fbpx

୯୬ତମ ‘ମନ୍‍ କୀ ବାତ୍‍’ ରେ ଦେଶବାସୀଙ୍କୁ ସମ୍ବୋଧନ କଲେ ମୋଦୀ: କରୋନା ଓ ସ୍ତନ କର୍କଟ ରୋଗକୁ ନେଇ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନରେ ଆକାଶବାଣୀର ‘ମନ୍‍ କି ବାତ୍‍’ କାର୍ଯ୍ୟକ୍ରମର ୯୬ତମ ଅଧ୍ୟାୟରେ ଦେଶବାସୀଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ୨୦୨୨ରେ ଭାରତ ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି, ଯାହା ଭାରତକୁ ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଦେଇଛି । ସେ କହିଛନ୍ତି, ୨୦୨୨ ଏଭଳି ଏକ ବର୍ଷ ଥିଲା ଯେଉଁଥିରେ ଭାରତକୁ ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥ ବ୍ୟବସ୍ଥାର ମାନ୍ୟତା ମିଳିଥିଲା । ଭାରତ ୨୨୦ କୋଟି ଡୋଜ କୋଭିଡ୍‍ ଟୀକା ପ୍ରଦାନ କରିବାର ରେକର୍ଡ ହାସଲ କରିଥିଲା । ଏହା ସହିତ ଭାରତ, ୪୦୦ ବିଲିୟନ ଡଲାର ରପ୍ତାନୀର ରେକର୍ଡ ହାସଲ କରିବା ସହ ପ୍ରଥମ ସ୍ୱଦେଶୀ ଏୟାରକ୍ରାପ୍ଟ ପରିବହନକାରୀ ଆଇଏନ୍‍ଏସ୍‍-ବିକ୍ରାନ୍ତକୁ ସ୍ୱାଗତ କରିଥିଲା । ଭାରତୀୟ ଯୁବକମାନେ କ୍ରୀଡ଼ା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିବାକୁ ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶର ପ୍ରଦର୍ଶନ ଏବଂ ମହିଳା ହକି ଟିମ୍‍ର ବିଜୟ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ‘ମନ୍‍ କି ବାତ୍‍’ରେ ଚର୍ଚ୍ଚା କରିଛନ୍ତି । ଚଳିତ ବର୍ଷ ଲୋକଙ୍କ ଶକ୍ତି, ସହଯୋଗ ଏବଂ ସଂକଳ୍ପକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୨ ମସିହା ‘ଏକ୍‍ ଭାରତ-ଶ୍ରେଷ୍ଠ ଭାରତ’ ଭାବନାର ପରିବ୍ୟାପ୍ତି ପାଇଁ ସ୍ମରଣୀୟ ହେବ । ଚଳିତ ବର୍ଷ ଏକତା ଏବଂ ଐକ୍ୟବଦ୍ଧତା ବ୍ୟକ୍ତ କରିବା ପାଇଁ ଲୋକମାନେ ଅନେକ କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଗୁଜୁରାଟର ମାଧବପୁର ମେଳା ସମ୍ପର୍କରେ ଚର୍ଚ୍ଚା କରି କହିଛନ୍ତି, ଯେଉଁଠାରେ ରୁକ୍ମିଣୀ ବିବାହ ଏବଂ ପୂର୍ବୋତ୍ତର ସହିତ ଭଗବାନ କୃଷ୍ଣଙ୍କ ସମ୍ପର୍କକୁ ଦର୍ଶାଯାଇଥିଲା । ସେ କାଶୀତାମିଲ ସଙ୍ଗମମ୍‍ ବିଷୟରେ ଆଲୋଚନା କରି କହିଥିଲେ ଯେ, ଏହି ଉତ୍ସବରେ ଏକତାର ଅନେକ ରଙ୍ଗକୁ ଦର୍ଶାଯାଇଥିଲା । ସେହିପରି ଅଗଷ୍ଟ ମାସରେ ଆୟୋଜିତ ‘ହର୍‍ ଘର୍‍ ତ୍ରିରଙ୍ଗା’ ଅଭିଯାନ ଉପରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଆଲୋକପାତ କରିଥିଲେ । ୬ କୋଟିରୁ ଅଧିକ ଲୋକ ଗର୍ବ ଏବଂ ଉତ୍ସାହର ସହିତ ତ୍ରିରଙ୍ଗା ଉଡ଼ାଇ ସେଲ୍‍ଫି ପଠାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ଭାରତକୁ ଜି-୨୦ ରାଷ୍ଟ୍ର ସମୂହର ଅଧ୍ୟକ୍ଷତାର ଦାୟିତ୍ୱ ମିଳିଛି । ସେ କହିଛନ୍ତି, ୨୦୨୩ରେ ଜି୨୦ର ଉତ୍ସାହ ଆମକୁ ନୂତନ ଶିଖରକୁ ନେଇଯିବ ଏବଂ ଏହାକୁ ଜନଆନ୍ଦୋଳନର ରୂପ ଦେବାର ଅଛି । ସେହିପରି ଯୋଗ ଏବଂ ଆୟୁର୍ବେଦ କ୍ଷେତ୍ରରେ ଗବେଷଣା ସର୍ବଦା ଏକ ନୂତନ ଆହ୍ୱାନ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଟାଟା ମେମୋରିଆଲ ସେଣ୍ଟର ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସ୍ତନ କର୍କଟର ରୋଗୀମାନଙ୍କ ପାଇଁ ମଧ୍ୟ ଯୋଗ ପ୍ରଭାବଶାଳୀ ଏବଂ ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ସ୍ତନ କର୍କଟ ରୋଗୀଙ୍କ ମୃତ୍ୟୁହାର ୧୫ ପ୍ରତିଶତ ହ୍ରାସ ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦିଲ୍ଲୀ ଏମ୍ସରେ ମଧ୍ୟ ଯୋଗ ଓ ପାରମ୍ପରିକ ଚିକିତ୍ସା ପଦ୍ଧତିର ପ୍ରସାର ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ୬ ବର୍ଷ ପୂର୍ବରୁ ଏମ୍‍ସରେ ‘ସେଣ୍ଟର ଫର୍‍ ଇଣ୍ଟିଗ୍ରେଟେଡ୍‍ ମେଡିସିନ୍‍ ଆଣ୍ଡ ରିସର୍ଚ୍ଚ’ ପ୍ରତିଷ୍ଠା କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗୋଆରେ ଆୟୋଜିତ ବିଶ୍ୱ ଆୟୁର୍ବେଦ କଂଗ୍ରେସ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ‘ମନ୍‍ କି ବାତ୍‍’ରେ ଚର୍ଚ୍ଚା କରିଛନ୍ତି ।

ସେ କହିଛନ୍ତି, ଏହି ସମ୍ମିଳନୀରେ ୪୦ଟି ଦେଶ ଭାଗ ନେଇଥିଲେ ଏବଂ ସାଢ଼େ ୫ ଶହରୁ ଅଧିକ ଗବେଷଣାତ୍ମକ ସନ୍ଦର୍ଭ ପ୍ରସ୍ତୁତ କରାଯାଇଥିଲା । ଏହି ଅବସରରେ ଭାରତ ସମେତ ବିଶ୍ୱର ପ୍ରାୟ ୨୧୫ଟି କମ୍ପାନୀ ନିଜ ଉତ୍ପାଦକୁ ପ୍ରଦର୍ଶନ କରିଥିଲେ । ବିଗତ କିଛି ବର୍ଷ ଧରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖାଦେଇଥିବା ବଡ଼ ବଡ଼ ଆହ୍ୱାନ ଉପରେ ଭାରତ ବିଜୟ ଲାଭ କରିଥିବା ଜଣାଇ ପ୍ରଧାନମନ୍ତ୍ରୀ, ଏହାର ସମ୍ପୂର୍ଣ୍ଣ ଶ୍ରେୟ ଚିକିତ୍ସା ବିଶେଷଜ୍ଞ, ବୈଜ୍ଞାନିକ ଏବଂ ଦେଶବାସୀଙ୍କ ଇଚ୍ଛାଶକ୍ତିକୁ ଦେଇଛନ୍ତି । ଭାରତରୁ ବସନ୍ତ, ପୋଲିଓ ଏବଂ ଅନେକ ସଂକ୍ରାମକ ରୋଗ ଦୂର ହୋଇପାରିଛି । ତେବେ କାଲାଜର୍‍ ଏକ ଆହ୍ୱାନ ଭାବେ ଦେଖାଦେଇଛି । ସ୍ୟାଣ୍ଡ ଫ୍ଲାଏ ଦ୍ୱାରା ଏହା ବ୍ୟାପିଥାଏ । ଏବେ ଅଳ୍ପ କିଛି ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଖୁବ୍‍ଶୀଘ୍ର ଏହାର ସମାପ୍ତିରେ ସକ୍ଷମ ହେବା ଏବଂ ୨୦୨୫ ସୁଦ୍ଧା ଭାରତ ଯକ୍ଷ୍ମାମୁକ୍ତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରାଯାଇଛି । ‘ମନ୍‍ କି ବାତ୍‍’ ୧୦୦ତମ ଅଧ୍ୟାୟ ଆଡ଼କୁ ଅଗ୍ରସର ହେଉଥିବାରୁ ଏଥିପାଇଁ ନିଜର ମତାମତ ପଠାଇବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ନବବର୍ଷ ୨୦୨୩ ପାଇଁ ପ୍ରଧାନମନ୍ତ୍ରୀ ଶୁଭକାମନା ଜଣାଇବା ସହିତ ଏହି ବର୍ଷ ଦେଶ ପାଇଁ ସ୍ୱତନ୍ତ୍ର ହେଉ, ଦେଶ ନୂତନ ଶିଖରକୁ ଛୁଉଁ ଏବଂ ଆମ ସମସ୍ତଙ୍କର ମିଳିମିଶି ସଂକଳ୍ପ ନେବା ଓ ତାକୁ ସିଦ୍ଧି କରିବାର ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ୯୮ତମ ଜନ୍ମବାର୍ଷିକୀ ଅବସରରେ ଆଜିର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ମନେ ପକାଇଛନ୍ତି । ଭାରତକୁ ପ୍ରଗତୀ ପଥରେ ଆଗେଇ ନେବାରେ ବାଜପାୟୀଙ୍କର ଅନେକ ଅବଦାନ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.