fbpx

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ମିଳିବ କି ନା: ଓଡ଼ିଶା ସମେତ ୨୪ଟି ରାଜ୍ୟ ପଠାଇଲେ ପ୍ରସ୍ତାବ, କେଉଁ ରାଜ୍ୟର କ’ଣ ରହିଛି ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତର ବିଭିନ୍ନ ରାଜ୍ୟରେ ହିନ୍ଦୁମାନଙ୍କର ସଂଖ୍ୟା ଅଲଗା ଅଲଗା ରହିଛି । ଯେଉଁ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା କମ୍ ରହିଛି, ସେଠାରେ ସେମାନଙ୍କୁ ସଂଖ୍ୟାଲଘୁର ମାନ୍ୟତା ପ୍ରଦାନ ନେଇ ରାଜ୍ୟମାନଙ୍କର ନିଷ୍ପତ୍ତି ଭିନ୍ନ ଭିନ୍ନ ରହିଛି । ଏନେଇ ୨୪ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି । ଏହି ପ୍ରସ୍ତାବକୁ ଆଧାର କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଆଫିଡେଭିଟ୍ ଦାଖଲ କରିଛନ୍ତି ।

ତେବେ ଅଧିକାଂଶ ରାଜ୍ୟ ହିନ୍ଦୁଙ୍କ ସଂଖ୍ୟାଲଘୁ ମାନ୍ୟତା ପ୍ରସଙ୍ଗରେ ରାଜ୍ୟମାନଙ୍କୁ ଅଧିକାର ମିଳିବା ଉଚିତ ବୋଲି କହିଛନ୍ତି । ଆଉ କିଛି ରାଜ୍ୟ ଏହି ନିଷ୍ପତ୍ତି କେନ୍ଦ୍ର ଉପରେ ନ୍ୟସ୍ତ କରିଛନ୍ତି । ସେହିପରି କିଛି ରାଜ୍ୟ ବର୍ତ୍ତମାନର ସ୍ଥିତିକୁ କାଏମ୍ ରଖିବା ସପକ୍ଷରେ ପ୍ରସ୍ତାବ ପଠାଇଛନ୍ତି । ତେବେ ମୋଟ ୨୪ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କର ପ୍ରସ୍ତାବ କେନ୍ଦ୍ର ନିକଟକୁ ପଠାଇ ସାରିଛନ୍ତି । ଆଉ ୬ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କର ରିପୋର୍ଟ ପଠାଇବେ ।

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ନେଇ ରାଜ୍ୟ ସ୍ତରରେ ନିଷ୍ପତ୍ତି କରିବା ଉପରେ କିଛି ରାଜ୍ୟ ପ୍ରସ୍ତାବ ଦେଇଛନ୍ତି । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ତ୍ରିପୁରା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ସିକିମ, ତାମିଲନାଡ଼ୁ, ମଣିପୁର, ନାଗାଲାଣ୍ଡ, ପଞ୍ଜାବ, ଛତିଶଗଡ଼, ଅସାମ ଓ ଆନ୍ଧ୍ର ପ୍ରଦେଶ ରହିଛନ୍ତି । ସେହିପରି ଉତ୍ତରପ୍ରଦେଶ, ମେଘାଳୟ, ମହାରାଷ୍ଟ୍ର, ହରିୟାଣା ଓ ହିମାଚଳ ପ୍ରଦେଶ କେନ୍ଦ୍ରୀୟ ସ୍ତରରେ ଏହା ନିର୍ଦ୍ଧାରଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ଓଡ଼ିଶା, ମଧ୍ୟପ୍ରଦେଶ, କେରଳ, ବିହାର ଓ କର୍ଣ୍ଣାଟକ କୌଣସି ପରିବର୍ତ୍ତନ ନ କରିବାକୁ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର-ରାଜ୍ୟ ଉଭୟଙ୍କ ପାଖରେ ଏହି ଅଧିକାର ରହିବା ନେଇ ମିଜୋରାମ ପ୍ରସ୍ତାବ ଦେଇଥିବା ବେଳେ ଗୋଆ ସରକାର କୌଣସି ରାୟ ଦେଇନଥିବା ବେଳେ କେବଳ ସଂଖ୍ୟାଲଘୁଙ୍କ ସଂଖ୍ୟା ପଠାଇଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଚାଲିବା ସପକ୍ଷରେ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଯେଉଁ ରାଜ୍ୟରେ ହିନ୍ଦୁଙ୍କ ସଂଖ୍ୟା କମ ରହିଛି, ସେମାନଙ୍କୁ ସଂଖ୍ୟା ଲଘୁର ମାନ୍ୟତା ନେଇ ଗତ ୨୦୧୭ରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରାଯାଇଥିଲା । ଏହା ଉପରେ ଆଗତ ପିଟିସନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅଧିକ ସମୟ ଦେଇଥିଲେ । ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ଗତବର୍ଷ ମେ ମାସରେ ଅଧିକ ସମୟ ମାଗିଥିଲେ କେନ୍ଦ୍ର ସରକାର ।

Get real time updates directly on you device, subscribe now.