T20 WC-2022 ଶାମୀଙ୍କର ମାତ୍ର ଗୋଟିଏ ଓଭର: ଶେଷ ୪ ବଲରେ ୪ ବ୍ୟାଟ୍ସମ୍ୟାନଙ୍କୁ କଲେ ଆଉଟ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ-୨୦୨୨ରେ ଧମାକାଦାର ଏଣ୍ଟ୍ରି କରିଛନ୍ତି ମହମ୍ମଦ ଶାମୀ । କରୋନାକୁ ହରାଇବା ପରେ ଏବେ ଅଷ୍ଟ୍ରେଲିଆକୁ ବି ମାତ ଦେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର । ଏଥିସହିତ ଇଣ୍ଟରନେସନାଲ କ୍ରିକେଟରେ ବର୍ଷେ ପରେ କରିଛନ୍ତି ଦମଦାର କମବ୍ୟାକ । ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମ-ଅପ ମ୍ୟାଚରେ ନିଜର ଜଲୱା ଦେଖାଇଛନ୍ତି ଶାମୀ । ଗୋଟିଏ ଓଭର ବୋଲିଂ କରି ଶାମୀ ଲଗାତାର ୪ଟି ବଲରେ ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି । ଫଳରେ ଏହି ମ୍ୟାଚକୁ ମାତ୍ର ୬ ରନରେ ବିଜୟୀ ହୋଇଛି ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ୧୮୭ ରନର ଟାର୍ଗେଟ ଦେଇଥିଲା ରୋହିତ ସେନା । କେ.ଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଦଳ ଏଭଳି ଏକ ବଡ ଟାର୍ଗେଟ ଦେଇ ପାରିଥିଲା । ଅଷ୍ଟ୍ରେଲିଆର ଅଧିନାୟକ ଏକା ଲଢି ଭାରତ ହାତରୁ ଏହି ମ୍ୟାଚ ଛଡାଇ ନେଇଥିଲେ । ତେବେ ମ୍ୟାଚରେ ଟ୍ୱିଷ୍ଟ ଆଣିଥିଲେ ଇଣ୍ଡିଆନ ବୋଲର । ଶେଷ ୧୫ ବଲରେ ୨୦ ରନର ଆବଶ୍ୟକତା ଥିବା ବେଳେ ଅଷ୍ଟ୍ରେଲିଆ ହାତରେ ଥିଲା ୬ଟି ୱିକେଟ । କିନ୍ତୁ ଟିମ ଇଣ୍ଡିଆର ବୋଲିଂ ଡିପାର୍ଟମେଣ୍ଟ ଆଗରେ ଭାଙ୍ଗି ଯାଇଥିଲା ଅଷ୍ଟ୍ରେଲିଆର ବ୍ୟାଟିଂ ଅର୍ଡର ।

ଶେଷ ଓଭରରେ ଦଳକୁ ୧୧ ରନ ଅବଶ୍ୟକ ଥିଲା । କିନ୍ତୁ ଏହି ସମୟରେ ବ୍ରହ୍ମାସ୍ତ୍ର ଚଳାଇଥିଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ । ସମ୍ପୂର୍ଣ୍ଣ ମ୍ୟାଚରେ ବାହାରେ ଥିବା ଶାମୀଙ୍କୁ ପ୍ରଥମ ଓଭର ଭାବେ ୨୦ତମ ଓଭର ଦେଇଥିଲେ । ଯାହା ଅଷ୍ଟ୍ରେଲିଆ ପାଇଁ ଖୁବ ମହଙ୍ଗା ପଡିଛି । ଏହି ଓରର ଶେଷ ଲଗାତାର ୪ଟି ବଲରେ ୪ଟି ୱିକେଟ ହରାଇଛି କଙ୍ଗାରୁ ଦଳ । ପ୍ୟାଟ କମିନ୍ସ, ଅଷ୍ଟନ ଅଘର, ଜୋସ ଇଂଲିଶ ଏବଂ କେନ ରିଚାର୍ଡସନଙ୍କୁ ଆଉଟ କରି ପାଭିଲିୟନ ପଠାଇଛନ୍ତି ଶାମୀ । କିନ୍ତୁ ଅଷ୍ଟନ ଅଘର ରନ ଆଉଟ ହୋଇଥିବାରୁ ଶାମୀ ହ୍ୟାଟ୍ରିକରୁ ବଞ୍ଚିତ ହୋଇଛନ୍ତି । ଫଳରେ ଏହି ଓଭରରେ ମାତ୍ର ୪ ରନ ସଂଗ୍ରହ କରିପାରିଛି ଅଷ୍ଟ୍ରେଲିଆ । ତେଣୁ ୬ ରନରେ ପ୍ରଥମ ୱାର୍ମ-ଅପ ମ୍ୟାଚକୁ ନିଜ ନାମରେ କରିଛି ଟିମ ଇଣ୍ଡିଆ ।