କିଏ ଜିତିବ ଧାମନଗର ବାଜି ?ସକାଳ ୮ଟାରୁ ଗଣତି, ଆଜି ଫଳାଫଳ

ଭୁବନେଶ୍ୱର:ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ଧାମନଗରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୩ ତାରିଖରେ ମତଦାନ ହୋଇଥିଲା ଏବଂ ରବିବାର ଅର୍ଥାତ ଆଜି ନିର୍ବାଚନ ଫଳ ପ୍ରକାଶ ପାଇବ । ତେବେ ଧାମନଗର କାହାର ହେବ ତାହାକୁ ନେଇ ଏବେ ଚର୍ଚ୍ଚା ଜୋରରେ । କାରଣ ଧାମନଗରରେ ଚଳିତ ଥର ଯେଉଁ ମହାମୁକାବିଲା ହୋଇଛି ତାହାର ଫଳ ଉପରେ ଏବେ ସମସ୍ତଙ୍କ ନଜର । ବଡ ବଡ ରାଜନୈତିକ ପଣ୍ଡିତ ମାନେ ମଧ୍ୟ ଏହି ନିର୍ବାଚନରେ କିଏ ବିଜୟ ହୋଇପାରିବ ତାହା ଆକଳନ କରି ପାରୁ ନାହନ୍ତି । ତେଣୁ ଧାମନଗର ରାୟ ଉପରେ ବର୍ତ୍ତମାନ ସଭିଙ୍କର ନଜର ରହିଛି । ରବିବାର ସକାଳ ୮ଟାରୁ ଧାମନଗର ବିଧାନସଭା ଉପନିର୍ବାଚନ ଭୋଟ୍ ଗଣତି ଆରମ୍ଭ କରାଯିବ ।

ରବିବାର ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି କରାଯିବ । ଏହାପରେ ସାଢ଼େ ୮ଟାରୁ ଇଭିଏମ୍ ଗଣତି ଆରମ୍ଭ ହେବ । ଗଣତି ପାଇଁ ଭଦ୍ରକର ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୪ଟି ଟେବୁଲ୍ ରେ ୨୫୨ଟି ବୁଥ୍ ରେ ୧୮ ରାଉଣ୍ଡ ଗଣତି କରାଯିବ । ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ସ୍ତରରେ ଅର୍ଦ୍ଧସାମରିକ ବଳ, ୨ୟ ସ୍ତରରେ ଓଡ଼ିଶା ପୋଲିସ ସୁରକ୍ଷା ବଳ ଓ ୩ୟ ସ୍ତରରେ ଓଡ଼ିଶା ପୋଲିସକୁ ନିୟୋଜିତ କରାଯାଇଛି । ପ୍ରତି ଟେବୁଲ ପାଇଁ ଜଣେ ସୁପର ଭାଇଜର, ଜଣେ ଆସିଷ୍ଟାଣ୍ଟ ସୁପର ଭାଇଜର ଓ
ଜଣେ ମାଇକ୍ରୋ ଅବଜରଭର ରହିବେ ।