fbpx

UGCର ନୂଆ ପଦକ୍ଷେପ: ୧୨୪ଟି ନୂଆ ବିଷୟରେ ଦିଆଯିବ Online Distance Education

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ଛାତ୍ରଛାତ୍ରୀ ଚାକିରି ବା ଅନ୍ୟ କାରଣରୁ ରେଗୁଲାର କୋର୍ସ କରିପାରିନଥାନ୍ତି । ଏପରି ସ୍ଥଳେ ସେମାନେ ଡିଷ୍ଟାନ୍ସ ଏଜୁକେସନ (ଦୂର ନ୍ତିରନ୍ତର ଶିକ୍ଷା)କୁ ଆପଣାଇ ନେଇଥାନ୍ତି । ତେବେ ନିକଟରେ ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଏନେଇ ଏକ ନୂଆ ପଦକ୍ଷେପ ନିଆଯାଇଛି । ୭୮ଟି ୟୁଜି ଓ ୪୬ଟି ପିଜି ବିଷୟକୁ ଅନଲାଇନ ଦୂର ନିରନ୍ତର ଶିକ୍ଷା ମାଧ୍ୟମରେ ପଢ଼ାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି ।

ଏପରି ଭାବେ ମୋଟ ୧୨୪ଟି ନୂଆ ବିଭାଗରେ ଅନଲାଇନରେ ଡିଷ୍ଟାନ୍ସ ଏଜୁକେସନ ପ୍ରଦାନ କରାଯିବ । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ପରୀକ୍ଷା ଡିଜିଟାଲ ମୋଡ଼ରେ ପରିଚାଳିତ ହେବ । ଏହି ପାଠ୍ୟକ୍ରମଗୁଡ଼ିକ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ହେବ । ଅନ୍ୟ କୋର୍ସ ଭଳି ସେମିଷ୍ଟର ଆଧାରରେ ଏହି ବିଷୟଗୁଡ଼ିକର ପରୀକ୍ଷା କରାଯିବ । ୟୁଜିସିର ଏହି ପଦକ୍ଷେପ ଦ୍ୱାରା ଅନେକ ଛାତ୍ରଛାତ୍ରୀ ବିଶେଷ ଭାବେ ଉପକୃତ ହେବା ନେଇ ଆଶା କରାଯାଉଛି ।

ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ନେଇ ଅନେକ ସମୟରେ ୟୁଜିସି ପକ୍ଷରୁ ନୂଆ ନୂଆ ପଦକ୍ଷେପ ନିଆଯାଇଥାଏ । ୟୁଜି ଓ ପିଜି ସ୍ତରରେ ସାଇବର ସିକ୍ୟୁରିଟି ପାଠ୍ୟକ୍ରମକୁ ବାଧ୍ୟତାମୂଳକ କରିବା ନେଇ ନିକଟରେ ୟୁଜିସି ପକ୍ଷରୁ ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିଲା । ଏହି କୋର୍ସରେ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କୁ ୭୫ ଘଣ୍ଟା ପାଠ ପଢ଼ାଯିବ ବୋଲି ସ୍ଥିର ହୋଇଥିଲା । ସେହିପରି ଶିକ୍ଷାନୁଷ୍ଠାନମାନଙ୍କରେ ଆଣ୍ଟି ରାଗିଂ ରୋକିବାକୁ ମଧ୍ୟ ୟୁଜିସି ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଥିଲା ।

ଏହା ପୂର୍ବରୁ ଦିବ୍ୟାଙ୍ଗଙ୍କ ପାଇଁ ୟୁଜିସି ନୂଆ ଗାଇଡଲାଇନ ଆଣିଥିଲା । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏକସଙ୍ଗେ ଏକାଧିକ କୋର୍ସ କରିପାରିବେ ବୋଲି ୟୁଜିସି ପକ୍ଷରୁ କୁହାଯାଇଥିଲା । ସେହିପରି ନିକଟରେ ‘ପ୍ରଫେସର ଅଫ୍ ପ୍ରାକ୍ଟିସ’ ପଦବୀକୁ ୟୁଜିସି ମଞ୍ଜୁରୀ ଦେଇଥିଲା । ୟୁନିଭରସିଟି ଓ କଲେଜମାନଙ୍କରେ ଏହି ପଦବୀରେ ୧୦ ପ୍ରତିଶତ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.