fbpx

ସିରିଜକୁ କବଜା କଲା ରୋହିତ ସେନା: ଧୂଆଁଧାର ବ୍ୟାଟିଂରେ ଚକମାରେ ଖାଇଲା କଙ୍ଗାରୁ

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜକୁ ହାତେଇ ନେଇଛି ଟିମ ଇଣ୍ଡିଆ । ଶେଷ ତଥା ଫାଇନାଲ ମ୍ୟାଚକୁ ୬ ୱିକେଟରେ ଜିତି ଏହି ସିରିଜକୁ ନିଜ ନାମରେ କରିଛି ରୋହିତ ସେନା । ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ବ୍ୟାଟିଂରେ ଏହି ମ୍ୟାଚକୁ ନିଜ କରିଛି ମେନ ଇନ ବ୍ଲୁ । ବିରାଟ-ସୂର୍ଯ୍ୟକୁମାରଙ୍କ ୧୦୪ ରନର ଏକ ମହତ୍ତ୍ୱପୂର୍ଣ୍ଣ ପାର୍ଟନର ସିପ ଆଜି ଭାରତକୁ ସିରିଜ ଭେଟି ଦେଇଛି ।

୧୮୭ ରନର ଏକ ବଡ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା । ମାତ୍ର ୧ ରନରେ ଦଳର ଉପଅଧିନାୟକ କେ.ଏଲ ରାହୁଲଙ୍କୁ ହରାଇଥିଲା ଟିମ ଇଣ୍ଡିଆ । ଏହାପରେ ରୋହିତ ମଧ୍ୟ ୧୭ ରନ କରି ପାଭିଲିୟନ ଫେରି ଆସିଥିଲେ । ଏହାପରେ ବିରାଟ ଏବଂ ସୂର୍ଯ୍ୟକୁମାର ଯାଦବ ଧିରେ ଧିରେ ପାଳି ଆଗକୁ ବଢାଇଥିଲେ । ଉଭୟଙ୍କ ମଧ୍ୟରେ ହୋଇଛି ୧୦୪ ରନର ଏକ ବିଶାଳ ପାର୍ଟନରସିପ । ଯାହା ଅଷ୍ଟ୍ରେଲିଆର ସିରିଜ ଜିତିବାର ସ୍ୱପ୍ନକୁ ଭାଙ୍ଗି ଦେଇଛି । ଭାରତର ପୂର୍ବ ଅଧିନାୟକ ବିରାଟ କୋହଲି ୪୮ ବଲରୁ ୬୩ ରନ କରିଥିବା ବେଳେ ଏଥିରେ ୩ଟି ଚୌକା ଏବଂ ୪ଟି ଛକା ସାମିଲ ରହିଥିଲା । ଅନ୍ୟ ପକ୍ଷରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ମାତ୍ର ୩୬ ବଲରୁ ୬୯ ରନ ସଂଗ୍ରହ କରିଛନ୍ତି । ଏହି ପାଳିରେ ୫ଟି ଲେଖାଏଁ ଛକା ଏବଂ ଚୌକା ମାରିଛନ୍ତି ସୁର୍ଯ୍ୟକୁମାର ।

ଶେଷରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୬ ବଲରୁ ୨୫ ରନ କରିଛନ୍ତି । ତେବେ ବିରାଟ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଏହି ଜବରଦସ୍ତ ପାଳି ଅଷ୍ଟ୍ରେଲିଆ ହାତରୁ ସିରିଜକୁ ଛଡାଇ ଆଣିଛି । ତେବେ ଅଷ୍ଟ୍ରେଲିଆ ପକ୍ଷରୁ ଏହି ମ୍ୟାଚରେ ୨ଟି ୱିକେଟ ଅକ୍ତିଆର କରିଛନ୍ତି ଡାନିଏଲ ସାମ୍ସ । ତାଙ୍କ ବ୍ୟତୀତ ଜୋସ ହାଜେଲଉଡ ଏବଂ ପ୍ୟାଟ କମିନ୍ସ ଗୋଟିଏ ଲେଖାଏଁ ସଫଳତା ହାସଲ କରିଛନ୍ତି ।

Image

ଏହି ମ୍ୟାଚ ସହିତ ଟି-୨୦ ସିରିଜକୁ ମଧ୍ୟ କବଜା କରିଛି ଟିମ ଇଣ୍ଡିଆ । ଗୋଟିଏ ବଲ ବାକି ଥାଇ ୬ ୱିକେଟରେ ମ୍ୟାଚ ଜିତିଛି ରୋହିତ ସେନା । ପ୍ରଥମ ଟି-୨୦ରେ ହାରିବା ପରେ ସିରିଜକୁ ଏକ ଦମଦାର କମବ୍ୟାକ କରିଛଇ ମେନ ଇନ ବ୍ଲୁ । ଫଳରେ ବିଶ୍ୱ ଚମ୍ପିଆନ ଅଷ୍ଟ୍ରେଲିଆକୁ ମାତ ଦେଇ ସିରିଜ ହାତେଇଛି ଟିମ ଇଣ୍ଡିଆ ।

Get real time updates directly on you device, subscribe now.