fbpx

୧୪୭ଟି ନିର୍ବାଚନ ମଣ୍ଡଳୀରେ ନିର୍ମାଣ ହେବ ବିଧାୟକ ଭବନ, ସଦାଚାର କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ନିର୍ମାଣ ହେବ ବିଧାୟକ ଭବନ । ସେଠାକୁ ଯାଇ ଜନସାଧାରଣ ନିଜ ନିଜର ଆପତ୍ତି, ଅଭିଯୋଗ ଜଣାଇ ପାରିବେ । ବିଧାୟକମାନେ ଉକ୍ତ ଭବନରେ ଲୋକଙ୍କ ଅଭିଯୋଗ ଓ ସମସ୍ୟା ଶୁଣିବେ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରିବେ ।

ଏଥିସହିତ ଉନ୍ନୟନ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହେବ । ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭବନ ନିର୍ମାଣ କରିବାକୁ ବିଧାନସଭା ସଦାଚାର କମିଟି ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି ।

ଗତକାଲି ଏନେଇ ବିଧାନସଭା ପରିସରରେ ସଦାଚାର କମିଟିର ଏକ ମିଟିଂ ବସିଥିଲା । ଉକ୍ତ ବୈଠକରେ କମିଟି ଅଧ୍ୟକ୍ଷ ଅମର ପ୍ରସାଦ ଶତପଥୀ, ସଭ୍ୟ ଭୂପିନ୍ଦର ସିଂହ, ପ୍ରଫୁଲ୍ଲ ସାମଲ, ପ୍ରତୀପ ମାଢ଼ୀ, ଅନନ୍ତ ଦାସ ଓ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଆସନ୍ତା ୧୨ ତାରିଖରୁ ସଦାଚାର କମିଟି ରାଜ୍ୟର ୪ଟି ଜିଲ୍ଲା ଗସ୍ତ କରିବ । ୧୨ରୁ ୧୫ ତାରିଖ ମଧ୍ୟରେ କମିଟି ରାୟଗଡ଼ା, କୋରାପୁଟ, ଗଜପତି ଓ ମାଲକାନଗିରି ଗସ୍ତ କରି ବୁକ୍ ସର୍କୁଲାର-୪୭ କିପରି ପାଳନ ହେଉଛି ସେ ନେଇ ତଦାରଖ କରିବ । ତେବେ ବିଧାୟକ ଭବନ ନିର୍ମାଣ ପାଇଁ କମିଟି ପକ୍ଷରୁ ସରକାରଙ୍କୁ ସୁପାରିଶ କରାଯାଇଛି ।

Get real time updates directly on you device, subscribe now.