ନୂଆଦିଲ୍ଲୀ: ଟି ଟ୍ୱେଣ୍ଟି ବିଶ୍ୱକପରେ ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇ ଦେଶକୁ ଦୀପାବଳି ଭେଟି ଦେଇଛି ଭାରତ । ଏକଦା ଭାରତର ପରାଜୟ ନିଶ୍ଚିତ ଲାଗୁଥିବା ବେଳେ ଦେଶର ସମ୍ମାନ ପାଇଁ ଶେଷ ପର୍ଯ୍ୟନ୍ତ ଲଢିଥିଲେ ବିରାଟ କୋହଲି । ଶେଷରେ ତାଙ୍କର ଏହି ଲଢେଇ ସଫଳ ହୋଇଥିଲା ଏବଂ ୫୩ ବଲରୁ ଅପରାଜିତ ୮୨ ରନ୍ କରି ପାକିସ୍ତାନ ହାତରୁ ମ୍ୟାଚ୍ ଛଡାଇ ଆଣିବାରେ ସଫଳ ହୋଇଥିଲେ । ହେଲେ ମହମ୍ମଦ ନୱାଜଙ୍କ ଶେଷ ଓଭରର ନୋ ବଲ ଏବେ ବିବାଦ ଘେରରେ ଫସିଛି । ଏହି ବଲକୁ ନେଇ ସୋସିଆଲ ମିଡିଆ ଏବଂ ବିଭିନ୍ନ ସ୍ଥାନରେ ଲାଗି ରହିଛି ଆଲୋଚନା ।
ମେଲବର୍ଣ୍ଣରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚର ଦିଗ ବଦଳାଇ ଦେଇଥିଲା ଶେଷ ଓଭର । କାରଣ ଭାରତର ଏହି ବିଜୟକୁ ସହଜରେ ଗ୍ରହଣ କରିପାରିନି ପାକିସ୍ତାନ । ଶେଷ ଓଭରରେ ଭାରତର ବିଜୟ ପାଇଁ ୧୬ ରନ୍ ଆବଶ୍ୟକ ଥିବାବେଳେ ଏହି ନୋ ବଲକୁ ନେଇ ଦେଖାଦେଇଛି ବିବାଦ । ଅମ୍ପାୟାର ତାଙ୍କ ଦଳ ସହ ବେଇମାନୀ କରିଥିବା ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଶେଷ ଓଭର ବୋଲିଂ କରୁଥିବା ମହମଦ ନୱାଜଙ୍କ ଚତୁର୍ଥ ବଲଟି ଫୁଲଟସ୍ ଥିଲା ଏବଂ ସାମନା କରୁଥିବା ବିରାଟ କୋହଲି ଏକ ବିଶାଳ ଛକା ମାରିଥିଲେ । ତେବେ ଏହି ବଲଟି ବିରାଟଙ୍କ ଅଣ୍ଟା ଉପରକୁ ଥିବା ନଜର ଆସୁଥିଲା । ତେଣୁ ନିୟମ ଅନୁଯାୟୀ, ଅମ୍ପାୟାର ଏହାକୁ ନୋ ବଲ ଘୋଷଣା କରିଥିଲେ । ଯାହାକୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ ପାକିସ୍ତାନର ଅଧିନାୟକ ବାବର ଆଜମ୍ । ଏହି ବଲର ଉଚ୍ଚତା ବିରାଟଙ୍କ ଅଣ୍ଟା ତଳକୁ ଥିବା ବାବର ଯୁକ୍ତି ବାଢିଥିଲେ । କିନ୍ତୁ ଅମ୍ପାୟାର ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ । ଆଉ ଏହି ନୋ ବଲ୍ ଯୋଗୁଁ ଫ୍ରି ହିଟ୍ ଏବଂ ଏକ ଅତିରିକ୍ତ ବଲ୍ ଭାରତକୁ ମିଳିଥିଲା । ଫ୍ରି ହିଟ୍ ବଲରେ କୋହଲି ବୋଲ୍ଡ ହୋଇଥିବା ବେଳେ ସେ ଦିନେଶ କାର୍ତ୍ତିକଙ୍କ ସହ ମିଶି ୩ ରନ୍ ସଂଗ୍ରହ କରିଥିଲେ । ତେଣୁ ଏହି ରନ୍ ଏବଂ ଏକ୍ସଟ୍ରା ବଲ୍ ଯୋଗୁଁ ଭାରତ ମ୍ୟାଚ୍ ଜିତିଥିବା ପାକିସ୍ତାନୀ ମିଡିଆରେ ଜୋରଦାର ଆଲୋଚନା ହେଉଛି ।
