fbpx

୨୧ରୁ ପ୍ରାକ୍ ବୈଠକ: ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ୨୦୨୩ କେନ୍ଦ୍ର ବଜେଟ୍ ପାଇଁ ଏବେ ଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଆସନ୍ତା ୨୧ ତାରିଖରୁ ଏନେଇ ପ୍ରାକ୍ ବଜେଟ୍ ବୈଠକ ଅନୁଷ୍ଠିତ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ୪ ଦିନ ଧରି ବିଭିନ୍ନ କ୍ଷେତ୍ରର ଅଧିକାରୀଙ୍କ ସହିତ ନିର୍ମଳା ୭ଟି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାବାଦ୍ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ସହିତ ଜିଏସ୍ଟି ବୈଠକ ଅବସରରେ ନିର୍ମଳା ପ୍ରାକ୍ ବଜେଟ୍ ସମ୍ପର୍କରେ ଆଲୋଚନା କରିବେ ।

ଚଳିତ ମାସ ୨୧ରୁ ଚାଲିବାକୁ ଥିବା ପ୍ରାକ୍ ବଜେଟ୍ ବୈଠକରେ ଅର୍ଥମନ୍ତ୍ରୀ ବିଭିନ୍ନ ବିଜନେସ୍ ଚ୍ୟାମ୍ବର, କୃଷିକ୍ଷେତ୍ରର ପ୍ରତିନିଧି ଓ ଉଦ୍ୟୋଗ ଜଗତର ପ୍ରତିନିଧିଙ୍କ ସହିତ ଆଲୋଚନା କରି ସେମାନଙ୍କ ନିକଟରୁ ଆବଶ୍ୟକ ପ୍ରସ୍ତାବ ଓ ପରାମର୍ଶ ଲୋଡ଼ିବେ । ଏହି ବଜେଟ୍ ମୋଦୀ ସରକାରଙ୍କ ୨ୟ ପାଳିର ଶେଷ ବଜେଟ୍ ।

ଏହାପରେ ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ବଜେଟ୍ ପ୍ରସ୍ତୁତି ପୂର୍ବରୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ଅଂଶୀଦାର ଓ ସହଭାଗୀଙ୍କ ସହିତ ଅର୍ଥମନ୍ତ୍ରୀ ଆଲୋଚନା କରିଥାନ୍ତି । ଯେଉଁଥିରେ ନୀତି ଆୟୋଗର ଅଧ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରିଥାନ୍ତି । ଆସନ୍ତା ୨୦୨୩ ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ସରକାର ନୂତନ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.