fbpx

ଲାଲୁଙ୍କୁ କିଡନୀ ଦାନ କରିବେ ଏହି ଝିଅ, ଚଳିତ ମାସରେ ସିଙ୍ଗାପୁରରେ ହେବ ପ୍ରତିରୋପଣ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସିଙ୍ଗାପୁରରେ ବୃକକ(କିଡନୀ) ପ୍ରତିରୋପଣ କରାଯିବ। ଲାଲୁଙ୍କୁ ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ କିଡନୀ ଦାନ କରିବେ। ଲାଲୁ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ଏବଂ ଖୁବ୍ ଶୀଘ୍ର ସିଙ୍ଗାପୁର ଅଭିମୁଖେ ଯାତ୍ରା କରିବେ। ଚଳିତ ମାସରେ ତାଙ୍କର ବୃକକ ପ୍ରତିରୋପଣ କରାଯିବ। ଏହା ପୂର୍ବରୁ ଗତ ମାସରେ ଲାଲୁ ସିଙ୍ଗାପୁର ଯାଇ ଡାକ୍ତରଙ୍କ ସହ ଆଲୋଚନା ଏବଂ ପରୀକ୍ଷା କରି ଫେରିଥିଲେ।

ସିଙ୍ଗାପୁର ଡାକ୍ତର ଲାଲୁ ଯାଦବଙ୍କ କିଡନୀ ପ୍ରତିରୋପଣ ପାଇଁ ଅନୁମତି ଦେଇଛନ୍ତି। ତାଙ୍କ ଝିଅ ରୋହିଣୀ କିଡନୀ ଦାନ କରିବେ। ରୋହିଣୀ ନିଜ ସ୍ଵାମୀଙ୍କ ସହ ସିଙ୍ଗାପୁରରେ ରହୁଛନ୍ତି। ସିଙ୍ଗାପୁରରେ ଲାଲୁ ରୋହିଣୀଙ୍କ ଘରେ ହିଁ ରହିଥିଲେ। ଆରଜେଡି ସୁପ୍ରିମୋ କିଡନୀ, ହାର୍ଟ ସମେତ ଅନେକ ରୋଗରେ ପୀଡିତ। ଦୀର୍ଘ ସମୟ ଧରି ତାଙ୍କର ଦିଲ୍ଲୀ ଏମ୍ସରେ ଚିକିତ୍ସା ଚାଲିଥିଲା। କିଡନୀ ପ୍ରତିରୋପଣ କରିବା ଜରୁରୀ ବୋଲି ଏମ୍ସ ଡାକ୍ତର କହିବା ସହ ସିଙ୍ଗାପୁରରେ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଲାଲୁ ଅକ୍ଟୋବରରେ ସିଙ୍ଗାପୁର ଯାଇ ସେଠାକାର ଡାକ୍ତରଙ୍କ ନିକଟରେ ନିଜ ସ୍ଵାସ୍ଥ୍ୟ ପରୀକ୍ଷା କରାଇଛନ୍ତି।

ଡାକ୍ତର ସମସ୍ତ ଯାଞ୍ଚ ରିପୋର୍ଟ ଆଧାରରେ ଲାଲୁଙ୍କ କିଡନୀ ପ୍ରତିରୋପଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ନଭେମ୍ବର ୨୪ ପୂର୍ବରୁ ଲାଲୁଙ୍କୁ ସିଙ୍ଗାପୁର ପହଞ୍ଚିବାକୁ ପଡିବ। ଗତ ଦିନରେ ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ମଧ୍ୟ ଏ ସଂପର୍କରେ ସୂଚନା ଦେଇଥିଲେ। ବର୍ତ୍ତମାନ ଲାଲୁ ଦିଲ୍ଲୀରେ ନିଜର ବଡ ଝିଅ ମୀସା ଭାରତୀଙ୍କ ଘରେ ରହୁଛନ୍ତି।

କୁହାଯାଉଥିଲା, ଲାଲୁ ଯାଦବ ପ୍ରଥମେ ନିଜ ଝିଅଙ୍କ କିଡନୀ ନେବାକୁ ରାଜି ହୋଇନଥିଲେ। ପରେ ଡାକ୍ତର ପରାମର୍ଶ ଦେଇଥିଲେ ଯେ, ପରିବାରର କୌଣସି ସଦସ୍ୟଙ୍କ କିଡନୀ ପ୍ରତିରୋପଣ ଅଧିକ ପ୍ରଭାବଶାଳୀ ରହିଥାଏ। ପରେ ଯାଇ ରୋହିଣୀଙ୍କ କିଡନୀ ନେବା ପାଇଁ ଲାଲୁ ରାଜି ହୋଇଥିଲେ।

Get real time updates directly on you device, subscribe now.