fbpx

୩୩ ପ୍ରତିଶତ ମହିଳା କରୁନାହାଁନ୍ତି କୌଣସି ନିବେଶ: ସର୍ଭେ ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଭାରତରେ ମହିଳା ପ୍ରାୟ ସବୁ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି । ଆଇଟି, ବ୍ୟାଙ୍କିଂ, ଫ୍ୟାସନ, ମେଡିକାଲ, ମିଡିଆ ସହ ପ୍ରାୟ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରୁଛନ୍ତି । କିନ୍ତୁ ଶେୟାର ବଜାର ଏବଂ ଅନ୍ୟ ପ୍ରକାରର ନିବେଶରେ ମହିଳାଙ୍କର ଭାଗୀଦାରୀ ଏବେବି ବହୁତ କମ୍ ।

ସାଧାରଣତଃ ଏହା ଦେଖାଯାଇଛି ଯେ ମହିଳାଙ୍କଠାରେ ସଞ୍ଚୟ ଅଭ୍ୟାସ ଥାଏ । କିନ୍ତୁ ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି ଯେ ଭାରତରେ ୩୩ ପ୍ରତିଶତ ମହିଳା କୌଣସି ପ୍ରକାର ନିବେଶ କରିନଥାନ୍ତି । ୨୧ ରୁ ୨୫ ବର୍ଷ ବୟସର ଏହି ସଂଖ୍ୟା ୪୦ ପ୍ରତିଶତ ରହିଛି । ଏଲଏକ୍ସଏମଇ ଦ୍ୱାରା ଆକ୍ସିସ ମାଇଁ ଇଣ୍ଡିଆ ସହ ମିଶି କରାଯାଇଥିବା ସର୍ଭେ ସାମ୍ନାକୁ ଆସିଛି । ସର୍ଭେରେ କୁହାଯାଇଛି ଯେ ଦେଶରେ ୫୫ ପ୍ରତିଶତ ମହିଳାଙ୍କୁ ନିବେଶ ବିଷୟରେ ଅଧିକ ଜଣାନାହିଁ । ଅଧିକାଂଶ ମହିଳା କେବଳ ସଞ୍ଚୟ କରନ୍ତି, କିନ୍ତୁ ନିବେଶରେ ଭାଗୀଦାରୀ କମ୍ ଦେଖାଯାଏ । ଅନେକ ସମୟରେ କମ୍ପାନୀରେ ବଡ଼ ଦାୟିତ୍ୱ ସମ୍ଭାଳୁଥିବା ମହିଳା ମଧ୍ୟ ଦୈନନ୍ଦିନ କାମ, ଘର ଏବଂ ପିଲାଙ୍କ ଚିନ୍ତାରେ ବ୍ୟସ୍ତ ରହିବା କାରଣରୁ ନିବେଶ ଭଳି ଗୁରତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେଇପାରନ୍ତି ନାହିଁ ।

ଭାରତରେ ମହିଳାମାନେ ଅଧିକାଂଶ ଗହଣା, ବ୍ୟାଙ୍କ ଫିକ୍ସ ଡିପୋଜିଟ୍, ପିପିଏଫ୍, ଏଣ୍ଡୋମେଣ୍ଟ ପଲିସି ଭଳି ନିବେଶ କରନ୍ତି । ସେହିପରି ଶେୟାର ମାର୍କେଟରେ ମହିଳାଙ୍କ ଭାଗୀଦାରୀ କମ୍ ରହିଛି । ଏଥିରେ ମହିଳାଙ୍କ ଭାଗୀଦାରୀ କେବଳ ୨୧ ପ୍ରତିଶତ ରହିଛି । ଏହିଭଳି ଭାବରେ ଭାରତରେ ପ୍ରତି ୧୦୦ ନିବେଶକଙ୍କ ମଧ୍ୟରେ କେବଳ ୨୧ ମହିଳା ରହିଛନ୍ତି । ଚୀନରେ ୩୪ ପ୍ରତିଶତ, ଦକ୍ଷିଣ ଆଫ୍ରିକା ରେ ୩୩ ପ୍ରତିଶତ ଏବଂ ମାଲେସିଆରେ ୨୯ ପ୍ରତିଶତ ।

ଶେୟାର ବଜାର ଏବଂ ଅନ୍ୟ ନିବେଶରେ ମହିଳାଙ୍କ ଭାଗୀଦାରୀ କମ୍ ହେବାର ଅନେକ କାରଣ ରହିଛି । ଏଥିରେ ଘରର ଦାୟି୍ବତ ସମ୍ଭାଳିବା କାରଣୁ ସମୟର ଅଭାବ, ଫାଇନାନ୍ସସିଆଲ ନଲେଜ୍ ନହେବା ଏବଂ ଟଙ୍କା ବୁଡ଼ିଯିବା ଡର ଆଦି ରହିଛି ।

ତେବେ ମହିଳାଙ୍କର ନିବେଶ ବୃଦ୍ଧି କରିବାକୁ ହେଲେ ଆମକୁ ଟଙ୍କା-ପଇସା ସହ ଜଡ଼ିତ ମାମଲାରେ ମହିଳାଙ୍କ ରୁଚିକୁ ବଢ଼ାଇବାକୁ ଚେଷ୍ଟା କରିବା ଦରକାର । ସେମାନଙ୍କୁ ନିବେଶର ଫାଇଦା ବିଷୟରେ ବୁଝାଇବା ଏବଂ ନିବେଶର ସହଜ ପ୍ରକ୍ରିୟାର ତଥ୍ୟ ଦେବାକୁ ଚେଷ୍ଟା କରିବା ଦରକାର । ଏହାଦ୍ୱାରା ସେମାନଙ୍କ ଭରସା ବଢ଼ିବ ଏବଂ ସେମାନଙ୍କ ମଧ୍ୟରେ ନିବେଶ ପାଇଁ ରୁଚି ମଧ୍ୟ ବଢ଼ିବ ।

Get real time updates directly on you device, subscribe now.