fbpx

T-20 World Cup ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର; ସୁସ୍ଥ ହେଲେ ଅଧିନାୟକ ରୋହିତ

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ଦିନ ୧.୩୦ରେ ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ପ୍ରଥମେ ସେମିଫାଇନାଲ ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତାକାଲି ଭାରତ-ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ତେବେ ସେମିଫାଇନାଲ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଛି ଏକ ଖୁସି ଖବର ।

ସୂଚନା ମୁତାବକ, ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ରୋହିତ ଶର୍ମା ଗତକାଲି ଅଭ୍ୟାସ ସମୟରେ ଆହାତ ହୋଇଥିବା ବେଳେ ଆଜି ସେ ସୁସ୍ଥ ଥିବା ଜଣାପଡିଛି । ଯାହାକି ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର ସାବ୍ୟସ୍ତ ହୋଇଛି । ତେବେ ଟିମର ଥ୍ରୋ ସ୍ପେଶାଲିଷ୍ଟ ରଘୁଙ୍କ ବଲରେ ରୋହିତଙ୍କର ଡାହାଣ ହାତରେ ଆଘାତ ଲାଗିଥିଲା । ଫଳରେ ସେ ବହୁତ ଯନ୍ତ୍ରଣା ଅନୁଭବ କରିଥିଲେ । ରୋହିତ ଭାରତୀୟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ସହିତ ଅଧିନାୟକ ଦାୟିତ୍ୱ ତୁଲାଉଥିବାରୁ ଏହି ଖବର ଦଳ ପାଇଁ ଏକ ଚିନ୍ତାର କାରଣ ହୋଇଥିଲା ।

ତେବେ ଆସନ୍ତା କାଲି ଭାରତ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବାକୁ ଯାଉଥିବାବେଳେ ଏହା ପୂର୍ବରୁ ଦଳର ଅଧିନାୟକ ଟିମ୍ କୁ ଏକ ଖୁସି ଖବର ଦେଇଛନ୍ତି । ସେ ଆସନ୍ତାକାଲି ସେମିଫାଇନାଲ ଖେଳିବାକୁ ଫିଟ୍ ଥିବା କହିଛନ୍ତି । ଏତତ୍ ବ୍ୟତୀତ ପ୍ଲେଇଙ୍ଗ ଇଲେଭେନ(playing-11)ରେ ଦିନେଶ କାର୍ତ୍ତିକ ଏବଂ ଋଷଭ ପନ୍ତଙ୍କ ମଧ୍ୟରୁ କିଏ ଖେଳିବେ ସେ ନେଇ ଭାରତୀୟ ଦଳର ଅଧିନାୟକ ରୋହିତ କୌଣସି ସୂଚନା ଦେଇ ନାହାଁନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ଟି-ବିଶ୍ୱକପର ସୁପର-୧୨ ପର୍ୟ୍ୟାୟରେ ଭାରତ ୫ ମ୍ୟାଚରୁ ୪ଟିରେ ବିଜୟ ହାସଲ କରି ମୋଟ ୮ ପଏଣ୍ଟ ହାସଲ କରିଛି । ଭାରତ କେବଳ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇଥିଲା । ସେହିପରି ପାକିସ୍ତାନ ୫ଟି ମ୍ୟାଚରୁ ୩ଟିରେ ବିଜୟ ହାସଲ କରିଛି । ପାକ୍ ଟିମ୍ ଇଣ୍ଡିଆ ଓ ଜିମ୍ବାୱେଠାରୁ ପରାଜୟ ବରଣ କରିଥିଲା । ତେବେ ଦୁଇ ସେମିର ବିଜେତା ଟିମ ଦ୍ୱୟଙ୍କ ମଧ୍ୟରେ ଆସନ୍ତା ୧୩ ତାରିଖରେ ମେଲବର୍ଣ୍ଣରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଯାହାକୁ ଦେଖିବା ପାଇଁ ଖେଳପ୍ରେମୀମାନଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି ।

Get real time updates directly on you device, subscribe now.