ପୁରୀରେ ୨୬ ତମ ପ୍ରତିଷ୍ଠା ଦିବସ ପାଳିବ ବିଜେଡି, ନବୀନ ବଜାଇ ପାରନ୍ତି ୨୦୨୪ ନିର୍ବାଚନ ବିଗୁଲ

ଭୁବନେଶ୍ୱର: ଚଳିତ ମାସ ୨୬ ତାରିଖରେ ବିଜୁ ଜନତା ଦଳ ଏହାର ୨୬ ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏହି ଅବସରରେ ପୁରୀରେ ଏକ ଗ୍ରାଣ୍ଡ ରାଲି ଆୟୋଜନ କରିବା ସହିତ ଦଳର ସଭାପତି ପୁରୀରୁ ୨୦୨୪ ନିର୍ବାଚନ ବିଗୁଲ ବଜାଇବାର ସମ୍ଭାବନା ରହିଛି । ଏହି କାର୍ଯ୍ୟକ୍ରମରେ ବିଶାଳ ରାଲି କରି ଦଳର ସମସ୍ତ ଛାମୁଆ ନେତା ତଥା ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପାଳନ କରିବାକୁ ଯାଉଛି ।

ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ଦଳର ନେତାମାନଙ୍କର ଆତ୍ମବିଶ୍ୱାସ ଆକାଶ ଛୁଆଁ ରହିଛି । ଏହାରି ମଧ୍ୟରେ ୨୦୨୪ ନିର୍ବାଚନକୁ ନେଇ ରାଜ୍ୟରେ ପ୍ରମୁଖ ତିନି ଦଳ ବର୍ତ୍ତମାନ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଲେଣି । ତେବେ ସରକାରୀ ଦଳ ୨୦୨୪ ନିର୍ବାଚନ ବୈତରଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୁର୍ତ୍ତି ଏବଂ ମହିଳା ଶସକ୍ତିକରଣ ନୌକାରେ ପାର ହେବାକୁ ଚାହିଁଥିବା ଜଣାପଡୁଛି । ନିକଟରେ ପଦ୍ମପୁରରେ ଦଳର ଏହି ଷ୍ଟ୍ରାଟେଜୀ ଫଳପ୍ରଦ ରହିଥିଲା ।

ତେବେ ରାଜ୍ୟରେ ଗଲା ୨୨ ବର୍ଷ ଧରି ଶାସନରେ ଥିବା ବିଜେଡି ଆଗାମୀ ନିର୍ବାଚନରେ ଦଳର ବରିଷ୍ଠ ନେତାଙ୍କ ଉପରେ ଭରଷା କରୁଛି କିମ୍ବା ଯୁବତ୍ତୃତ୍ୱଙ୍କ ଭରଷାରେ ନିର୍ବାଚନ ଲଢୁଛି ସେ ବିଷୟରେ ଏହି କାର୍ଯ୍ୟକ୍ରମରେ ସାମାନ୍ୟ ସଙ୍କେତ ମିଳିପାରେ ବୋଲି ଆଶା କରାଯାଉଛି ।