fbpx
BJD
BJD SKY
BJD SKY

ଅଲୌକିକ ଦେବୀ ଚେକା ସାଆନ୍ତାଣୀ: ଅଟକାଇଲେ ଟ୍ରେନ, ଦୃଷ୍ଟ ବ୍ରିଟିଶ ବାବୁଙ୍କୁ କଲେ ସଂହାର

ଭଦ୍ରକ: ଓଡିଶାରେ ଏମିତି ଅନେକ ଆଶ୍ଚର୍ଯ୍ୟଜନକ ଐତିହ୍ୟ ସମ୍ପନ୍ନ ଓ କିମ୍ବଦନ୍ତୀ ପୂର୍ଣ୍ଣ ଦେବାଦେବୀଙ୍କ ପୀଠ ଆଜିବି ଅନଲୋଚିତ ଅବହେଳିତ ଭାବେ ଲୁଚି ରହିଛି । ଯେଉଁଠି ଦେବାଦେବୀ ମାନଙ୍କରେ ଅଲୌକିକ ଶକ୍ତି, କୃପା ଓ ମହିମା ଆଜିବି କାଳଜୟୀ ହୋଇ ଇତିହାସ ପୁରାଣ ସମେତ କିମ୍ବଦନ୍ତୀ ହୋଇ ଲୋକମୁଖରେ ପ୍ରଚାରିତ ହେଉଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ଆଶ୍ଚର୍ଯ୍ୟଜନକ ଦେବୀ ପୀଠ ସମ୍ପର୍କରେ କହିବୁ ଯେଉଁଠି ସ୍ୱୟଂ ଦୁର୍ଗା ସ୍ୱରୁପା ବନ ଦେବୀ ଏକ ଚେକା ପଥରରେ ଚେକା ସାଆନ୍ତାଣୀ ଭାବେ କାହିଁ କେଉଁ ଅନାଦି କାଳରୁ ପୂଜା ପାଇ ଆସୁଛନ୍ତି ।

ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକର ଦକ୍ଷିଣବାଡ଼ ପଞ୍ଚାୟତ ଉତ୍ତରବାଡ଼ ବଣସାହି ଓ ବାହାଦଲପୁର ମଧ୍ୟ ସ୍ଥଳରେ ପୂଜା ପାଉଛନ୍ତି ଶକ୍ତିମୟୀ ମା ଚେକା ସାଆନ୍ତାଣୀ । ଏକ ଐତିହାସିକ କାହାଣୀ ମା ଚେକା ସାଆନ୍ତାଣୀଙ୍କର ଆଜିବି ଜନଶ୍ରୁତି ହୋଇ ରହିଛି । ଇଂରେଜ ବାବୁ ମାନେ ମାଆଙ୍କ ଆସ୍ଥାନ ପୀଠ ଉଠେଇ ସେଇବାଟେ ନୂଆନଈ କେନାଲ ଖୋଳିବାକୁ ଉଦ୍ୟମ କଲେ । ହେଲେ ମାଙ୍କ ଚେକା ପଥର ଉଠେଇ ପାରିଲେ ନାହିଁ । ଶେଷରେ ଏକ ବିଶାଳ ହସ୍ତୀଙ୍କୁ ଲଗେଇଲେ ହେଲେ ଚାରିଆଡେ ଭୟଙ୍କର ଗର୍ଜନ ଶୁଭିଲା । ଶେଷରେ ହାତୀଟି ବିଲରେ ପଡ଼ି ମରିଗଲା ଆଉ ମା ଙ୍କ ଆସ୍ଥାନ ଉଠେଇବାକୁ କହିଥିବା ଇଂରେଜ ବାବୁ ନଗୁଆଁ ଗ୍ରାମ ପାଖରେ ରକ୍ତବାନ୍ତି କରି ଜୀବନ ହରାଇଥିଲେ ।

