଘଟଣା, ଜେଲ ଭିତରେ ମୋବାଇଲ ଜବତ ଘଟଣା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ଜେଲର ଭାବେ ପ୍ରିୟମ୍ବଦା ପଣ୍ଡା ଆସିବା ପରେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଉଚ୍ଚ କର୍ତ୍ତୃପକ୍ଷ ଏହାକୁ ଦୃଷ୍ଟିରେ ରଖି ତଦନ୍ତ କରିବା ପାଇଁ ଦାବି ହୋଇଛି । ଅନ୍ୟପଟେ କଏଦୀ ଫେରାର ଘଟଣା ନେଇ ଜେଲର ପ୍ରିୟମ୍ବଦା ପଣ୍ଡା କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

Get real time updates directly on you device, subscribe now.