fbpx

ନୃଶଂସତାର ସୀମା ପାର କଲା ସ୍ୱାମୀ; ଖାଇବାରୁ ବାହାରିଲା ଚୁଟି, ସ୍ତ୍ରୀକୁ କଲେ ଲଣ୍ଡା

ନୂଆଦିଲ୍ଲୀ; ବେଳେବେଳେ ଆମେ ଖାଉଥିବା ଖାଦ୍ୟରେ ଚୁଟି ବାହାରିଥାଏ । ଅନେକ ଲୋକ ଖାଦ୍ୟରେ ଚୁଟି ବାହାରିଲେ ବିରକ୍ତ ମଧ୍ୟ ହୋଇଥାନ୍ତି । ତେବେ ଜଣେ ବ୍ୟକ୍ତିଙ୍କ ଖାଦ୍ୟରେ ଚୁଟି ବାହାରିଥିବାରୁ ସେ ତାଙ୍କ ସ୍ତ୍ରୀଙ୍କୁ ଲଣ୍ଡା କରି ଦେଇଥିବା ଖବର ସାମ୍ନାକୁ ଆସିଛି । ସ୍ୱାମୀଙ୍କ ଏଭଳି ଅମାନବୀୟ କାଣ୍ଡ ୟୁପି ପିଲିଭିତର ଗଜରୌଲା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଖାଦ୍ୟରୁ ଚୁଟି ବାହାରିବା ପରେ ନୃଶଂସତାର ସୀମା ପାର କରିଥିଲା ସ୍ୱାମୀ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏଭଳି କାଣ୍ଡରେ ପରିବାର ଲୋକ ମଧ୍ୟ ତାର ସହଯୋଗ କରିଥିଲେ । ଏନେଇ ଜୈନିକ ମହିଳା ସ୍ୱାମୀ ସହିତ ପରିବାର ଲୋକଙ୍କ ନାମରେ ଥାନାରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।

ଏହି ଘଟଣା ଗଜରୌଲା ଥାନା ଅଞ୍ଚଳର ବୋଲି ସୂଚନା ରହିଛି । ପିଡ଼ିତା ମହିଳାଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଖାଦ୍ୟ ଖାଉଥିଲେ । ଏହି ସମୟରେ ତାଙ୍କ ଖାଦ୍ୟରୁ ଏକ ଚୁଟି ବାହାରିଥିଲା । ଏହି ସାମାନ୍ୟତମ କାରଣରୁ ସ୍ୱାମୀ ତାର ନୃଶଂସତାର ସବୁ ସୀମା ପାର କରି ରାକ୍ଷସ ପାଲଟି ଯାଇଥିଲା । ମହିଳା ଜଣଙ୍କ ପୋଲିସକୁ ଦେଇଥିବା ଅଭିଯୋଗ ଅନୁସାରେ, ଖାଦ୍ୟରୁ ଚୁୁଟି ବାହାରିବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ । କେବଳ ଏତିକି ନୁହେଁ, ମହିଳାଙ୍କ ହାତ ଗୋଡ଼ ବାନ୍ଧିବା ସହ ମୁହଁରେ ଲୁଗା ପୂରାଇ ଦେଇଥିଲେ । ଏହା ପରେ ମହିଳାଙ୍କ ସହ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିଲେ । ଯେତେବେଳେ ମହିଳା ଏହାର ବିରୋଧ କରିଥିଲେ ତାଙ୍କ ସ୍ୱାମୀ ତାଙ୍କୁ ଲଣ୍ଡା କରିଥିଲେ ।

ତେବେ ମହିଳାଙ୍କ ସହ ଏପରି ବ୍ୟବହାର ହେଉଥିବା ସମୟରେ ତାଙ୍କ ଶାଶୁ ଏବଂ ଦିଅର ସ୍ୱାମୀଙ୍କୁ ଉସକାଉଥିଲେ । ସମସ୍ତ ପରିବାର ଲୋକ ଘଟଣାକୁ ଛିଡ଼ା ହୋଇ ଦେଖୁଥିଲେ ମଧ୍ୟ ଏହାର ବିରୋଧ କରି ନଥିଲେ । ପରେ ସମ୍ପୃକ୍ତ ଘଟଣା ବିଷୟରେ ମହିଳା ନିଜ ବାପଘର ଲୋକଙ୍କୁ ଖବର ଦେଇଥିଲେ । ମହିଳାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ମଧ୍ୟ ମାରପିଟ କରିବା ପାଇଁ ଚେଷ୍ଟା କରିଥିଲେ ।

ସେହିପରି ମହିଳାଙ୍କ ସ୍ୱାମୀ ଯୌତୁକ ପାଇଁ ମଧ୍ୟ ଦାବି କରୁଥିଲେ । ଯୌତୁକ ନ ଦେବାରୁ ପୁଅକୁ ଛାଡ଼ି ମହିଳାଙ୍କୁ ସେଠାରୁ ପଳାଇବା ପାଇଁ ସ୍ୱାମୀ ବାରମ୍ବାର କହୁଥିଲେ । ପୋଲିସ ଅଭିଯୋଗକୁ ଆଧାର କରି ମହିଳାଙ୍କ ସ୍ୱାମୀ, ଦିଅର ଏବଂ ଶାଶୁକୁ ବିରୋଧରେ ମାମଲା ଦାୟର କରିଛି । ଏହା ସହିତ ମହିଳାଙ୍କ ସ୍ୱାମୀକୁ ଗିରଫ କରିଛି ପୋଲିସ । ଅନ୍ୟପଟେ ମହିଳା ତାଙ୍କ ବାପଘରକୁ ଚାଲି ଯାଇଛନ୍ତି ।

Get real time updates directly on you device, subscribe now.