ନୂଆଦିଲ୍ଲୀ: ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ନିଜର ଅଭିଯାନ ଆରମ୍ଭ କରିଦେଇଛି । ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଖେଳାଳି ଅଷ୍ଟ୍ରେଲିଆରେ ପହଞ୍ଚିସାରିଛନ୍ତି । କିନ୍ତୁ ଦଳରେ ଷ୍ଟାର ବୋଲର ଜଶପ୍ରୀତ ବୁମରାହଙ୍କ ଅନୁପସ୍ତିତି ନଜର ଆସିଛି । ପିଠିରେ ଯନ୍ତ୍ରଣା ଯୋଗୁଁ ବିଶ୍ୱକପରୁ ବାଦ ପଡିଛନ୍ତି ବୁମରାହ । ତେଣୁ ବିସିସିଆଇ ଏବେ ତାଙ୍କ ବିକଳ୍ପ ଖୋଜିବାରେ ଲାଗିଛି । ଅନେକ ନାଁ ଭିତରେ ଏବେ ଉମରାନ ମଲିକଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବୁମରାହଙ୍କ ସ୍ଥାନରେ ଉମରାନଙ୍କୁ ସୁଯୋଗ ଦେବା ପାଇଁ ପ୍ରଶଂସକମାନେ ଦାବି କରିଛନ୍ତି ।
ବିଶ୍ୱକପରେ ଉମରାନ ମଲିକଙ୍କୁ ସୁଯୋଗ ଦେବା ପାଇଁ ଅନେକ ଲୋକ ଦାବି କରିଛନ୍ତି । ତେବେ ଉମରାନ ବିଶ୍ବକପ ଖେଳିଲେ ଭାରତକୁ ୩ଟି ମୁଖ୍ୟ ଫାଇଦା ମିଳିପାରେ ।
ଗତ ଆଇପିଏଲ-୨୦୨୨ରେ ଟପ-୫ ସ୍ପିଡ ବଲ ଭିତରୁ ତିନୋଟି ବଲ ଉମରାନ ମଲିକଙ୍କ ନାଁରେ ରହିଥିଲା । ଏହି ସିଜନରେ ସେ ୧୫୭ କି.ମି, ୧୫୫.୬ କି.ମି ଏବଂ ୧୫୪.୮ କି.ମି ପ୍ରତି ଘଣ୍ଟା ବେଗରେ ବଲ ପକାଇଥିଲେ । ତେବେ ଏହି କ୍ଷମତା ଷ୍ଟାଣ୍ଡବାଏ ତାଲିକାରେ ଥିବା ଦୀପକ ଚହର, ହର୍ଷଲ ପଟେଲ କିମ୍ବା ଅର୍ଶଦୀପ ସିଂହଙ୍କ ନିକଟରେ ନାହିଁ । ତେବେ ସିରାଜ କିମ୍ବା ଉମେଶ ଯାଦବଙ୍କ ନିକଟରେ ଆକ୍ୟୁରେସି ରହିଥିଲେ ବି ସେହି ଗତି ପାଇ ପାରି ନାହାନ୍ତି । କିନ୍ତୁ ଉମରାନ ଉଭୟ କ୍ଷେତ୍ରରେ ପାରଦର୍ଶିତା ଦେଖାଇବାର କ୍ଷମତା ରଖିଛନ୍ତି । ଅଷ୍ଟ୍ରେଲିଆର ପିଚକୁ ନଜରରେ ରଖି ପ୍ରାୟ ସବୁ ଟିମରେ ଏଭଳି ଜଣେ ସ୍ପିଡ ଷ୍ଟାର ମହଜୁଦ ରହିଛନ୍ତି । କିନ୍ତୁ ଟିମ ଇଣ୍ଡିଆ ଏହି ତାଲିକାରେ ପଛରେ ରହିଯାଇଛି । ତେଣୁ ଉମରାନଙ୍କୁ ସୁଯୋଗ ଦେବା ବିଷୟରେ ଚିନ୍ତା କରିପାରେ ବିସିସିଆଇ ।
ସେହିପରି ବୁମରାହ ପ୍ରାୟତଃ ପାୱାରପ୍ଲେରେ ଅଳ୍ପ ବୋଲିଂ କରି ଡେଥ ଓଭରରେ ଅଧିକ ବ୍ୟବହାର କରିଥାନ୍ତି ରୋହିତ । କିନ୍ତୁ ଉମରାନ ଦଳକୁ ମଝି ଓଭର ଗୁଡିକରେ ମଧ୍ୟ ସୁନ୍ଦର ବୋଲିଂ କରିବାରେ ସମର୍ଥ । ଉମରାନଙ୍କ ଗତି ଆଗରେ ବ୍ୟାଟ୍ସମ୍ୟାନ ଏବଂ ସେମାନଙ୍କ ରନ କରିବାର ଗତିରେ ବ୍ରେକ ଲାଗିପାରେ ।
ଏହାସହିତ ରୋହିତ ଉମରାନଙ୍କୁ ଅନ୍ୟ କୌଣସି ସ୍ପିନ ବୋଲରଙ୍କ ସହ ରୋଟେଟ କରାଇପାରନ୍ତି । ନୂଆ ବ୍ୟାଟ୍ସମ୍ୟାନଙ୍କୁ ପଡିଆରେ ସେଟ ହେବା ପାଇଁ ସୁଯୋଗ ଦିଅନ୍ତି ନାହିଁ ଉମରାନ । ତେଣୁ ବିପକ୍ଷ ଦଳର ରନ ଗତି କମ କରିବା ସହ ୱିକେଟ ହାସଲ କରିବା ଉଭୟ କାମ ଉମରାନ ଚାଲାକିର ସହ କରିବାର ସାମର୍ଥ୍ୟ ରଖିଛନ୍ତି । ତେଣୁ ତାଙ୍କୁ ଦଳରେ ନେବା ପାଇଁ ବୋର୍ଡ ଚିନ୍ତା କରିପାରେ ।