ବନ ଦେବୀ ମା ଚେକା ସାଆନ୍ତାଣୀଙ୍କର ଅନେକ ମହିମା ଓ ଅଲୋକିକ ଶକ୍ତି ସମେତ କାଉଁରୀକାମାକ୍ଷାରୁ ସିଦ୍ଧି ଲାଭ କରିଥିବା ସୂର୍ଯ୍ୟ ଉପାସକ ଶ୍ରୀଗଙ୍ଗାରୁ ଆସିଥିବା ସିଦ୍ଧବାବା ସ୍ୱର୍ଗତ ଶ୍ୟାମ ସୁନ୍ଦର ଦାସ ମହାରାଜଙ୍କ ଖ୍ୟାତି ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଲା । ସେହି ସମୟରୁ ଆଜି ଯାଏଁ ପ୍ରତିବର୍ଷ ମକର ସଂକ୍ରାନ୍ତିରେ ମା ଚେକା ସାଆନ୍ତାଣୀଙ୍କର ବାର୍ଷିକ ମେଳା ଧୁମ ଧାମରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ଅନୁଷ୍ଠିତ ହୋଇ ଆସୁଅଛି । ହେଲେ ବିଡ଼ମ୍ବନାର ବିଷୟ ଐତିହ୍ୟ କିମ୍ବଦନ୍ତୀ ପୂର୍ଣ୍ଣ ଏକ ସ୍ୱତନ୍ତ୍ର ଶକ୍ତି ପିଠ ଭାବେ ପରିଚିତ ମା ଚେକା ସାଆନ୍ତାଣୀଙ୍କର ପୀଠ ଆଜି ବି ଅବହେଳିତ ହୋଇ ବିକାଶ ଅପେକ୍ଷାରେ । ବର୍ଷା ୪ ମାସ ଜଳ ନିଷ୍କାସନ ନ ହୋଇ ପାରିବାରୁ ପୀଠଟି ଜଳମଗ୍ନ ରହୁଥିବା ବେଳେ ପାଣିରେ ବୁଡି ରହୁଛନ୍ତି ଶକ୍ତିମୟୀ ବନଦେବୀ ମା ଚେକା ସାଆନ୍ତାଣୀ ।

ଏଥି ସହିତ ଦୂର ଦୁରାନ୍ତରୁ ଆସୁଥିବା ଯାତ୍ରୀଙ୍କ ରହିବା ପାଇଁ ବିଶ୍ରାମଗାର ନ ଥିବାରୁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଶ୍ରଦ୍ଧାଳୁ ।ସବୁଠୁ ଦୁଃଖର କଥା ଏବେ ବି ଅନ୍ଧାର ଭିତରେ ମା ଚେକା ସାଆନ୍ତାଣୀ । ପୁରୁଣା ଭାଗବତ ଟୁଙ୍ଗୀଟି ଭାଙ୍ଗି ଯିବାରୁ ମା ଚେକା ସାଆନ୍ତାଣୀଙ୍କର ପୀଠକୁ ଲାଗି ଏକ ଶିବ ମନ୍ଦିରର ଦୈନିକ ଭାଗବତ ପାଠ କରାଯାଉଛି । ତେବେ ଏହି ପୀଠରେ ଯାତ୍ରୀ ବିଶ୍ରାମଗାର,ଆଲୋକି କରଣ, ଜଳ ନିଷ୍କାସନ ବ୍ୟବସ୍ଥା ସମେତ ଏକ ଭାଗବତ ଟୁଙ୍ଗି ପ୍ରତିଷ୍ଠା ପାଇଁ ପୂଜକ ମଣ୍ଡଳୀ ଓ ସ୍ଥାନୀୟ ଅଞ୍ଚଳବାସି ଦାବି କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ,ଜିଲ୍ଲା ପରିଷଦ ଏହାର ଖୁବଶୀଘ୍ର ଏହି ପୀଠର ବିକାଶ ନେଇ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ତେବେ କେବେ ମା ସାଆନ୍ତାଣୀ ପୀଠର ବିକାଶ ହେଉଛି ତାହା କେବଳ ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.