fbpx

ମାନସିକ ରୋଗୀଙ୍କ ପାଇଁ ଟେଲି ମାନସ ସେବା ଆରମ୍ଭ

ବ୍ରହ୍ମପୁର: କରୋନା ପରେ ଦେଶ, ରାଜ୍ୟ ଓ ସହର ହେଉ କିମ୍ବା ଗ୍ରାମାଞ୍ଚଳ ହେଉ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଛି । କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ମାନସିକ ସମସ୍ୟା ନିହାତି ଭାବେ ବଢ଼ିଛି । ବିଭିନ୍ନ ପ୍ରକାର ଚାପ ଯୋଗୁଁ ଏହି ସମସ୍ୟା ବଢ଼ିଛି । କାହାର ଚାକିରି ଯାଇଛି ତ କାହାର ବ୍ୟବସାୟରେ ହାନି ଘଟିଛି ଓ କାହାର ପରିବାରର ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏପରି ସ୍ଥଳରେ ପ୍ରତ୍ୟେକ ଅଞ୍ଚଳରେ ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଏହିଭଳି ମାନସିକ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କୁ କିପରି ଅବଶ୍ୟକୀୟ ପରାମର୍ଶ ଦେଇ ସେମାନଙ୍କୁ ମାନସିକ ଚାପ ଓ ସମସ୍ୟାରୁ ଦୂର କରିବା ସହ ତାହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟରେ ଦୁଇଟି ମେଡିକାଲ କଲେଜ ଓ ହସ୍ପିଟାଲରେ ଟେଲିମାନସ କଲ୍ ସେଣ୍ଟର ଖୋଲାଯାଇଛି ।

କଟକର ଏସସିବି ଓ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ହସପିଟାଲରେ ଦୁଇଟି କଲ୍ ସେଣ୍ଟର ଖୋଲାଯାଇଛି । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ପରିସରରେ ଥିବା ସାଇକ୍ରେଟିକ୍ ୱାର୍ଡ ପରିସରରେ ଥିବା ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ୟୁନିଟ୍ ତଥା ନିଶା ନିବାରଣ କେନ୍ଦ୍ର କୋଠାର ତଳ ମହଲାରେ ଏହି କଲ ସେଣ୍ଟର କାର୍ଯ୍ୟ କରୁଛି । ଏଠାରେ ୯ଜଣ କାଉନସିଲରଙ୍କ ପାଇଁ କମ୍ପ୍ୟୁଟର ଓ ଟେଲି କଲିଂ ବ୍ୟବସ୍ଥା ରହିଛି । ୨୦୨୨ ଅକ୍ଟୋବର ମାସରୁ ଏହି ଟେଲି ମାନସ ସେବା କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ଯାଏଁ ନିୟମିତ କାଉନସିଲର୍ ନିଯୁକ୍ତି ହୋଇପାରି ନାହାନ୍ତି ।

ବାହାରୁ ଅନ୍ୟ ବିଭାଗର ମନସ୍ତତ୍ୱବିତ୍ ଓ ଜଣେ କାଉନସିଲରଙ୍କୁ ଏହି କେନ୍ଦ୍ରରେ ସାମୟିକ ଭାବେ ନିଯୁକ୍ତି ଦିଆଯାଇଛି । ଏହି ଦୁଇ ଜଣ ବର୍ତ୍ତମାନ ଏହି ଟେଲି ମାନସ ସେବାରେ କର୍ଯ୍ୟ କରୁଥିବା ବେଳେ ଏହି ୪ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ କଲ୍ ଆସିଛି । ବିଭିନ୍ନ ପ୍ରକାର ମାନସିକ ସମସ୍ୟା ଥିବା ବ୍ୟକ୍ତିମାନେ କଲ୍ କରୁଥିବା ନେଇ କାଉନସିଲରମାନେ କହିଛନ୍ତି ।
ତେବେ ଅକ୍ଟୋବର ମାସରୁ ଏହି କେନ୍ଦ୍ର ଖୋଲାଯାଇଥିଲେ ମଧ୍ୟ ଚଳିତ ସପ୍ତାହରେ ପ୍ରତିଦିନ ୧୦ରୁ ଊଦ୍ଧ୍ୱର୍ ଏହିପରି କଲ୍ ଆସୁଥିବା ନେଇ ସେଠାକାର କାଉନସିଲର୍ମାନେ କହିଛନ୍ତି । ଟୋଲ୍ ଫ୍ରି ନମ୍ବର ଜରିଆରେ ଲୋକେ ଏହି କଲ୍ କରି କାଉନସିଲରଙ୍କଠାରୁ ପରାମର୍ଶ ନେଉଛନ୍ତି ।

କେବଳ ମାନସିକ ରୋଗୀ ବୋଲି ନୁହେଁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଲୋକେ ମଧ୍ୟ ଏହି ସେଣ୍ଟରକୁ କଲ୍ କରୁଛନ୍ତି । ଏଠାରେ ଦୁଇ ଜଣ କର୍ମଚାରୀ ଥିଲେ ମଧ୍ୟ ଲୋକଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବାରେ ସଫଳ ହୋଇଛନ୍ତି । ଅତିଶୀଘ୍ର ଏଠାରେ ନୂତନ କର୍ମଚାରୀ ନିଯୁକ୍ତି ପାଇବେ ବୋଲି ଜଣାପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି । ଟେଲି ମାନସ କେନ୍ଦ୍ରରେ ନୂତନ ନିଯୁକ୍ତି ହେବା ପରେ ଅଧିକରୁ ଅଧିକ ମାନସିକ ଚାପ ଓ ସମସ୍ୟା ଥିବା ରୋଗୀ ଫୋନ୍ କରି ଆବଶ୍ୟଳାୟ ପରାମର୍ଶ ଗ୍ରହଣ କରିବାର ସୁବିଧା ପାଇବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.