fbpx

ସ୍ୱାସ୍ଥ୍ୟ ବିଭାଗର ବଡ଼ ନିଷ୍ପତ୍ତି: ଡାକ୍ତରଙ୍କ ଡବଲ୍ କ୍ଷମତା ହଟିଲା, ଗୋଟିଏ ଦାୟିତ୍ୱରେ ରହିବେ ମେଡିକାଲ କଲେଜର ପ୍ରଫେସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଫେସରମାନେ ଏକାଧିକ ପଦବୀରେ ରହି କ୍ଷମତା ଉପଭୋଗ କରିପାରିବେ ନାହିଁ । ପୂର୍ବରୁ ଦୀର୍ଘବର୍ଷ ଧରି ଜଣେ ପ୍ରଫେସର ବିଭାଗୀୟ ମୁଖ୍ୟ ସହିତ ମେଡିକାଲର ଅଧ୍ୟକ୍ଷ / ଅଧୀକ୍ଷକ ପଦରେ ରହିଆସୁଥିଲେ । ଜଣଙ୍କ ହାତରେ ଦୁଇଟି ଦାୟିତ୍ୱ ନ୍ୟସ୍ତ ରହିବା ଫଳରେ ପ୍ରଶାସନିକ ଓ ରୋଗୀ ସେବା ବାଧାପ୍ରାପ୍ତ ହେଉଥିଲା ।

ତେବେ ଏଣିକି ବିଭାଗୀୟ ମୁଖ୍ୟ କିମ୍ବା ପ୍ରଫେସର ଥିବା ଜଣେ ଡାକ୍ତର ଆଉ ଦୁଇଟି ପଦବୀରେ ରହିପାରିବେ ନାହିଁ । ନିକଟରେ କିଛି ପ୍ରଫେସରଙ୍କୁ ଗୋଟିଏ ପଦବୀରୁ ହଟାଇ ଦିଆଯବା ସହ ମେଡିକାଲ କଲେଜରେ କାର୍ଯ୍ୟରତ କେତେକ ଅଧୀକ୍ଷକ ଓ ଅଧ୍ୟକ୍ଷଙ୍କୁ ବଦଳି କରାଯାଇଛି । ବାଲେଶ୍ୱର ମେଡିକାଲ କଲେଜର ଅଧୀକ୍ଷକ ଓ କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସରଙ୍କୁ ଦୁଇଟି ପଦବୀରୁ ହଟାଇ ଦିଆଯାଇ କେବଳ ଅଧୀକ୍ଷକ ପଦବୀରେ ଅବସ୍ଥାପିତ କରାଯାଇଛି ।

ସେହିପରି ବଲାଙ୍ଗିର ମେଡିକାଲ କଲେଜର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସରଙ୍କୁ ଅଧୀକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ବାରିପଦା ମେଡିକାଲ କଲେଜର ଶରୀର ତତ୍ତ୍ୱ ବିଭାଗର ପ୍ରଫେସର ଓ ଡାକ୍ତରୀ ଶିକ୍ଷା, ତାଲିମ କେନ୍ଦ୍ରର ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କୁ କେବଳ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି । ଏସସିବି ମେଡିକାଲ କଲେଜର ଚର୍ମ ଓ ଭିଡିଓ ପ୍ରଫେସରଙ୍କୁ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ରାଜ୍ୟର ଅନେକ ମେଡିକାଲ କଲେଜର ପ୍ରଫେସରଙ୍କୁ ଗୋଟିଏ ଦାୟିତ୍ୱ ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.