ଖେଳାଳି ବୋଲ୍ଡ ହେବା ପରେ ଡେଡ୍ ବଲ୍ ହେବା କଥା ବୋଲି କହିଛନ୍ତି ପାକିସ୍ତାନୀ । କିନ୍ତୁ ଅମ୍ପାୟାର ଏଥିରେ କେମିତି ବାଏ ୩ ରନ୍ ଘୋଷଣା କଲେ ବୋଲି ପାକିସ୍ତାନ ଅଧିନାୟକ ଏବଂ ୱିକେଟ କିପର ମହମଦ ରିଜୱାନ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ । ଏହି ଘଟଣାକୁ ନେଇ ପାକିସ୍ତାନୀ ମିଡିଆରେ ଜୋରଦାର ଆଲୋଚନା ହେଉଥିବାବେଳେ ୱାସିମ୍ ଆକ୍ରମ୍, ୱାକର ୟୁନିସଙ୍କ ଭଳି ପୂର୍ବତନ କ୍ରିକେଟର ମଧ୍ୟ ଏହି ନିଆଁରେ ଘିଅ ଢାଳିଛନ୍ତି । ଆକ୍ରମ୍ କହିଛନ୍ତି ଏହା ନୋ ବଲ୍ ଭଳି ଦେଖାଯାଉନି । ଏଥିରେ ଟେକ୍ନୋଲୋଜିକୁ ବ୍ୟବହାର ନକରି ଅମ୍ପାୟାର କାହିଁକି ନିଷ୍ପତ୍ତି ନେଇଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିଭଳି ୱାକର ୟୁନିସ ମଧ୍ୟ ନିଜ ଆକ୍ରୋଶ ଜାହିର କରିଛନ୍ତି । ତାଙ୍କ କହିବା ଅନୁସାରେ, ବିରାଟଙ୍କ ଅପିଲକୁ ଅପେକ୍ଷା ନକରି ଲେଗ୍ ଅମ୍ପାୟାର ଏହାକୁ ନୋ ବଲ୍ ଘୋଷଣା କରିଥିଲେ । ଏପରିକି ସେ ଲାଇନ୍ ଅମ୍ପାୟାରଙ୍କ ସହ ଆଲୋଚନା କରିବାକୁ ବି ଉଚିତ ଭାବିଲେନି । ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ମଧ୍ୟ ଏହି ବିବାଦରେ ଅମ୍ପାୟାରଙ୍କୁ ସମାଲୋଚନା କରି ଥାର୍ଡ ଅମ୍ପାୟାରଙ୍କୁ କଲ୍ କରିବା ଜରୁରୀ ଥିଲା ବୋଲି କହିଛନ୍ତି ।
ତେବେ ଏସବୁ ଆଲୋଚନା ମଧ୍ୟରେ ଏହି ବିବାଦ ସମ୍ପର୍କରେ ନିଜ ମତ ରଖିଛନ୍ତି ପୂର୍ବତନ ଅଷ୍ଟ୍ରେଲୀୟ ଅମ୍ପାୟାର ସାଇମନ୍ ଟଫେଲ । ସେ କହିଛନ୍ତି, ଏହି ମ୍ୟାଚ୍ ପରିଚାଳନା କରୁଥିବା ଅମ୍ପାୟାର କୌଣସି ଭୁଲ ନିଷ୍ପତ୍ତି ନେଇନାହାଁନ୍ତି ଏବଂ ଆଇସିସି ନିୟମ ଅନୁଯାୟୀ ସବୁ କିଛି ଠିକ୍ ରହିଛି । ତେବେ ଯିଏ ଯାହା କହୁନା କାହିଁକି ବିରାଟ କୋହଲି ଯେମିତି ଦୁର୍ଦ୍ଦଷ ବ୍ୟାଟିଂ କରି ମ୍ୟାଚ୍ ଛଡାଇ ଆଣିଲେ ତାକୁ କୌଣସି ପ୍ରକାରେ ହଜମ କରିପାରୁନି ପାକିସ୍ତାନ ।