ଦୀପାବଳୀରେ ବାଣ ବିକ୍ରି ନେଇ ଲାଗିବ କଟକଣା: BMC ଜାରି କରିବ NOC, ୩ ଜୋନାଲ ଅଫିସରେ ହେବ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶହରା ସରିଲା, ଆଗକୁ ଆସୁଛି ଦିପାବଳୀ । ଏଥର ଦିପାବଳୀରେ କେମିତି ମଜାମସ୍ତିରେ ବାଣ ଫୁଟାଇବେ ସେଥିପାଇଁ ରାଜ୍ୟବାସୀ ଅପେକ୍ଷା କରି ରହିଛନ୍ତି । ତେବେ ଏଥର ବାଣ ବିକ୍ରି ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନୋ ଅବଜେକସନ ସାର୍ଟିଫିକେଟ (ଏନଓସି) ପ୍ରଦାନ କରାଯିବ । ଏଥିପାଇଁ ୩ଟି ଜୋନାଲ ଅଫିସରେ ବାଣ ବେପାରୀମାନେ ଆବେଦନ କରିପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ପ୍ରତିବର୍ଷ ଦିପାବଳୀରେ ବାଣ ଫୁଟାଇ ଅନେକ ଲୋକଙ୍କ ଜୀବନ ଯିବା ସହ ଆଉ କିଛି ଆହତ ମଧ୍ୟ ହୋଇଥାନ୍ତି । ତେଣୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମସି ନୂଆ ପଦକ୍ଷେପ ନେଇଛି । ଏଥିପାଇଁ ବିଏମସି ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ଏକ ପ୍ରଶିକ୍ଷଣ ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । କେଉଁ କେଉଁ ଜାଗାରେ ବାଣ ଦୋକାନ ଖୋଲାଯିବ ସେନେଇ ସ୍ଥାନ ଚିହ୍ନଟ କରିବ ବିଏମସି ।

୧ରୁ ୨୧ ନମ୍ବର ୱାର୍ଡର ବାଣ ବେପାରୀମାନେ ବାଣି ବିକ୍ରି କରିବା ପାଇଁ ଉତ୍ତର ଜୋନ ଅଫିସରେ ଆବେଦନ କରିପାରିବେ । ୧୫, ୨୨, ୨୩, ୨୪, ୨୫, ୨୭, ୩୭, ୩୮, ୩୯, ୪୬, ୪୭, ୪୮, ୪୯, ୫୦, ୫୧, ୫୨, ୬୨, ୬୩, ୬୪, ୬୫ ୱାର୍ଡର ବେପାରୀମାନେ ଦକ୍ଷିଣ-ପଶ୍ଚିମ ଜୋନ ଅଫିସରେ ଓ ଅନ୍ୟ ୱାର୍ଡର ବେପାରୀମାନେ ଦକ୍ଷିଣ-ପୂର୍ବ ଜୋନ ଅଫିସରେ ଆବେଦନ କରିପାରିବେ । ଦୋକାନୀଙ୍କର ବାଣି ବିକ୍ରି ନେଇ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଏନଓସି ଜାରି କରାଯିବ ।